ସାର୍ବଜନିକ ପାଠାଗାର ଅଧିନିୟମ ଶୀଘ୍ର କାର୍ଯ୍ୟକାରୀ କର

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ‘ଓସା’

ସାର୍ବଜନିକ ପାଠାଗାର ଅଧିନିୟମ ଶୀଘ୍ର କାର୍ଯ୍ୟକାରୀ କର

ଭୁବନେଶ୍ବର: ସଶକ୍ତ ଓଡ଼ିଶାକୁ ଦୃଷ୍ଟିରେ ରଖି ଓଡ଼ିଶା ସାର୍ବଜନିକ ପାଠାଗାର ଅଧିନିୟମ ପ୍ରଣୟନ ହେଲା। ୨୦୧୬ ସେପ୍ଟେମ୍ବର ୭ରେ ସଂସ୍କୃତି ବିଭାଗ ଦ୍ବାରା ପାଠାଗାର ନିୟମ କ୍ୟାବିନେଟ୍‌ରେ ମଞ୍ଜୁରି ବି ପାଇଲା। ଅଥଚ ଏଯାଏଁ ଏହା କାର୍ଯ୍ୟକାରୀ ହେଲାନାହିଁ। ସାଂପ୍ରତିକ ସ୍ଥିତିରେ ଇ-ଲାଇବ୍ରେରିର ଆବଶ୍ୟକତା ରହିଥିବା ‌ବେଳେ ବ୍ରହ୍ମପୁରରେ ଓଡ଼ିଶା ସାର୍ବଜନିକ ଇ-ପାଠାଗାରର ଶୁଭାରମ୍ଭ ଏହି ଅଭାବବୋଧକୁ କିଛି ଅଂଶରେ ଭରଣା କରିଛି। ମାତ୍ର ପାଠାଗାର ଅଧିନିୟମ-୨୦୦୧କୁ କାର୍ଯ୍ୟକାରୀ ନକରିବା ଦ୍ବାରା ରାଜ୍ୟରେ ସୁ-ସମନ୍ବିତ ଆଧୁନିକ ପାଠାଗାର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନାହିଁ। ଓଡ଼ିଶା ସୋସାଇଟି ଅଫ୍‌ ଦି ଆମେରିକାସ (ଓସା) ସଂଗଠନ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପାଠାଗାର ଅଧିନିୟମ-୨୦୦୧କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛି। ସଂଗଠନର ଦାବି ମୁତାବକ, ଆମେରିକା ଓ କାନାଡ଼ା ଭଳି ଆଧୁନିକ ପାଠାଗାର କାର୍ଯ୍ୟକାରୀ ହେଲେ ହିଁ ଏହା ସଶକ୍ତ ବ୍ୟକ୍ତିତ୍ବ, ସୁଦୃଢ଼ ଗୋଷ୍ଠୀ ନିର୍ମାଣ କରିବା ସହ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବାରେ ସହାୟକ ହୋଇପାରିବ। ଯଦି ସରକାର ଚାହିଁ‌ବେ, ତେବେ ଓସା ଏ କ୍ଷେତ୍ରରେ ସହଯୋଗ ଯୋଗାଇଦେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ପାଠାଗାରରେ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍‌ ରୁମ୍‌, ଡିଜିଟାଲ୍‌ ବିଷୟବସ୍ତୁ, ଗୋଷ୍ଠୀ କେନ୍ଦ୍ର, କର୍ମଶାଳା ଓ ଆଲୋଚନାଚକ୍ର ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ପଢ଼ାଗୃହ, ପାଠାଗାର ପରିଚାଳନା ବୋର୍ଡ, ପାଠାଗାର ପାଣ୍ଠି ବୃଦ୍ଧି, ପାଠାଗାର ଭିତ୍ତିଭୂମି, ଆଇସିଟି ଭିତ୍ତିଭୂମି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି। ସଂଗଠନର କର୍ମକର୍ତାଙ୍କ କହିବା ମୁତାବକ, ସାର୍ବଜନିକ ପାଠାଗାର ହିଁ ମିଳିତ ଜାତିସଂଘ ୨୦୩୦ ‘ନିରନ୍ତର ବିକାଶ ଲକ୍ଷ୍ୟ’ର କେତେଗୁଡ଼ିଏ ଲକ୍ଷ୍ୟ ସାଧନରେ ସହାୟକ ହୋଇପାରିବ। ତେଣୁ ଏକବିଂଶ ଶତାବ୍ଦୀ ଆବଶ୍ୟକତା ମୁତାବକ ‘ଇଣ୍ଟରନେଟ୍‌ ବେସ୍‌ଡ ଇକୋନୋମି’କୁ ଉନ୍ନତ କରିବା ସହ ଜ୍ଞାନଭିତ୍ତିକ ସମାଜର ନିର୍ମାଣ ପାଇଁ ଯଥାସମ୍ଭବ ପାଠାଗାର ଅଧିନିୟମକୁ କାର୍ଯ୍ୟକାରୀ କରିବାକୁ ଓସାର ସଭାପତି ଲଲାଟେନ୍ଦୁ ମହାନ୍ତି ନିବେଦନ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ‘ଶିକ୍ଷା-ମନୋରଂଜନ କେନ୍ଦ୍ର ତଥା ପାଠାଗାର’ ନିର୍ମାଣ ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବ୍ଲକ୍‌ ଉନ୍ନୟନ ଅଧିକାରୀ(ବିଡିଓ)ମାନଙ୍କୁ ସର୍କୁଲାର ଜାରି ହେବା ଏବଂ ଗ୍ରାମ ପଞ୍ଚାୟତସ୍ତରରେ ‘ପଞ୍ଚାୟତ ପାଠାଗାର ତଥା ସୂଚନା-ମନୋରଂଜନ କେନ୍ଦ୍ର’ ସ୍ଥାପନ ନେଇ ରାଜ୍ୟ ସରକାର ଘୋଷଣା କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାକୁ ଦୃଷ୍ଟିରେ ରଖି ଓସା ପକ୍ଷରୁ ପ୍ରଫୁଲ୍ଲ ପାଠାଗାରର ମିଳିତ ସହଯୋଗରେ କିଟ୍‌ ବିଶ୍ବବିଦ୍ୟାଳୟରେ ‘ରାଜ୍ୟସ୍ତରୀୟ ସାର୍ବଜନିକ ପାଠାଗାର ସମ୍ମିଳନୀ’ ଗତବର୍ଷ ଆୟୋଜନ କରିଥିଲୁ। ପାଠାଗାରକୁ ସକ୍ରିୟ କରିବା ପାଇଁ ହେଲେ ସାର୍ବଜନିକ ପାଠାଗାରକୁ ଗୋଷ୍ଠୀ କେନ୍ଦ୍ର, ଶିକ୍ଷା-ମନୋରଂଜନ କେନ୍ଦ୍ର, ଜ୍ଞାନ କେନ୍ଦ୍ର, ଦକ୍ଷତା ବିକାଶ କେନ୍ଦ୍ର, ସୂଚନା ଓ ବୈଷୟିକ ଯୋଗାଯୋଗ କେନ୍ଦ୍ରରେ ରୂପାନ୍ତର କରିବାର ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe