ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରେଳ ସଦନ ଘେରାଉ

ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ, ମୃତକଙ୍କୁ ୫୦ଲକ୍ଷ, ମୃତକ ଓ ଅକ୍ଷମଙ୍କ ପରିବାରରୁ ଜଣକୁ ଚାକିରି

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରେଳ ସଦନ ଘେରାଉ

ଭୁବନେଶ୍ବର : ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବୁଧବାର ଦିନ ଭୁବନେଶ୍ବରସ୍ଥିତ ରେଳ ସଦନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସର କର୍ମକର୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଛାତ୍ର କଂଗ୍ରେସର କର୍ମକର୍ତାମାନେ ରେଳ ସଦନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା।

ଛାତ୍ର କଂଗ୍ରେସ ୨ଟି ଦାବି କରିଥିଲା। ତାହା ହେଲା- ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ମୃତକ ଓ ଅକ୍ଷମ ହୋଇଥିବା ପରିବାରର ଜଣକୁ ସରକାରୀ ଚାକିରି ପ୍ରଦାନ କରାଯାଉ। ବିକ୍ଷୋଭକାରୀ କହିଥିଲେ ଯେ ବାହାନଗା ରେଳ ଦୁର୍ଘଟଣା ପାଇଁ ରେଳ ମନ୍ତ୍ରୀ ଦାୟୀ। କାରଣ ମୋଦୀ ସରକାରଙ୍କ ୯ବର୍ଷର ଶାସନରେ ରେଳ ବିଭାଗ ସଂପୂର୍ଣ୍ଣ ଉପେକ୍ଷିତ। ‌ରେଳବାଇର ବିକାଶ କରାଯାଉଛି ବୋଲି ଯେଉଁ ଚର୍ଚ୍ଚା କରାଯାଉଛି ଏଥିରେ ସତ୍ୟତା ନାହିଁ। ରେଳବାଇରେ ମରାମତି, ନବୀକରଣ, ରକ୍ଷଣାବେକ୍ଷଣ, ସୁରକ୍ଷା, ଆଧୁନିକୀକରଣ ଓ କର୍ମଚାରୀ ଅଭାବ ପାଇଁ ବାରମ୍ବାର ରେଳ ଦୁର୍ଘଟଣା ହେଉଛି। ରେଳବାଇରୁ ବ୍ୟାପକ ଅର୍ଥ ଆୟ ହେଉଥିବା ବେଳେ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପ୍ରତି ସରକାରଙ୍କ ନିଘା ନାହିଁ। ବାହାନଗା ‌ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଲୁଚା ଯାଉଥିବା ଅଭିଯୋଗ ହେଉଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ଦେବା ପାଇଁ ଏହି ଷଡ଼ଯନ୍ତ୍ର କରାଯାଉଛି। ରେଳବାଇ ସଂସଦୀୟ କମିଟିର ସୁପାରିସ ଅନୁସାରେ ସମସ୍ତ ରେଳ ଟ୍ରାକ୍‌ଗୁଡ଼ିକ ପୁନଃ ନବୀକରଣ ଓ ଦୁର୍ଘଟଣା ନିରୋଧୀ ଯନ୍ତ୍ରାଂଶର ଉପଯୋଗିତା ଉପରେ ନିର୍ଦେଶ ଦିଆଯାଇଥିଲା। ମାତ୍ର ଦେଶର ମାତ୍ର ୨ ପ୍ରତିଶତ ରେଳ ଲାଇନ୍‌ରେ ଦୁର୍ଘଟଣା ନିରୋଧୀ ଯନ୍ତ୍ର ଲଗାଯାଇଛି।

ରେଳବାଇ ଓଡ଼ିଶାରୁ ମାଲ୍‌ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ୨୦ହଜାର କୋଟି ଟଙ୍କା ବାର୍ଷିକ ଆୟ କରୁଥିବା ବେଳେ ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ବ ଦିଆଯାଉନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ରେଳବାଇର ନବୀକରଣ ଓ ଯାତ୍ରୀଙ୍କ ସୁରକ୍ଷାକୁ ଉପେକ୍ଷା କରି ରେଳବାଇର ଘରୋଇକରଣ ପ୍ରତି ଧ୍ୟାନ ଦେଉଛନ୍ତି। ସିବିଆଇ କେନ୍ଦ୍ର ସରକାରଙ୍କ ହାତବାରିସୀ ସାଜିଥିବା ବେଳେ କେବଳ ଜନସାଧାରଣଙ୍କୁ ଭୁଆଁ ବୁଲାଇବା ପାଇଁ ସିବିଆଇ ତଦନ୍ତ କରାଯାଉଛି। ଅପରପକ୍ଷରେ ଦୁର୍ଘଟଣାରେ ଆହତଙ୍କୁ ଦିଆଯାଉଥିବା ଚିକିତ୍ସା ଅତ୍ୟନ୍ତ ନିମ୍ନମାନର। ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅଭାବ ପାଇଁ ରୋଗୀମାନେ ଡାକ୍ତରଖାନାରେ ଛଟପଟ ହେଉଛନ୍ତି। ତେଣୁ ଏ ରେଳ ଦୁର୍ଘଟଣା ପାଇଁ ରେଳ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିବା ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ଅନୁଲେଖା ବୋଷା, ବିଶ୍ବଜିତ ଦାଶ, ପ୍ରକାଶ ମିଶ୍ର, ମନୋଜ ବିଶ୍ବାଳ, ରଣଜିତ ପାତ୍ର, ସୁବ୍ରତ ମହାପାତ୍ର, ସ୍ବାଗତ କର, ବିଶ୍ବଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ଶ୍ରୀ ମହାନ୍ତି, ଲିପିକା ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe