ବାଲିପାଟଣା : ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ସରଦେଇପୁର-ବାଲିପାଟଣା ରାସ୍ତା ମଧୁବନ ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ଗାରେଡ଼ିପାଞ୍ଚଣର ରାଧାକୃଷ୍ଣ ପରିଡ଼ା (୭୫)। ଅପରାହ୍ଣରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ତାଙ୍କ ମୃତ୍ୟୁ ଘଟିଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ସୂଚନାନୁସାରେ ଆଜି ରାଧାକୃଷ୍ଣ ନିକଟସ୍ଥ ଆଖଣ୍ଡଳମଣି ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିଲେ। ସେତିକିବେଳେ ବାଲିପାଟଣା ଛକ ଅଭିମୁଖେ ଦ୍ରୁତବେଗରେ ଯାଉଥିବା ଏକ ନାଲି ରଙ୍ଗର କ୍ରେଟା ଗାଡ଼ି (ଓଡି ୦୨ ଏଏକ୍ସ-୨୦୫୬) ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା। ରାଧାକୃଷ୍ଣ କିଛି ଦୂର ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
Follow Us