ଭୁବନେଶ୍ୱର: ଗ୍ରାମୀଣ ମହିଳାମାନେ ସ୍ୱାବଲମ୍ୱୀ ହେଲେ ସମାଜର ବିକାଶ ଘଟିବ। ସେଥିପାଇଁ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ସହିତ ଡିଜିଟାଲ୍ ମାଧ୍ୟମରେ ଯୋଡ଼ିବା ପାଇଁ ଉଦ୍ୟମ ହେବା ଆବଶ୍ୟକ। ଏହା ଦ୍ୱାରା ସେମାନେ ସେମାନଙ୍କ ଉତ୍ପାଦକୁ ବିଶ୍ୱବ୍ୟାପୀ କରିପାରିବେ। ସମ୍ୱାଦ ‘ଓଡ଼ିଶା ୫୦’ ଷଷ୍ଠ ସଂସ୍କରଣର ଉଦ୍ଯାପନୀ ଉତ୍ସବରେ ‘ସମ୍ପ୍ରତି ଗ୍ରାମୀଣ ମହିଳା ଉଦ୍ୟୋଗୀ ସାମନା କରୁଥିବା ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଅତିଥି ଭାବେ ‘ଓର୍ମାସ’ର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ବିପିନ ବିହାରୀ ରାଉତ, ହର୍ଷା ଟ୍ରଷ୍ଟର ପ୍ରତିଷ୍ଠାତା ତଥା ମେଣ୍ଟର ବିସ୍ମୟ ମହାପାତ୍ର, ‘ଶୁଭମ୍ କ୍ୟାପିଟାଲ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ‘ଓର୍ମାସ’ର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ରାଉତ ପରିଶ୍ରମ କରିବା ସହିତ ନୂତନ କୌଶଳ ପ୍ରୟୋଗ କରି ନିଜ ଉତ୍ପାଦକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିବ ବୋଲି କହିଥିଲେ। ଏଥିସହିତ ଓର୍ମାସ ତରଫରୁ ବର୍ତ୍ତମାନ ଅଧିକରୁ ଅଧିକ ମହିଳାମାନଙ୍କୁ ଯୋଡ଼ିବା ସହିତ ମେଳା, ମହୋତ୍ସବରେ ବ୍ୟବସାୟ ପାଇଁ ସୁଯୋଗ ଦିଆଯାଉଛି ବୋଲି କହିଥିଲେ। ‘ହର୍ଷା ଟ୍ରଷ୍ଟ’ର ବିସ୍ମୟ ମହାପାତ୍ର ନିଜ ବକ୍ତବ୍ୟରେ ମହିଳା ଉଦ୍ୟୋଗୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ମିଳିଲେ ସେମାନେ ସମାଜର ପରିବର୍ତ୍ତନ କରିପାରିବେ ବୋଲି କହିଥିଲେ। ସେ କୋରାପୁଟ ବୈପାରିଗୁଡ଼ା ବ୍ଲକ୍ର ଏକ ଗ୍ରାମର ଉଦାହରଣ ଦେଇ ଟ୍ରଷ୍ଟ ସହ ସଂଯୋଗ ହେବା ପରେ ସେଠାକାର ଆଦିବାସୀ ମହିଳାମାନେ କିଭଳି ସେମାନଙ୍କର ବାର୍ଷିକ ଆୟ ଲକ୍ଷେ ଟଙ୍କାରୁ ଊର୍ଦ୍ଧ୍ୱ କରିବା ସହିତ ଗ୍ରାମସଭା, ପଞ୍ଚାୟତ ସମିତି ଆଦିରେ ଗାଁର ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ମଧ୍ୟ ସ୍ୱର ଉତ୍ତୋଳନ କରୁଛନ୍ତି ବୋଲି କହିଥିଲେ।
ଏଥିସହିତ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ଡିଜିଟାଲ ଶିକ୍ଷା ପ୍ରଦାନ କରାଗଲେ ସେମାନେ ନିଜ ଉତ୍ପାଦକୁ ଭିନ୍ନ ଭିନ୍ନ ଅଞ୍ଚଳରେ ବିକ୍ରି କରି ଲାଭବାନ ହୋଇପାରିବେ ବୋଲି କହିଥିଲେ। ‘ଶୁଭମ କ୍ୟାପିଟାଲ୍’ର ପ୍ରତିଷ୍ଠାତା ସୁଧାଂଶୁ ମହାପାତ୍ର ନିଜ ବକ୍ତବ୍ୟରେ ବର୍ତ୍ତମାନ ଅର୍ଥନୀତି ସହରରୁ ଗ୍ରାମାଭିମୁଖୀ ହେଉଛି। ଏହାର ଲାଭ ଗ୍ରାମୀଣ ମହିଳା ଉଦ୍ୟୋଗୀମାନେ ଉଠାଇବା ଆବଶ୍ୟକ। ସେଥିପାଇଁ ସେମାନଙ୍କୁ ଅର୍ଥନୀତି ଓ ବାଣିଜ୍ୟ କାରବାର ସମ୍ପର୍କରେ ସଚେତନ କରିବା ପାଇଁ ସରକାର ଉଦ୍ୟମ କରିବା ଆବଶ୍ୟକ। ଗ୍ରାମୀଣ ମହିଳା ଉଦ୍ୟୋଗୀମାନେ ସଫଳ ହେଲେ ନିଯୁକ୍ତି ପାଇଁ ସହରମୁହାଁ ହେଉଥିବା ଲୋକଙ୍କ ସଂଖ୍ୟା କମିବ ବୋଲି କହିଥିଲେ। ଏହି ଅବସରରେ ହୋଇଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରୀନା ଦ୍ୱିବେଦୀ, ଶାନ୍ତିଲତା ନାୟକ, ସଂଯୁକ୍ତା ଦାସଗୁପ୍ତା, ସାଗରିକା ଜାଲି, ମିନତି ସାବତ ପ୍ରମୁଖ ଭାଗ ନେଇଥିଲେ। ‘କନକ ନ୍ୟୁଜ୍’ର ସ୍ୱସ୍ତିକା ପଣ୍ଡା ଆଲୋଚନା ପରିଚାଳନା କରିଥିଲେ।
Follow Us