ଭୁବନେଶ୍ବର: ପୂର୍ବର ବିଜେଡି ସରକାର ମନା କଲେ। ପ୍ରକଳ୍ପ ବାତିଲ୍ ହେଲା। ତଥାପି ସରକାରୀ ବାବୁମାନେ ମାନିନଥିଲେ ସରକାରଙ୍କ ନିର୍ଦ୍ଦେଶ। ମନଇଛା କରିଥିଲେ ମୁକ୍ତା, ଜାଗା ମିସନ୍, କଚ୍ଚାରୁ ପକ୍କା ରାସ୍ତା କାମ। ବିଜେଡି ସରକାର ଅମଳର ପ୍ରାୟ ୩୭୫ କୋଟି ଟଙ୍କାର ଏଭଳି ତଞ୍ଚକତାକୁ ଧରିଛନ୍ତି ବର୍ତ୍ତମାନର ବିଜେପି ସରକାର। ଯାହା ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)କୁ ଅଡ଼ୁଆରେ ପକାଇଛି। କିଛି ନ୍ୟସ୍ତସ୍ବାର୍ଥ ଓ ଦୁର୍ନୀତିଖୋର ଅଧିକାରୀଙ୍କ ଏଭଳି କଳା କାରନାମା ପାଇଁ ଆଜି ଆର୍ଥିକ ଅଚଳାବସ୍ଥା ବିଏମ୍ସିକୁ କଲବଲ କରି ସାରିଲାଣି।
ଆଜି ଏହାକୁ ନେଇ ବିଏମ୍ସି କର୍ପୋରେସନ୍ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଛି। କେଉଁ ଅଧିକାରୀ, କାହା ଅନୁମତିରେ ଏସବୁ କାମ କଲେ, କର୍ପୋରେଟର୍ମାନେ ଜବାବ ମାଗିଥିଲେ। କିନ୍ତୁ ଅଧିକାରୀମାନେ ଥଙ୍ଗ ଥଙ୍ଗ ହୋଇଛନ୍ତି। କୌଣସି ସ୍ପଷ୍ଟ ଉତ୍ତର ଦେଇପାରିନାହାନ୍ତି। ଜାଗା ମିସନ୍ରେ ମୁକ୍ତା ଯୋଜନା ଟଙ୍କା ବି ଖର୍ଚ୍ଚ କରାଯାଇଛି, ସେ ପୁଣି ବିନା ଅନୁମୋଦନରେ। କିନ୍ତୁ ଜାଗା ମିସନ୍ରେ ମୁକ୍ତା ଯୋଜନାରେ କେତେ ଟଙ୍କା କେଉଁ ଅଞ୍ଚଳରେ ଖର୍ଚ୍ଚ କରାଯାଇଛି, କାହାରି ପାଖରେ ହିସାବ ନାହିଁ। ଏହାକୁ ନେଇ ହଟ୍ଟଗୋଳ ପରେ ପରବର୍ତ୍ତୀ ସମୟରେ ଏହା ସ୍ପଷ୍ଟ କରିବେ ବୋଲି ମେୟର ସୁଲୋଚନା ଦାସ ଓ କମିସନର୍ ଚଞ୍ଚଳ ରାଣା ଆଶ୍ବାସନା ଦେବାରୁ ସଭା ଶାନ୍ତ ପଡ଼ିଥିଲା।
୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର(ତତ୍କାଳୀନ ବିଜେଡି ସରକାର) ମୁକ୍ତା ଯୋଜନାରେ ରାଜ୍ୟର ୧୦ ଜିଲ୍ଲାର ୩୭ଟି ସହରାଞ୍ଚଳ ପାଇଁ ୪୨୩.୮୭ କୋଟି ଟଙ୍କା ମଞ୍ଜୁର କରିଥିଲେ। ଭୁବନେଶ୍ବର ମହାନଗର ନିଗମର ୧୩୨୮ଟି ପ୍ରକଳ୍ପ ପାଇଁ ସର୍ବାଧିକ ୧୪୫.