The Hans India
ଭୁବନେଶ୍ୱର : ବହୁଚର୍ଚ୍ଚିତ ସାରୁଅ ଜମି ଦୁର୍ନୀତି ମାମଲାରେ ମୁହଁ ଖୋଲିଛନ୍ତି ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ (ଓଆଇପିଏଲ୍) ଏବଂ ଓରଟେଲ୍ର ପୂର୍ବତନ ଡ୍ରାଇଭର ରବି ସେଠୀ। ପ୍ରଥମଥର ପାଇଁ ରବି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ତାଙ୍କ କହିବା ଅନୁସାରେ, ଅତି କମ୍ ଦରମାରେ ସେ କମ୍ପାନିରେ କାମ କରୁଥିଲେ। କେବଳ ଖୋର୍ଧା ସାରୁଅ ନୁହେଁ, ପୁରୀ ଜିଲ୍ଲା ଅସ୍ତରଙ୍ଗରେ ମଧ୍ୟ ଓଡ଼ିଶା ଇନ୍ଫ୍ରାଟେକ୍ ତାଙ୍କ ନାଁରେ ୧୦ ଏକରରୁ ଊର୍ଦ୍ଧ୍ବ ଜମି କିଣିଥିବା ସେ କହିଛନ୍ତି। ଚଞ୍ଚକତା କରି ଏହି ଜମି କିଣାଯାଇଥିବା ସେ କହିଛନ୍ତି। ତାଙ୍କ ନାଁରେ ଓଡ଼ିଶାରେ ଆଉ କେଉଁଠି ଜମି କିଣାଯାଇଛି ସେ ଜାଣି ନାହାନ୍ତି।
ରବି ସେଠୀଙ୍କ କହିବା ଅନୁସାରେ, ୨୦୧୦ ମସିହାରେ କମ୍ପାନି କର୍ତ୍ତୃପକ୍ଷ ଅନେକ ସାଦା କାଗଜରେ ତାଙ୍କଠାରୁ ସାରୁଅ ଜମି ପାଇଁ ଦସ୍ତଖତ ନେଇଥିଲେ। ଏହି ଦସ୍ତଖତ କ’ଣ ପାଇଁ ନିଆ ଯାଉଥିବା ସେ ପ୍ରଶ୍ନ କରିବାରୁ, ଅନୁସୂଚିତ ଜମି ହୋଇଥିବାରୁ ତାଙ୍କ ନାଁରେ କିଣାଯିବା ପାଇଁ ଏପରି କରାଯାଉଥିବା କମ୍ପାନି କର୍ତ୍ତୃପକ୍ଷ କହିଥିଲେ। ଦସ୍ତଖତ ନ କଲେ, ଚାକିରି ପଳାଇବ ବୋଲି ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା। ସ୍ବଳ୍ପ ରୋଜଗାରରେ ପରିବାର ଚଳାଉଥିବାରୁ ସେ ଦସ୍ତଖତ କରି ଦେଇଥିବା କହିଛନ୍ତି। ସାରୁଅ ଜମି କିଣା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ବୋଲି କହିଛନ୍ତି ରବି। ସୂଚନାଯୋଗ୍ୟ, ସାରୁଅ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଓଆଇପିଏଲର ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଥିଲା।
Follow Us