ଓଡ଼ିଶା ମାଟିରେ ଭରି ରହିଛି ଆଧ୍ୟାତ୍ମିକତା: ରାଜ୍ୟପାଳ

୪୩ତମ ବୈଶାଖୀ ମହୋତ୍ସବ

ଓଡ଼ିଶା ମାଟିରେ ଭରି ରହିଛି ଆଧ୍ୟାତ୍ମିକତା: ରାଜ୍ୟପାଳ

ଭୁବନେଶ୍ବର: ‘ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସାରା ବିଶ୍ବ ଦରବାରରେ ପରିଚିତ। ଓଡ଼ିଶା ମାଟିରେ ଭରି ରହିଛି ଆଧ୍ୟାତ୍ମିକତା। ତେଣୁ ଏହି ମାଟିର ସ୍ପର୍ଶ ପାଇଁ ସମଗ୍ର ବିଶ୍ବରୁ ଲୋକେ ଏଠାକୁ ଆସିଥାଆନ୍ତି। ଏଠାରେ ବଞ୍ଚିବାରେ ଆନନ୍ଦ ରହିଛି।’ ସାଂସ୍କୃତିକ ଅନୁଷ୍ଠାନ ‘ଚିନ୍ତା ଓ ଚେତନା’ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ୪୩ତମ ବୈଶାଖୀ ମହୋତ୍ସବ ଏବଂ ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏପରି କହିଛନ୍ତି।

ଏହି ଅବସରରେ ସେ ଆହୁରି କହିଛନ୍ତି ଯେ ଆମେମାନେ ଆତ୍ମାରୁ ଆସିଛନ୍ତି ଏବଂ ସେହି ଆତ୍ମାରେ ବଞ୍ଚିଛନ୍ତି। ଈଶ୍ବରଙ୍କ ଅବଦାନ ଯୋଗୁଁ ଏହା ସମ୍ଭବ ହୋଇଛି। ଓଡ଼ିଶା ସଂସ୍କୃତିସମ୍ପନ୍ନ ରାଜ୍ୟ ହୋଇଥିବାରୁ ଏହାର ସାଂସ୍କୃତିକ ମହୋତ୍ସବ, ପର୍ବପର୍ବାଣୀ ବେଶ୍ ସମୃଦ୍ଧ। ଉତ୍କଳର ରାଜ୍ୟପାଳ ହୋଇ ସେବା କରିବାର ସୁଯୋଗ ପାଇଥିବାରୁ ଗର୍ବିତ ବୋଲି ସେ କହିଥିଲେ।

ପୂର୍ବାହ୍ନରେ ଜୟଦେବ ଭବନ ପରିସରରେ କିଛି ସମୟ ପାଇଁ ରଥଯାତ୍ରାର ଭ୍ରମ ସୃଷ୍ଟି ହୋଇଥିଲା। ଅଗୁର, କର୍ପୁର, ଧୂପଦୀପର ମହମହ ବାସ୍ନାରେ ମହକି ଉଠିଥିଲା ସମଗ୍ର ପରିବେଶ। ଘଣ୍ଟ ଘଣ୍ଟା, ଯୋଡ଼ା ଶଙ୍ଗନାଦ, ଓଡ଼ିଶୀ, ଗୋଟିପୁଅ, ଶାରଳା ଘଟନାଚ ଓ ସମ୍ବଲପୁରୀ ନୃତ୍ୟରେ ପ୍ରକମ୍ପିତ ହୋଇଥିଲା ପ୍ରେକ୍ଷ‌ାଳୟ। ଜଗନ୍ନାଥଙ୍କ ମୁଣ୍ଡରେ ଟାହିଆ ଲଗାଇ ଝୁଲାଇ ଝୁଲାଇ ମଞ୍ଚକୁ ପାଛୋଟି ଆଣିବାର ଦୃଶ୍ୟ ଥିଲା ମନୋରମ। ପହଣ୍ଡି ଭଳି ଦୃଶ୍ୟ ଥିଲା। କାର୍ଯ୍ୟକ୍ରମର ପ୍ରଥମ ଅର୍ଘ୍ୟରେ ସୃଜନ ଅନୁଷ୍ଠାନର କଳାକାରମାନେ ଗୋଟିପୁଅ ନୃତ୍ୟରେ ‘ମାଧବ ଭଜନ’ ପରିବେଷଣ କରିଥିଲେ। ଏହାପରେ ଶାରଳା ଘଟନାଚ ବେଶ୍ ଆକର୍ଷଣୀୟ ହୋଇଥିଲା। ଶେଷରେ ପଶ୍ଚିମ ଓଡ଼ିଶା କଳାକାରଙ୍କ ଦ୍ବାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ‘ଝୁଟ୍ କୁ ଝୁଟା’ ଦର୍ଶକଙ୍କ ମନ କିଣିନେଇଥିଲା।

ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କୁ ଚିନ୍ତା ଓ ଚେତନା ଜାତୀୟ ନୀଳଚକ୍ର ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା। ସେହିଭଳି ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ୧୫ଜଣଙ୍କୁ ଚିନ୍ତା ଓ ଚେତନା ଜାତୀୟ ସମ୍ମାନ ପୁରସ୍କାର ଦିଆଯାଇଥିବା ବେଳେ ୧୧ ଜଣଙ୍କୁ ଚିନ୍ତା ଓ ଚେତନା ବୈଶାଖୀ ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଭାପତି ସହଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ବିଧାୟକ ଶଶୀଭୂଷଣ ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ମହାସଚିବ ସୁରେନ୍ଦ୍ର ଦାସ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe