representetional immage - Peoples Democracy
ଭୁବନେଶ୍ୱର: ବଦଳିବାରେ ଲାଗିଛି ପାଣିପାଗ। ଏହାଦ୍ବରା ଉପକୂଳ ଓଡ଼ିଶା ଅଧିକ ପ୍ରଭାବିତ ହେଉଛି। ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ କାରଣରୁ ବିଗତ ୧୨ବର୍ଷ ମଧ୍ୟରେ ଓଡ଼ିଶା ୧୬ଟି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛି ବୋଲି ଆଜି ହୋଟେଲ ମେ’ଫେୟାରଠାରେ ‘ରିଜିଓନାଲ ସେଣ୍ଟର ଫର ଡେଭଲପ୍ମେଣ୍ଟ କୋପରେସନ (ଆର୍ସିଡିସି)’ ଓ ‘କେୟାର ଇଣ୍ଡିଆ’ର ମିଳିତ ପ୍ରୟାସରେ ଆୟୋଜିତ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି। ଆଲୋଚକମାନେ ଉପକୂଳ ଓଡ଼ିଶାର ବେଶୀ ମୃତ୍ତିକା କ୍ଷୟ ହେଉଥିବା ଅଞ୍ଚଳରେ ହେନ୍ତାଳ ବନ ସୃଷ୍ଟି, ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ଭିତ୍ତିଭୂମି ସଂରଚନା, ବିପର୍ଯ୍ୟୟ ପରିଚାଳନା ପାଇଁ ଲୋକଙ୍କୁ ପ୍ରସ୍ତୁତି ଓ ଜୀବିକାର୍ଜନରେ ସ୍ଥାନୀୟ ଜନସାଧାରଣଙ୍କୁ ସହାୟତା କରିବା ଆବଶ୍ୟକ ବୋଲି ମତ ପ୍ରଦାନ କରିଥିଲେ।
ଗତ ୧୨ବର୍ଷରେ ହୋଇଛି ୧୬ଟି ପ୍ରାକୃତିକ ବିପର୍ଯ୍ୟୟ
ସମୁଦ୍ର ମାଡ଼ି ଆସିବାରୁ ଭିଟାମାଟି ଛାଡ଼ିଲେଣି ୧୬ଗାଁ
ଏଥିରେ ଆର୍ସିଡିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ଦାଶ ସାମୁଦ୍ରିକ ଜୁଆର ବୃଦ୍ଧି କାରଣରୁ ରାଜ୍ୟରେ ବାସଚ୍ୟୁତ ହେଉଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ ହେବା ଦିଗରେ ପରାମର୍ଶ ଦେଇଥିଲେ। ଉପସ୍ଥିତ ଅତିଥି ଓ ଆଲୋଚକମାନେ ୪୮୦ କିଲୋମିଟର ପରିବ୍ୟାପ୍ତ ଉପକୂଳ ଓଡ଼ିଶାରେ ୬ଟି ଉପକୂଳ ଜିଲ୍ଲାର ୨୬୭ କିଲୋମିଟର ଅଞ୍ଚଳ ମୃତ୍ତିକା କ୍ଷୟ ହୋଇଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ ଓ ବିପର୍ଯ୍ୟୟ ଘଟିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପୂର୍ବରୁ ମୁକାବିଲା ସାମର୍ଥ୍ୟର ବିକାଶ ଦିଗରେ ନାଗରିକ ସମାଜ ଆଗକୁ ଆସିବା ଉଚିତ ବୋଲି ଗୁରୁତ୍ୱାରୋପ କରିଥିଲେ।ଟାଟା ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ ଅମ୍ବିକା ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ଏହି ଆଲୋଚନାଚକ୍ରରେ କେୟାର ୟୁଏସ୍ଏର ଭାଇସ୍ ପ୍ରେସିଡେଣ୍ଟ ଦୀପମାଳା ମାହାଲା, ୟୁନିସେଫ୍ର ବିପଦ ମୁକାବିଲା ବିଶେଷଜ୍ଞ ଓଁକାର ଓନେଲ ଖାରେ, ୟୁଏନ୍ଡିପିର ରାଜ୍ୟ ମୁଖ୍ୟ ଆଭା ମିଶ୍ର, ଓଡ଼ିଶା ପରିବେଶ କଂଗ୍ରେସର ସମ୍ପାଦକ ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ, ଉତ୍କଳ ବିଶ୍ୱବିଦ୍ୟାଳୟ ଭୂଗୋଳ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର କବୀର ମୋହନ ସେଠୀ, ବିଶେଷଜ୍ଞ ମହେଶ ମିଶ୍ର ଓ ଆର୍ସିଡିସି.ୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ଦାଶ ଓ ସୁରେଶ ଚନ୍ଦ୍ର ବିଷୋୟୀ ପ୍ରମୁଖ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ, ଆହ୍ୱାନ ଓ କାର୍ଯ୍ୟପନ୍ଥା ବାବଦରେ ଆଲୋକପାତ କରିଥିଲେ ।
Follow Us