ନଦୀର ଅଧିକାର ନଦୀକୁ ଦିଆଯାଉ; ଓଡ଼ିଶା ପରିବେଶ କଂଗ୍ରେସ ଉଦ୍‌ଯାପିତ

Advertisment
ନଦୀର ଅଧିକାର ନଦୀକୁ ଦିଆଯାଉ; ଓଡ଼ିଶା ପରିବେଶ କଂଗ୍ରେସ ଉଦ୍‌ଯାପିତ

ଭୁବନେଶ୍ୱର: ନଦୀ ଉପରେ କେବଳ ନଦୀର ଅଧିକାର ରହିଛି। ତାହାକୁ ରୋକିବା କଥା ନୁହେଁ। ସଂଘୀୟ ବ୍ୟବସ୍ଥା ଭିତରେ ନଦୀ ଜଳ ବଣ୍ଟନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ସଂଘୀୟ ବ୍ୟବସ୍ଥା ପ୍ରତି ଅଶୁଭ ସଙ୍କେତ ବୋଲି ଓଡ଼ିଶା ପରିବେଶ କଂଗ୍ରେସର ଉଦ୍‌ଯାପନୀ ଅଧିବେଶନରେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଗୋପାଳ ଗୌଡ଼ା କହିଛନ୍ତି। ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ ତିନି ଦିନ ଧରି ଚାଲିଥିବା ଏହି ସମ୍ମିଳନୀର ଉଦ୍‌ଯାପନୀ ଅଧିବେଶନରେ ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆ, ଡ. ସେବା ମହାପାତ୍ର, ଇଂ. ଆଶୁତୋଷ ଦାସ, ଡ. ବାବୁ ଅମ୍ବାତ, ଧୀରେନ୍‌ କୁମାର ରାୟ ଉପସ୍ଥିତ ଥିଲେ। ପରିବେଶବିତ୍‌ ପ୍ରଫେସର ରାଧାମୋହନ ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ପରିବେଶ କଂଗ୍ରେସ ସମ୍ପାଦକ ସୁଦର୍ଶନ ଦାଶ ସମ୍ମିଳନୀର ନିର୍ଯାସ ଉପସ୍ଥାପନ କରିଥିଲେ।

‘ଓଡ଼ିଶାର ନଦୀ ଓ ରାଜନୈତିକ ଦଳଙ୍କ ଭୂମିକା’ ଶୀର୍ଷକ ଏକ ଅଧିବେଶନରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ମହାନଦୀ ଜଳ ଉପରେ ଓଡ଼ିଶାର ଅଧିକାର ନେଇ ଏବେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ୧୫ ବର୍ଷ ତଳେ କେହି ବି ମୁହଁ ଖୋଲୁ ନ ଥିଲେ। ଜଳ ବିବାଦର ସମାଧାନ ଲାଗି ଟ୍ରିବୁନାଲ ଗଠନ ନେଇ କେନ୍ଦ୍ର ସରକାର ମଧ୍ୟ କେତେବେଳେ ହଁ ତ ଆଉ କେତେବେଳେ ନାଁ କରୁଛନ୍ତି। କିଛି ସ୍ପଷ୍ଟ କରୁନାହାନ୍ତି। ଏଭଳି ସ୍ଥିତିରେ ଯଦି ମହାନଦୀର ଉପରମୁଣ୍ଡ ଏବଂ ତଳମୁଣ୍ଡରେ ପ୍ରବଳ ବର୍ଷା ହେବ ତେବେ ଓଡ଼ିଶାର ସ୍ଥିତି ଭୟଙ୍କର ହୋଇଯିବ। ଏହାର ସ୍ଥାୟୀ ସମାଧାନ କରିବା ଦିଗରେ ସମସ୍ତେ ସ୍ୱର ଉଠାଇବାକୁ ସେ ଆହ୍ଵାନ ଦେଇଥିଲେ। ସିପିଆଇ ରାଜ୍ୟ ସମ୍ପାଦକ ଦିବାକର ନାୟକ, ସିପିଆଇ(ଏମ୍‌)ର ବରିଷ୍ଠ ନେତା ଜନାର୍ଦ୍ଧନ ପତି ଯୋଗଦେଇ ମହାନଦୀ ଜଳ ବଣ୍ଟନ ଲାଗି ଟ୍ରିବୁନାଲ ଗଠନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।

ଉଦ୍‌ଯାପନୀ ଦିବସରେ ଡ. ଶିଶିରକାନ୍ତ ବେହେରା, ବିଜୟ ପ୍ରଧାନ, ପଞ୍ଚାନନ ସେଠୀଙ୍କୁ ଜଳଯୋଦ୍ଧା ସମ୍ମାନ ଦିଆଯାଇଥଲା। ଯୁବ ବିଜ୍ଞାନୀ କୁମାରୀ ନେହା ଆବେଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଆସନ୍ତାବର୍ଷ ଓଡ଼ିଶାର ପରିବେଶ କଂଗ୍ରେସର ବିଷୟବସ୍ତୁ ଭାବେ ‘ସ୍ୱଚ୍ଛ ଓ ସବୁଜ ପୃଥିବ’ ବୋଲି ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe