ଭୁବନେଶ୍ୱର: ‘ପୁଣ୍ୟର ନଦୀ ତୀରେ........’, ‘ବାଲି ଘର ଭାଙ୍ଗି.....’ ଭଳି ଅକ୍ଷୟ ମହାନ୍ତିଙ୍କ ଚିରସବୁଜ ସଙ୍ଗୀତ ଦର୍ଶକଙ୍କୁ କରିଥିଲା ଅକ୍ଷୟ ମନସ୍କ। ଅତୀତର ସ୍ମୃତିକୁ ରୋମନ୍ଥନ କରିଥିଲା କଣ୍ଠଶିଳ୍ପୀ ଆଦ୍ୟାଶା ଦାସଙ୍କ କଣ୍ଠରେ ଏହି ସଙ୍ଗୀତ। ଏହା ପରେ ପରେ ‘ଚନ୍ଦ୍ରମଲ୍ଲୀ ହସେ...’, ‘ତୁମେ ହିଁ ସ୍ୱର୍ଗ ମୋର...’ସଙ୍ଗୀତ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖିଥିଲା। ଅବସର ଥିଲା ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସାଂସ୍କୃତିକ ଅନୁଷ୍ଠାନ ‘ ସଂସ୍କୃତି ଓ ସଂସ୍କୃତି’, ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ସଙ୍ଗୀତ ସନ୍ଧ୍ୟା।
ଉତ୍ସବରେ ଆୟୋଜିତ ସଙ୍ଗୀତ ସନ୍ଧ୍ୟାରେ ବିଚିତ୍ରାନନ୍ଦ ଦେଓ, ଛନ୍ଦା ମିଶ୍ର, ଆଦ୍ୟାଶା ଦାସ, ପ୍ରତିଭା ପ୍ରଧାନ, ସୁଧାଂଶୁ ଜେନା, ଶୁଭେନ୍ଦୁ ନାୟକ, ଦେବାଂଶୀ ନାୟକ, ତମନ୍ନା ତ୍ରିପାଠୀ, ଲିରିକା ସିଂହ ପ୍ରମୁଖ ଜଣକ ପରେ ଜଣେ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ସଙ୍ଗୀତର ବଗିଚାରୁ ସାଉଣ୍ଟିଥିଲେ ଗୋଟିଏ ଗୋଟିଏ ସ୍ତବକ। ‘କିଛି ଲୁହ ପୋଛା ହୁଏ ପଣତ କାନିରେ .., ହେ ଫଗୁଣ ତୁମେ, ଗଲା ପରେ ପରେ.. ‘ ସ୍ମୃତି ତୁମେ ପାଉଁଶ ତଳର ନିଆଁ..., ବାଜେ ବଇଁଶୀ, ନାଚେ ଘୁଙ୍ଗୁର..., ସେଇ ଦୀପ ଅଛି.., ରୁପା ଶଗଡ଼ିରେ, ସୁନା କନିଆ..., ନିଶି ବିଜନେ, ଭାବେ ମନେ..., ଆଦି ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତର ମୂର୍ଚ୍ଚନା ସମଗ୍ର ପରିବେଶକୁ କରିଥିଲା ଅକ୍ଷୟମୟ। ଭାଓଲିନ୍ ବାଦକ ରାକେଶ ବିଶ୍ୱାଳ ଅକ୍ଷୟ ସଂଗୀତର ସ୍ୱର ବାଦନ କରିଥିଲେ। ବାଦ୍ୟଗୁରୁ ଚିନ୍ତାମଣି ମିଶ୍ର ସଂଯୋଜନା କରିଥିଲେ। ମୃତ୍ୟୁଞ୍ଜୟ ରଥ ଓ ସଂଯୁକ୍ତା ଦାଶ ଉତ୍ସବକୁ ପରିଚାଳନା କରିଥିଲେ। ଉତ୍ସବରେ କମିଟିର ସଦସ୍ୟ ରବିନ୍ଦ୍ର ବିଶ୍ୱାଳ, ମଣ୍ଡୁ ସିଂହ, ରୁଦ୍ରପ୍ରସାଦ ନାୟକ, ଲୁଟୁ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମରେ ଅତିଥି ଭାବେ ‘କିଟ୍’ ଓ ‘କିସ’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ବିଧାୟକ ବାବୁ ସିଂହ, ରାଜ୍ୟ ବାର କାଉନସିଲର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ, ଶିଳ୍ପଦ୍ୟୋଗୀ ପ୍ରିୟଦର୍ଶୀ ଦାଶ, ମହାବୋଧି ସୋସାଇଟିର ଓଡ଼ିଶା ଶାଖା ମହାସଚିବ ସୌରେନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ସିନେ ସମୀକ୍ଷକ ଦିଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଯୁବ ସାହିତ୍ୟିକ ଚନ୍ଦ୍ରଶେଖର ହୋତାଙ୍କୁ ‘ଅକ୍ଷୟ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି ସଂଗୀତଜ୍ଞ ପ୍ରେମ୍ ଆନନ୍ଦଙ୍କୁ ‘ଅକ୍ଷୟ ସଂଗୀତ ସମ୍ମାନ’ ପ୍ରଦାନ କରାଯାଇଥିଲା।
Follow Us