ବିଶ୍ବରେ ଗୌରବ ବଢ଼ାଇଛି ଓଡ଼ିଶା ହସ୍ତଶିଳ୍ପ: ମୁଖ୍ୟମନ୍ତ୍ରୀ

Advertisment

ଆରମ୍ଭ ହେଲା ତୋଷାଳି ମେଳା

ଆରମ୍ଭ ହେଲା ତୋଷାଳି ମେଳା

ବିଶ୍ବରେ ଗୌରବ ବଢ଼ାଇଛି ଓଡ଼ିଶା ହସ୍ତଶିଳ୍ପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା କଳାର ରାଜ୍ୟ। ଏଥିପାଇଁ ଓଡ଼ିଶାକୁ ଆମେ କଳାଭୂମି ବୋଲି ବିବେଚନା କରୁଛେ। ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଦେଶବିଦେଶରେ ଗୌରବ ବଢ଼ାଇପାରିଛି। ଯାହା ଆମ କାରିଗରମାନଙ୍କ ପାଇଁ ସମ୍ମାନ ଆଣିଛି। ଏ ମାଟିର କାରିଗରମାନଙ୍କ ଦକ୍ଷତାର ତୁଳନା ନାହିଁ। ମୁଁ ଅତ୍ୟନ୍ତ ଖୁସି ଯେ ଆମର ୪୭ ଜଣ ଶିଳ୍ପୀଙ୍କୁ କ୍ରାଫ୍ଟ ଆୱାର୍ଡରେ ସମ୍ମାନିତ କରାଗଲା। ଏହାସହ ଏହି ମେଳାରେ ବିଭିନ୍ନ ରାଜ୍ୟରୁ ଯୋଗଦେଇଥିବା କାରିଗର ଓ ଉଦ୍ୟୋଗୀମାନଙ୍କୁ ଏହି ଜଗନ୍ନାଥଙ୍କ ଭୂମିକୁ ମୁଁ ସ୍ବାଗତ କରୁଛି। ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ସପ୍ତଦଶ ‘ତୋଷାଳି ଜାତୀୟ ହସ୍ତଶିଳ୍ପ’ ମେଳାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ଜରିଆରେ ଏଭଳି ବାର୍ତ୍ତା ରଖିଛନ୍ତି।

publive-image

ଜନତା ମଇଦାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ହସ୍ତଶିଳ୍ପ, ସ୍ଥାପତ୍ୟ, ହସ୍ତତନ୍ତ ସବୁଥିରେ ଆମ କାରିଗରମାନେ ପାରଦର୍ଶିତା ଦେଖାଇ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିପାରିଛନ୍ତି। ଏହି ମେଳା ହେଉଛି ଭାବଗତ ସଂହତି। ବିଭାଗୀୟ ମନ୍ତ୍ରୀ ରିତା ସାହୁ କହିଲେ, ଏହି ମେଳାରେ ରାଜ୍ୟର କାର୍ଯ୍ୟରତ, ଶିଳ୍ପୀ, କାରିଗର, ବୁଣାକାର ଓ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ସୃଷ୍ଟି କରିବା ସହ ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ କରିବା ଦିଗରେ ବିଶେଷ ସହାୟକ ହେବ। ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ଯୋଗ ଦେଇଥିଲେ। ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ପାଢ଼ୀ ସ୍ବାଗତ ଭାଷଣ ଦେଇଥିବାବେଳେ ଶ୍ରୀନିବାସ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ସ୍ୱତନ୍ତ୍ର ସଚିବ ସରୋଜ ପଟେଲ, ଶ୍ରୀକାନ୍ତ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଅବସରରେ ୨୦୧୯-୨୧ ମସିହା ୩ ବର୍ଷ ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଛି। ବିଶିଷ୍ଟ ପ୍ରସ୍ତରଶିଳ୍ପୀ ସୁଦର୍ଶନ ସାହୁ, ବେଣୁଧର ମହାପାତ୍ର ଓ ଦେବେନ୍ଦ୍ର ମିଶ୍ରଙ୍କୁ ଯଥାକ୍ରମେ ୨୦୧୯, ୨୦୨୦ ଓ ୨୦୨୧ ବର୍ଷ ନିମନ୍ତେ ‘ଜୀବନବ୍ୟାପୀ ହସ୍ତଶିଳ୍ପ କୃତୀ ପୁରସ୍କାର’ରେ ସମ୍ବର୍ଦ୍ଧିତ କରାଯାଇଛି। ଏଥିସହ ଅନ୍ୟାନ୍ୟ କୃତୀ ପାଇଁ ୧୭ଜଣ ଶଳ୍ପୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ମେଳାରେ ମୋଟ ୫୬୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ ସ୍ଥାନ ପାଇଛି। ଚଳିତ ବର୍ଷ ଫୁଡ୍‌ କୋର୍ଟରେ ଓଡ଼ିଶାରେ ପାରମ୍ପରିକ ଖାଦ୍ୟ ପରିବେଷଣ ହେବା ସହିତ ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟର ଆସର ଜମିଛି। ମେଳାର ଅନ୍ୟତମ ଆକର୍ଷଣ ସାଜିଛି ମିଲେଟ୍‌ ଫୁଡ୍‌ ଷ୍ଟଲ। ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଫେବ୍ରୁଆରି ୧୨ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୨ଟା୩୦ରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଖୋଲାରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe