ଜଗନ୍ନାଥ ବିହାରରେ ଓମ୍‌ଫେଡ୍‌ ବୁଥ୍‌ ଉଚ୍ଛେଦ ଘଟଣା: ନ୍ୟାୟ ନ ମିଳିଲେ ଆତ୍ମହତ୍ୟା ଚେତାବନୀ

Advertisment
ଜଗନ୍ନାଥ ବିହାରରେ ଓମ୍‌ଫେଡ୍‌ ବୁଥ୍‌ ଉଚ୍ଛେଦ ଘଟଣା: ନ୍ୟାୟ ନ ମିଳିଲେ ଆତ୍ମହତ୍ୟା ଚେତାବନୀ

ଭୁବନେଶ୍ୱର: ବରମୁଣ୍ଡା ଜଗନ୍ନାଥ ବିହାର ଲେନ୍‌-୧୨ରେ ଥିବା ଓମ୍‌ଫେଡ୍‌ ବୁଥ୍‌ ଭାଙ୍ଗି ଦେବା ଘଟଣା ନୂଆ ମୋଡ଼ ନେଇଛି। ବିନା ନୋଟିସ୍‌ରେ ବିଏମ୍‌ସି ଏହି ବୁଥ୍‌କୁ ବେଆଇନ ଭାବେ ଜୋରଜବରଦସ୍ତ ଭାଙ୍ଗି ଦେଇଛି ବୋଲି ବୁଥ୍‌ ଲାଇସେନ୍ସ ହୋଲ୍ଡର୍‌ ମଧୁସ୍ମିତା ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ତାଙ୍କୁ ଥଇଥାନ କରା ନଗଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

ତାଙ୍କ ଅଭିଯୋଗ ଅନୁଯାୟୀ, ଏହି ଓମ୍‌ଫେଡ୍‌ ବୁଥ୍‌ଟି ତାଙ୍କ ରୋଜଗାରର ଏକମାତ୍ର ପନ୍ଥା। କିନ୍ତୁ ବିଏମ୍‌ସି ଏହାକୁ ବେଆଇନ ଭାବେ ଭାଙ୍ଗି ଦେବାରୁ ପରିବାର ପ୍ରତିପୋଷଣ ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏଣୁ ସେ ଆତ୍ମହତ୍ୟା କରିବାକୁ ଶେଷ ନିଷ୍ପତ୍ତି ନେଇଥିବା ବିଏମ୍‌ସିକୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଏଥିପାଇଁ ବିଏମ୍‌ସି ଦାୟୀ ରହିବ ବୋଲି ସେ କହିଛନ୍ତି। ଏ ସଂପର୍କରେ ସେ ବିଏମ୍‌ସି କମିସନରଙ୍କଠୁ ଆରମ୍ଭ କରି ମେୟର୍‌, ମୁଖ୍ୟମନ୍ତ୍ରୀ, ଓଏଚ୍‌ଆରସିରେ ମଧ୍ୟ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି।

ତାଙ୍କ ଅଭିଯୋଗ ମୁତାବକ, ୨୦୦୯ ମସିହାରୁ ମଧୁସ୍ମିତାଙ୍କୁ ଏଠା‌ରେ ଓମ୍‌ଫେଡ୍‌ ବୁଥ୍‌(ନଂ ୫୯୪) ମିଳିଥିଲା। ବିଏମ୍‌ସିରୁ ଟ୍ରେଡ୍‌ ଲାଇସେନ୍ସ ସହ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ମିଳିଥିଲା। ଦୀର୍ଘ ୧୩ ବର୍ଷ ଧରି ସେ ଏଠାରେ ବ୍ୟବସାୟ କରିବା ସହ ପରିବାର ପ୍ରତିପୋଷାଣ କରୁଥିଲେ। ଟ୍ରେଡ୍‌ ଲାଇସେନ୍ସ, ବିଜୁଳି ସଂଯୋଗ, ଓମ୍‌ଫେଡ୍‌ ବୁଥ୍‌ ଲାଇସେନ୍ସ ସବୁ ବୈଧ ଥିଲେ ମଧ୍ୟ ଗତ ମାସ ୩୦ ତାରିଖରେ ବିଏମ୍‌ସି ଏହାକୁ ଉଚ୍ଛେଦ କରିଦେଇଥିଲା। ଏଥିପାଇଁ ତାଙ୍କୁ ପୂର୍ବରୁ ନୋଟିସ୍‌ ମଧ୍ୟ ଦିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ବିଏମ୍‌ସି ଜେଡ୍‌ଡିସି(ଦକ୍ଷିଣ-ପଶ୍ଚିମ ଜୋନ୍‌) ରବିନାରାୟଣ ଜେଠୀ କହିଛନ୍ତି, ଏହି ରାସ୍ତା ପ୍ରଶସ୍ତୀକରଣ ହେବାକୁ ଯୋଜନା ହୋଇଛି। ଏଭଳି ନିଷ୍ପତ୍ତି ହେବା ପରେ ଏହି ରାସ୍ତାରେ ଥିବା ଏକାଧିକ ଜବରଦଖଲ ଉଚ୍ଛେଦ ହୋଇଛି। ଯେଉଁ ଓମ୍‌ଫେଡ୍‌ ବୁଥ୍‌(ନଂ ୫୯୪) କଥା କୁହାଯାଉଛି, ତାହା ଉଚ୍ଛେଦ ହୋଇନାହିଁ। ଲାଇସେନ୍ସ ଯେତିକି ଜାଗା‌‌ରେ ମିଳିଛି, ସେତିକି ଜାଗାରେ ବୁଥ୍‌ ଯେମିତି ଥିଲା ସେମିତି ରହିଛି। ସାମ୍ନାରେ ସରକାରୀ ଜାଗା ଜବରଦଖଲ ହୋଇ କଂକ୍ରିଟ ନିର୍ମାଣ ହୋଇଥିଲା। ଖୁଣ୍ଟି ପୋତା ହୋଇ ଆଜ୍‌ବେଷ୍ଟସ୍‌ ସିଟ୍‌ ପଡ଼ିଥିଲା। ଆମେ ୩ରୁ ୪ଥର ଏହାକୁ ହଟାଇଦେବାକୁ ସମ୍ପୃକ୍ତ ଲାଇସେନ୍ସ ହୋଲ୍ଡରଙ୍କୁ ଅବଗତ କରାଇଥିଲୁ। କିନ୍ତୁ ସେ ନ ହଟାଇବାରୁ ଆମେ ଏହି ବେଆଇନ ନିର୍ମାଣକୁ ଉଚ୍ଛେଦ କରିଛୁ। ଏହା ପଛରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ କିମ୍ବା ଓମ୍‌ଫେଡ୍‌ ବୁଥ୍‌କୁ କୌଣସି କ୍ଷତି ପହଞ୍ଚା ଯାଇନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe