Odisha Diary
ଭୁବନେଶ୍ବର : ରାଜଧାନୀରେ ୬ଲକ୍ଷରୁ ଅଧିକ ଲୋକ ଦୁଇ ଡୋଜ୍ ଟିକା ନେଇସାରିଥିଲେ ବି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କମୁନି। ଏପରିକି ଦୈନିକ ପ୍ରାୟ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାକୁ ନଜରରେ ରଖି ବିଏମ୍ସି ପକ୍ଷରୁ ରାଜଧାନୀର ବିଭିନ୍ନ ହାଟ, ବଜାର, ଜନଗହଳି ସ୍ଥାନରେ ଯାଞ୍ଚ କରାଯାଉଥିବା ସହ ବିଭିନ୍ନ ଦୋକାନ ବଜାର ସିଲ୍ କରାଯାଉଛି। ହେଲେ ଏବେ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସୋମବାର ଠାରୁ ବିଭିନ୍ନ ଅଫିସ୍ରେ ଅତର୍କିତ ଯାଞ୍ଚ କରିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି।
ରବିବାର ବିଏମ୍ସି କମିସନର ସଞ୍ଜୟ ସିଂହ ରାଜଧାନୀରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ କର୍ତ୍ତୃପକ୍ଷଙ୍କୁ ଅପିଲ୍ କରିଛନ୍ତି ଯେ, ସବୁ ଅଫିସ୍ରେ କର୍ମଚାରୀମାନେ ଠିକ୍ ଭାବେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, ବାରମ୍ବାର ହାତ ଧୁଅନ୍ତୁ। ଏଥିପାଇଁ ସବୁ ଅଫିସ୍ରେ ବ୍ୟାପକ ବ୍ୟବସ୍ଥା କରାଯାଉ। ବିଭିନ୍ନ ଅଫିସ୍ରେ କୋଭିଡ୍ କଟକଣା ଉଲ୍ଲଂଘନ ହେଉଥିବା ଦେଖାଯାଉଥିବାରୁ ବିଏମ୍ସି ପକ୍ଷରୁ ଏହି ନିଷ୍ପତ୍ତିି ହୋଇଛି। ଯଦି କେହି କୋଭିଡ୍ କଟକଣା ମାନୁନଥିବା ଯାଞ୍ଚ ସମୟରେ ଦେଖାଯିବ, ତେବେ ଉକ୍ତ ଅଫିସ୍କୁ ସିଲ୍ କରାଯିବ।
ରାଜଧାନୀରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନବଢ଼ିବ ଏବଂ ତୃତୀୟ ଲହରରେ ଅଧିକ ସଂକ୍ରମଣ ନହେବ, ସେଥିପାଇଁ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ହେବ ବୋଲି କମିସନର କହିଛନ୍ତି। ସବୁ ଅଫିସରେ କୋଭିଡ୍ ମୁକାବିଲା ନେଇ ଅଧିକ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି। ବିଏମ୍ସିର ଯୋଜନା ଅନୁଯାୟୀ, ବିଏମ୍ସି ସ୍କ୍ବାଡ୍ ଓ ପୁଲିସର ମିଳିତ ଟିମ୍ ସୋମବାର ଠାରୁ ବିଭିନ୍ନ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କରିବ। ଯଦି କେଉଁଠି ନିୟମ ଉଲ୍ଲଂଘନ ହେଉଥିବା ଦେଖାଯିବ, ତୁରନ୍ତ ସେହି ଅଫିସ୍କୁ ସିଲ୍ କରାଯିବ।
ସୋମବାର ଠାରୁ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଶତପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ଥିବାରୁ ସବୁ ଅଫିସ୍ରେ ସରକାରୀ ଅଧିକାରୀମାନଙ୍କୁ କୋଭିଡ୍ ନିୟମ ପାଳନ କରିବାକୁ ହେବ। କୌଣସି ଅଫିସ୍ରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, ତୁରନ୍ତ ସେମାନେ ମୁଖ୍ୟାଳୟକୁ ଖବର ଦେବା ସହ ବିଏମ୍ସିକୁ ଜଣାଇବେ। ସରକାରୀ ନିୟମ ଅନୁଯାୟୀ ଅଫିସ ବିଶୋଧନ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି।
Follow Us