୦୭ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ପରବର୍ତ୍ତୀ ସମୟରେ ତତ୍କାଳୀନ ରାଜ୍ୟ ସରକାର ୫୭୫ଟି ମୁକ୍ତା ପ୍ରକଳ୍ପକୁ ବାତିଲ୍ କରି ଦେଇଥିଲେ। ଏହାର ବ୍ୟୟ ଅଟକଳ ମୂଲ୍ୟ ଥିଲା ୫୩ କୋଟି ୭୧ଲକ୍ଷ ଟଙ୍କା। କିନ୍ତୁ ବାତିଲ୍ ପାଇଁ ସରକାରୀ ନିର୍ଦ୍ଦେଶ ପରେ ବି ବାତିଲ୍ ପ୍ରକଳ୍ପରୁ ୭୮ଟି ପ୍ରକଳ୍ପ ମନଇଛା କରାଯାଇଛି। କେଉଁଠି ରାସ୍ତା ତ କେଉଁଠି ପାର୍କ, ପୁଣି କେଉଁଠି ଅନ୍ୟାନ୍ୟ କାମ କରାଯାଇଛି। ଜୋନାଲ୍ ଡେପୁଟି କମିସନର୍, ଯନ୍ତ୍ରୀମାନେ ମନଇଛା ନିଜ ନିଜ ଅଞ୍ଚଳରେ ଏହି ପ୍ରକଳ୍ପ ସବୁ ଠିକାଦାରଙ୍କୁ ବାଣ୍ଟିଛନ୍ତି। ବିନା କାର୍ଯ୍ୟାଦେଶରେ କାମ କରାଇଛନ୍ତି। ଯେଉଁଥିରୁ ବିଏମ୍ସି ଡେପୁଟି ମେୟରଙ୍କ ୨୨ ନମ୍ବର ୱାର୍ଡରେ ବି ଅନେକ ପ୍ରକଳ୍ପ କରାଯାଇଛି। ବାତିଲ୍ ପରେ ବି କାହିଁକି କାମ କରାଗଲା ବୋଲି କର୍ପୋରେଟର୍ଙ୍କ ପ୍ରଶ୍ନରେ କୌଣସି ଅଧିକାରୀଙ୍କ ପାଖରେ ସ୍ପଷ୍ଟ ଉତ୍ତର ନଥିଲା। ସେହିଭଳି ଜାଗା ମିସନ୍ରେ ମୁକ୍ତା ଯୋଜନା ଟଙ୍କା ଖର୍ଚ୍ଚ କରାଯାଇଛି। ଜାଗା ମିସନ୍ରେ ପ୍ରାୟ ୧୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମୁକ୍ତା ଯୋଜନାରୁ ପ୍ରାୟ ୭୪ କୋଟି ଟଙ୍କା ଏଥିରେ ଖର୍ଚ୍ଚ କରାଯାଇଛି। ସେ ପୁଣି ବିନା ଅନୁମୋଦନରେ। ଜାଗା ମିସନ୍ ଯୋଜନାରେ ମୁକ୍ତା ଯୋଜନା ଭର୍ତ୍ତି କରି ସବୁ ଗୋଳମାଳିଆ କରି ଦିଆଯାଇଛି। କିନ୍ତୁ ବିଏମ୍ସି ବାବୁମାନଙ୍କ ପାଖରେ କେଉଁ ପ୍ରକଳ୍ପ ବାବଦ କେତେ ଟଙ୍କା କେଉଁ ୱାର୍ଡରେ ଖର୍ଚ୍ଚ ହୋଇଛି, ତାର ହିସାବ ନାହିଁ। ସିଟି ଇଂଜିନିୟର ବି ଏହାର ହିସାବ ଦେଇପାରିନାହାନ୍ତି। ସମାନ ସ୍ଥିତି କଚ୍ଚାରୁ ପକ୍କା ରାସ୍ତାରେ ବି ଦେଖିବାକୁ ମିଳିଛି। ଏଭଳି ବ୍ୟାପକ ଚଞ୍ଚକତା ଦୃଷ୍ଟିଗୋଚର ପରେ କର୍ପୋରେଟର୍ମାନେ ପ୍ରବଳ ହୋହଲ୍ଲା କରିଥିଲେ। ଅପରାହ୍ଣ ୪ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏଭଳି ହଟ୍ଟଗୋଳ ଲାଗି ରହିଥିଲା। ଶେଷରେ ଆସନ୍ତା ୧୩ ତାରିଖରେ ପୁଣି ବୈଠକ ଡାକିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ମୁକ୍ତା, ଜାଗା ମିସନ୍ ଓ କଚ୍ଚା ରାସ୍ତାରୁ ପକ୍କା ରାସ୍ତା ଯୋଜନା ସହ କର୍ପୋରେସନ୍ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ ବୋଲି କୁହାଯାଇଛି।
Follow Us