୧୦ ଦଫା ଦାବି ନେଇ ଗର୍ଜିଲା ଓଡ଼ିଶା ଚାଳକ ମହାସଂଘ: ମାଡ଼ି ଆସିଲେ ହଜାର ହଜାର ଡ୍ରାଇଭର, ଜନପଥ ୫ ଘଣ୍ଟା ଜାମ୍; ପୁଲିସ ନାକେଦମ୍‌

Advertisment
୧୦ ଦଫା ଦାବି ନେଇ ଗର୍ଜିଲା ଓଡ଼ିଶା ଚାଳକ ମହାସଂଘ: ମାଡ଼ି ଆସିଲେ ହଜାର ହଜାର ଡ୍ରାଇଭର, ଜନପଥ ୫ ଘଣ୍ଟା ଜାମ୍; ପୁଲିସ ନାକେଦମ୍‌

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ହଟିଲେ
୧୬ରେ ହେବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : କୌଣସି ପୂର୍ବ ସୂଚନା ନଥାଇ ହଠାତ୍ ଶୋଭାଯାତ୍ରା କରି ରାଜଧାନୀର ରାଜରାସ୍ତାକୁ ମାଡ଼ି ଆସିଲେ ହଜାର ହଜାର ଡ୍ରାଇଭର। ରସୁଲଗଡ଼ରୁ ଆରମ୍ଭ ହୋଇ ଶୋଭାଯାତ୍ରା ଯେତେଯେତେ ଆଗକୁ ଆଗଉଥିଲା, ସେତେସେତେ ଉଗ୍ର ହେବାକୁ ଲାଗିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଦାବି ଜଣାଇବାକୁ ଗର୍ଜନତର୍ଜନ କରି ସେମାନେ ନବୀନ ନିବାସ ଅଭିମୁଖେ ମାଡ଼ି ଚାଲିଥିଲେ। ସେମାନଙ୍କ ସ୍ଳୋଗାନରେ ଫାଟି ପଡ଼ୁଥିଲା ରାସ୍ତାଘାଟ। ‌ଶୋଭାଯାତ୍ରା ଯୋଗୁଁ ୫ ଘଣ୍ଟା ପାଇଁ ରାଜଧାନୀର ପ୍ରମୁଖ ରାସ୍ତା ଜନପଥ ଏକପ୍ରକାର ଅଚଳ ହୋଇପଡ଼ିଥିଲା। ହାତରେ ଠେଙ୍ଗା ଧରି ଆସିଥିବା ଚାଳକମାନଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ସେମାନଙ୍କ ସହ ଆଲୋଚନା କରିଥି‌ଲେ। ଆଉ ସେମାନଙ୍କ ଦାବି ଉପରେ ବିଚାର କରିବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରୁ ଓହରି ଯାଇଥିଲେ।

publive-image

ଶୁକ୍ରବ‌ାର ପୂର୍ବାହ୍ନରେ ରାଜଧାନୀରେ ଏମିତି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତ ୨୧ ତାରିଖରୁ ସମ୍ବଲପୁରରୁ ଓଡ଼ିଶା ଗାଡ଼ିଚାଳକ ସଂଘର ଏକ ୬ଜଣିଆ ଦଳ ପଦଯାତ୍ରାରେ ବାହାରିଥିଲା। ସେମାନେ ଆଜି ରାଜଧାନୀରେ ପହଞ୍ଚିବା ବେଳକୁ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ହଜାର ହଜାର ଚାଳକ ପଳାସୁଣି ନିକଟରେ ସେମାନଙ୍କୁ ସ୍ବାଗତ କରିଥିଲେ। ୧୦ ଦଫା ଦାବି ନେଇ, ହାତରେ ପ୍ଲାକାର୍ଡ ଧରି ଏବଂ ବିଭିନ୍ନ ନାରାବାଜି କରି ସେମାନେ ନବୀନ ନିବାସ ମୁହାଁ ହୋଇଥିଲେ। ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ୫ ଘଣ୍ଟା ଧରି ସେମାନେ ରସୁଲଗଡ଼ ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ରାଜରାସ୍ତାକୁ କବ୍‌ଜା କରି ନେଇଥିଲେ। ଅଚାନକ ଏତେ ସଂଖ୍ୟାରେ ବିକ୍ଷୋଭକାରୀଙ୍କୁ ଦେଖି ପୁଲିସର ମଧ୍ୟ ଅକଲ୍ ଗୁଡ଼ୁମ୍ ହୋଇ ଯାଇଥିଲା। ତେବେ ସେମାନେ ମାଷ୍ଟରକ୍ୟାଣ୍ଟିନ୍‌ରେ ପହଞ୍ଚିବା ପରେ ସେଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ତେଣୁ ଆଗକୁ ବଢ଼ି ନ ପାରି ସେଠାରେ ସେମାନ‌େ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସି ପ୍ରତିବାଦ କରିଥିଲେ। ତେଣୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଜନପଥରେ ଯାତାୟତ ଠପ୍‌ ହୋଇଯାଇଥିଲା।

