ଭୁବନେଶ୍ୱର: ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଅର୍ଥନୀତିରେ ହସ୍ତତନ୍ତ ବୁଣାକାରଙ୍କ ପ୍ରମୁଖ ଯୋଗଦାନ ରହିଛି। ବୁଣାକାରଙ୍କ ଆର୍ଥିକ ସହାୟତା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ବାଣିଜ୍ୟ ସହାୟତା ସମେତ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ହସ୍ତତନ୍ତ କ୍ଷେତ୍ରକୁ ସରକାର ସମର୍ଥନ ତଥା ପ୍ରୋତ୍ସାହନ ଯୋଗାଉଛନ୍ତି। ତେବେ ସେମାନଙ୍କୁ ସହାୟତା, ସମ୍ମାନ ଯୋଗାଇବା ସମସ୍ତଙ୍କର ପ୍ରାଥମିକ କର୍ତ୍ତବ୍ୟ ହେବା ଆବଶ୍ୟକ। କେବଳ ଦିନେ ନୁହେଁ ଅଧିକାଂଶ ଦିନ ହସ୍ତତନ୍ତ ପରିଧାନ କରିବା ଆବଶ୍ୟକ। ଏହା ନିଜ ମାଟିର ବୁଣାକାରଙ୍କୁ ପ୍ରୋତ୍ସାହନ ଯୋଗାଇବା ଏବଂ ବିଶ୍ବସ୍ତରରେ ଓଡ଼ିଶାର ବୁଣାକାରଙ୍କ ପାରଦର୍ଶିତାକୁ ପ୍ରତିପାଦିତ କରିବାରେ ସହାୟକ ହେବ। ଆଜି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ହସ୍ତତନ୍ତ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ।
ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ସେ ସୂଚନା ଦେଇ କହିଛନ୍ତି, ଓଡ଼ିଶାର ୯ଟି ହସ୍ତତନ୍ତକୁ ଜିଆଇ ଟ୍ୟାଗ୍ ମିଳିଛି।
ଖୁବ୍ଶୀଘ୍ର କୋରାପୁଟର କେରଙ୍ଗ ଓ ମୟୂରଭଞ୍ଜ ଜିଲ୍ଲାର ଫୁଟା ଶାଢ଼ିକୁ ଜିଆଇ ମାନ୍ୟତା ମିଳିବ। ପ୍ରଭୁ ଜଗନ୍ନାଥଙ୍କ ସେବାରେ ଲାଗୁଥିବା ରେଶମ ବସ୍ତ୍ରକୁ ଅହିଂସା ଉପାୟରେ ପ୍ରସ୍ତୁତ କରିବା ପାଇଁ ‘କରୁଣା ମିସନ’ ଆରମ୍ଭ କରାଯାଇଛି। କେନ୍ଦ୍ରରେ ସାରା ଦେଶର ୨୨ ଜଣ ବୁଣାକାରଙ୍କୁ ସମ୍ମାନିତ କରାଯାଉଥିବା ବେଳେ ସେଥିରୁ ଓଡ଼ିଶାର ୫ ଜଣ ବୁଣାକାର ରହିବା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ପାଢ଼ୀ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଭାଗର ଯୁଗ୍ମ ଶାସନ ସଚିବ ଅନନ୍ୟା ଦାସ ବୁଣାକାରମାନଙ୍କୁ ପ୍ରେତ୍ସାହନ ସହ ଯୁବପିଢ଼ିଙ୍କୁ ଏହି ଅନନ୍ୟ କଳା ଶିକ୍ଷାଦାନ ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ। ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ ବୁଣାକାରଙ୍କ ପାଇଁ କରଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ‘ବୟନିକା’ର ପରିଚାଳନା ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ‘ଉତ୍କଳିକା’ର ପରିଚାଳନା ନିର୍ଦ୍ଦେଶିକ କଲ୍ୟାଣୀ ପଟ୍ଟନାୟକ, ଅତିରିକ୍ତ ନିର୍ଦ୍ଦେଶକ (ରେଶମ ଚାଷ) ସୂର୍ଯ୍ୟନାରାୟଣ ପଟ୍ଟନାୟକ ଓ ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ଅଧିକାରୀ ଇନ୍ଦିରା ବେହେରା ଉପସ୍ଥିତ ଥିଲେ। ବୟନ ଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶୋଭନ୍ କୃଷ୍ଣ ସାହୁ ସ୍ୱାଗତ ଭାଷଣ ଦେଇଥିଲେ।
ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବୁଣାକାର ସୁରେଶ କୁମାର ରାଉତ, ମୟୂରଭଞ୍ଜ ଜିଲ୍ଲାର ଶମ୍ଭୁନାଥ ସେନାପତି, କୋରାପୁଟ ଜିଲ୍ଲାର ଭାଗବତୀ ସିସା ଓ କଳାହାଣ୍ଡି ଜିଲ୍ଲାର ଜଳନ୍ଧର ମେହେରଙ୍କୁ ସମ୍ମାନିତ କରାଯାଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ବୟନ ଶିଳ୍ପ ଓ ହସ୍ତତନ୍ତ ଯୁଗ୍ମ ନିର୍ଦ୍ଦେଶକ ଦେବଜିତ୍ ନନ୍ଦୀ ଧନ୍ୟବାଦ ଦେଇଥିଲେ।
Follow Us