ଭୁବନେଶ୍ୱର: ଟେରାକୋଟା କୃତି ପ୍ରସ୍ତୁତିରେ ବିଶ୍ଵ ରେକର୍ଡ଼ କରିଛି ଓଡ଼ିଶା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ‘ଭବ୍ୟ ଟେରାକୋଟା କୃତି ପ୍ରସ୍ତୁତି’ ପ୍ରତିଯୋଗିତାରେ ଦୁଇଟି ନୂଆ କୀର୍ତ୍ତିମାନ ‘ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍’ ଲିପିବଦ୍ଧ ହୋଇଛି। ଏକକାଳୀନ ୧୦୦୦ ମୃତ୍ତିକା ଶିଳ୍ପୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସର୍ବାଧିକ ପ୍ରତିଯୋଗୀ ବର୍ଗରେ ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି। ସେହିପରି ପୂର୍ବ ରେକର୍ଡ଼କୁ ଭାଙ୍ଗି ୭ ଜଣ ମୃତ୍ତିକା କାରିଗର ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି। ବରଗଡ଼ର ଟେରାକୋଟା ହସ୍ତଶିଳ୍ପୀ ସେବକ ରଣା ଏକ ଘଣ୍ଟା ମଧ୍ୟରେ ୩୧୦ଟି ଗ୍ଳାସ୍ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ନୟାଗଡ଼ର ମାଧବ ମୁଦୁଲି, ବଲାଙ୍ଗୀରର ଥାନ ସୁନ୍ଦର ରଣା, ବାଲେଶ୍ୱରର ରମେଶ ଚନ୍ଦ୍ର ମୁଦୁଲି, ଅନୁଗୁଳର ବିଜୟ ବେହେରା, ବଲାଙ୍ଗୀରର ବସନ୍ତ ରଣା, କେନ୍ଦ୍ରାପଡ଼ାର ମକର କେତନ ସାହୁ ଯଥାକ୍ରମେ ୨୪୮, ୨୩୨, ୨୩୦, ୨୨୭, ୨୧୯ ଓ ୨୧୮ ଟି ମାଟି ପାତ୍ର ପ୍ରସ୍ତୁତ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଆମେରିକାର ମାଇକେଲ୍ ୱେବର୍ ଏକ ଘଣ୍ଟା ସମୟ ମଧ୍ୟରେ ୨୧୨ଟି ମାଟି ପାତ୍ର ପ୍ରସ୍ତୁତ କରି ‘ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍”ରେ ସ୍ଥାନ ପାଇଥିଲେ। ଓଡ଼ିଶାର ୭ ଜଣ ଟେରାକୋଟା ହସ୍ତଶିଳ୍ପୀ ଆଜି ଏହି ରେକର୍ଡ଼କୁ ଭାଙ୍ଗିଛନ୍ତି। ସ୍ଥାନୀୟ କଳାଭୂମିଠାରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକଭାବେ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଉଦ୍ଘାଟନ କରି କହିଥିଲେ, ‘ଟେରାକୋଟା ଏବଂ କୁମ୍ଭାର ଶିଳ୍ପ’ ଆମ ସମୃଦ୍ଧ ହସ୍ତଶିଳ୍ପର ପରିଚୟ। ଟେରାକୋଟା ଶିଳ୍ପୀମାନେ ଆମ ଐତିହ୍ୟର ବାର୍ତ୍ତାବହ। ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ଟେରାକୋଟା ଶିଳ୍ପୀମାନଙ୍କ ପାଇଁ ଆଜି ଆମେ ଗର୍ବିତ। ପ୍ରତିଯୋଗିତା ପରେ ରେକର୍ଡ଼ ସୃଷ୍ଟି କରିଥିବା ଟେରାକୋଟା ହସ୍ତଶିଳ୍ପୀମାନଙ୍କୁ ମାନନୀୟ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।
/filters:format(webp)/sambad/media/media_files/2026/02/24/whatsapp-image-2026-02-24-21-15-38.jpeg)
ଭୋକାଲ ଫର ଲୋକାଲ ମାଧ୍ୟମରେ ସ୍ଵଦେଶୀ ହସ୍ତଶିଳ୍ପ ଓ ଟେରାକୋଟା ହସ୍ତଶିଳ୍ପର ପ୍ରଚାର ପ୍ରସାର ପାଇଁ ନିଆଯାଉଆଥିବା ପଦକ୍ଷେପ ସମ୍ପର୍କରେ ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ୬୪ଟି ହସ୍ତଶିଳ୍ପ ମଧ୍ୟରୁ “ଟେରାକୋଟା ଏବଂ କୁମ୍ଭାର ଶିଳ୍ପ” ହେଉଛି ଅତ୍ୟନ୍ତ ପୁରାତନ ହସ୍ତଶିଳ୍ପ। ଏହି ହସ୍ତଶିଳ୍ପ ମାଧ୍ୟମରେ ରାଜ୍ୟରେ ୩୬ ହଜାରରୁ ଅଧିକ କାରିଗର ଜୀବିକା ନିର୍ବାହ କରୁଛନ୍ତି। ରାଜ୍ୟରେ ୪୦ ରୁ ଅଧିକ ଟେରାକୋଟା ହସ୍ତଶିଳ୍ପ ପୁଞ୍ଜ ରହିଛି।
ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶିକା ଡକ୍ଟର ନିବେଦିତା ପୁଷ୍ଟି, ପଦ୍ମଶ୍ରୀ ବିନୋଦ ମହାରଣା, ଜାତୀୟ ପୁରସ୍କାର ପ୍ରାପ୍ତ ଟେରାକୋଟା କାରିଗର ମନବୋଧ ରଣା ଓ ମୁକୁନ୍ଦ ରଣା, ସିଡାକର ସଦସ୍ୟ ସଚିବ ଚିନ୍ମୟୀ ବିଶ୍ୱାଳ, ‘ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍’ର ଉପସଭାପତି ରାଜୀବ ଶ୍ରୀବାସ୍ତବ ଓ ନିର୍ଦ୍ଦେଶକ ରାଜେଶ ଶୁକ୍ଲା, ଯୁଗ୍ମ ସଚିବ ମମତା ନାୟକ, ଉପ-ନିର୍ଦ୍ଦେଶକ ମାନଗୋବିନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Follow Us