publive-image

ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଅଭିଯୋଗ ଅନୁସାରେ କରୋନା ସଂକଟ କାଳରେ ସମସ୍ତଙ୍କୁ ଘରେ ରହିବାକୁ ସରକାର ନିର୍ଦେଶ ଦେଇଥିଲେ। କିନ୍ତୁ ସେମାନେ ଜୀବନକୁ ବାଜି ଲଗେଇ ରୋଗୀଙ୍କୁ ହସ୍ପିଟାଲ ପର୍ଯ୍ୟନ୍ତ ବୋହିନେଲେ, ଅକ୍ସିଜେନ୍‌ ବୋହିଲେ, ଖାଦ୍ୟ ସାମଗ୍ରୀ ପରିବହନ କଲେ। ମାତ୍ର ସରକାର ସେମାନଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ଦେଲେ ନାହିଁ। ଏହାଛଡ଼ା ଦୈନନ୍ଦିନ ଜୀବନରେ ପିଲାଙ୍କୁ ସ୍କୁଲ୍‌ନେବା ଠାରୁ ଆରମ୍ଭ କରି ଯାତାୟତ, ମାଲ୍‌ ପରିବହନ କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇଦେବା କାମ‌ରେ ଜଣେ ଗାଡ଼ିଚାଳକର ଭୂମିକା ଗୁରୁତ୍ବପୂର୍ଣ୍ଣ। ସଡ଼କରେ ପ୍ରତି ମୁହୂର୍ତ୍ତରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ହେଲେ ସରକାର ସେମାନଙ୍କୁ ଭୁଲି ଯାଉଛନ୍ତି। ସୁରକ୍ଷା ଦେବା ତ ଦୂରର କଥା ସେମାନଙ୍କୁ ମୌଳିକ ସୁଯୋଗ ସୁବିଧା ଦେଉନାହାନ୍ତି। ତେଣୁ ୧୦ ଦଫା ଦାବି ନେଇ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଏହି ରୢାଲି ଆୟୋଜନ କରାଯାଇଥିଲା ବୋଲି ମେଣ୍ଡୁଲି କହିଥିଲେ। ଚାଳକମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ବତନ୍ତ୍ର ଆଇନ ଆଣିବା, ରାସ୍ତାରେ ଗାଡ଼ି ପାର୍କିଂ ଓ ଚାଳକଙ୍କ ବିଶ୍ରାମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା, ଚାକିରି ପରେ ପେନ୍‌ସନ୍‌ ପ୍ରଦାନ ପାଇଁ ବ୍ୟବସ୍ଥା କରିବା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଚାଳକଙ୍କ ପାଇଁ ୨୦ଲକ୍ଷ ଟଙ୍କାର ବୀମା, ଅର୍କମଣ୍ୟ ଚାଳକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ସୁବିଧା କରାଇବା, ଆହତଙ୍କ ଚିକିତ୍ସା ପାଇଁ ୫ ଲକ୍ଷର ବୀମା ପ୍ରଦାନ କରିବା, ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ସେମାନଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତା ଯୋଗାଇବା ଆଦି ୧୦ ଦଫା ଦାବି ପୂରଣ ଲାଗି ଚାଳକ ସଂଘ ଏହି ଶୋଭାଯାତ୍ରାର ଆୟୋଜନ କରିଥିଲା।

ତେବେ ପରିସ୍ଥିତି ବିଗିଡ଼ିବା ପୂର୍ବରୁ ସଂଘର ସଭାପତି ଶ୍ରୀ ମୁଣ୍ଡେଲିଙ୍କ ସମେତ ଉପସଭାପତି ସୁମନ ଅଲଟିଆ, ସମ୍ପାଦକ‌ ଚୈତନ୍ୟ ପ୍ରଧାନ, ସହସମ୍ପାଦକ ଘନଶ୍ୟାମ ବେହେରା, କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କୁ ନେଇ ଏକ ୬ଜଣିଆ ପ୍ରତିନିଧି ମଣ୍ଡଳୀକୁ ନବୀନ ନିବାସକୁ ନିଆଯାଇଥିଲା। ସେଠାରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ସୁବାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ଚାଳକ ସଂଘ ପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏନେଇ ୧୬ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯିବ ଏବଂ ଚାଳକ ସଂଘର ଦାବିଗୁଡ଼ିକ ଉପରେ ପଦକ୍ଷେପ ନିଆଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe