ଭୁବନେଶ୍ବର : ଫ୍ରାନ୍ସଠାରେ ଅନୁଷ୍ଠିତ ୭୨ତମ ‘କାନ୍ ଚଳଚ୍ଚିତ୍ର ମହୋତ୍ସବ’ରେ ସ୍ମାଇଲ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଫର୍ ଚିଲ୍ଡ୍ରେନ୍ ଆଣ୍ଡ ୟୁଥ୍, ସ୍ମାଇଲ ଫାଉଣ୍ଡେସନ୍ ପକ୍ଷରୁ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ପ୍ରଯୋଜକ ତଥା ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର ପ୍ରତିନିଧିତ୍ବ କରୁଛନ୍ତି। ଓଡ଼ିଆ ପୁଅ ହିସାବରେ ଓଡ଼ିଶାକୁ ଉପସ୍ଥାପନା କରିବାକୁ ଭୁଲିନାହାନ୍ତି ଜିତେନ୍ଦ୍ର। ନୀଳ ରଙ୍ଗର ହାତବୁଣା ସମ୍ବଲପୁରୀ କପଡ଼ାରେ ତିଆରି ଏକ ଡିଜାଇନର୍ ଜ୍ୟାକେଟ ପିନ୍ଧି ସେ ରେଡ୍ କାର୍ପେଟ୍ରେ ଚାଲିଥିଲେ। ତାଙ୍କର ଏହି ସମ୍ବଲପୁରୀ ଡିଜାଇନର୍ ଜ୍ୟାକେଟ୍ର ପ୍ରଶଂସା ବହୁ ସେଲିବ୍ରିଟି ଓ ବିଦେଶୀ କରିଛନ୍ତି। ଏନେଇ ଜିତେନ୍ଦ୍ର କୁହନ୍ତି, ମୁଁ ସବୁବେଳେ ଏମିତି ପାରମ୍ପରିକ ସମ୍ବଲପୁରୀ ହସ୍ତତନ୍ତ ତିଆରି ପୋଷାକ ପିନ୍ଧିବାକୁ ପସନ୍ଦ କରେ। ନିଜ ମାଟିର ହାତ ତିଆରି ପୋଷାକ ପିନ୍ଧି ଏତେ ବଡ଼ ମଞ୍ଚରେ ଚାଲିବାକୁ ଗର୍ବ ଅନୁଭବ ହୁଏ। ଜିତେନ୍ଦ୍ର ଓଡ଼ିଶାର ଟିଟିଲାଗଡ଼ରେ ଜନ୍ମଗ୍ରହଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୧୧୦ରୁ ଊର୍ଧ୍ବ ଚଳଚ୍ଚିତ୍ର ସହ ଜଡ଼ିତ ଥିବା ବେଳେ ୪ ଥର କାନ୍କୁ ପ୍ରତିନିଧିତ୍ବ କରୁଛନ୍ତି। ତାଙ୍କ ସଦ୍ୟ ପ୍ରଯୋଜିତ ବିକାଶ ଖାନ୍ନାଙ୍କ ଦ୍ବାରା ପ୍ରସ୍ତୁତ ଫିଚର ଚଳଚ୍ଚିତ୍ର ‘ଦ ଲାଷ୍ଟ କଲର୍’ ବିଦେଶରେ ପ୍ରଦର୍ଶିତ ହୋଇଛି। ଖୁବ୍ଶୀଘ୍ର ଏହା ଭାରତରେ ମଧ୍ୟ ପ୍ରଦର୍ଶିତ ହେବ। ଗତ ଜାନୁଆରିରେ ଏହି ଚଳଚ୍ଚିତ୍ରର ପ୍ରିମିୟର ଆମେରିକାର ‘୩୦ତମ ପାମ୍ ସ୍ପ୍ରିଙ୍ଗ୍ସ୍ ଚଳଚ୍ଚିତ୍ର ମହୋତ୍ସବ’ରେ ପ୍ରଦର୍ଶିତ ହୋଇଥିଲା।
କାନ୍ ଚଳଚ୍ଚିତ୍ର ମହୋତ୍ସବର ରେଡ୍ କାର୍ପେଟ୍ରେ ଚାଲିଲେ ଓଡ଼ିଆ ପୁଅ ଜିତେନ୍ଦ୍ର
Advertisment
Follow Us