ପ୍ରାଣୀଙ୍କ ପାଇଁ ବିଏମ୍‌ସିର ଦରଦ ଏମିତି... :୧୮୬ କି.ମି.କୁ ଗୋଟିଏ ଆମ୍ବୁଲାନ୍ସ

Advertisment

ପଶୁପକ୍ଷୀଙ୍କୁ ମିଳୁନି ଆବଶ୍ୟକ ଚିକିତ୍ସା ସୁବିଧା, ବିଏମ୍‌ସିର ଦୃଷ୍ଟି ଆକର୍ଷଣ କଲା ଆଇଏଚ୍‌ଆରସି

ପଶୁପକ୍ଷୀଙ୍କୁ ମିଳୁନି ଆବଶ୍ୟକ ଚିକିତ୍ସା ସୁବିଧା, ବିଏମ୍‌ସିର ଦୃଷ୍ଟି ଆକର୍ଷଣ କଲା ଆଇଏଚ୍‌ଆରସି

ପ୍ରାଣୀଙ୍କ ପାଇଁ ବିଏମ୍‌ସିର ଦରଦ ଏମିତି... :୧୮୬ କି.ମି.କୁ ଗୋଟିଏ ଆମ୍ବୁଲାନ୍ସ

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ମହାନଗର ନିଗମ‌ରେ ୬୭ଟି ୱାର୍ଡ। ୩ଟି ଜୋନ୍‌ରେ ବିଭକ୍ତ। ପଟିଆରୁ ସାମନ୍ତରାପୁର, ପାହାଳରୁ ଡୁମୁଡୁମା ପର୍ଯ୍ୟନ୍ତ ୧୮୬ କିମି ପରିବ୍ୟାପ୍ତ ହୋଇଛି ସହର। ଯେଉଁଠାରେ ହଜାର ହଜାର ଗୃହପାଳିତ ପଶୁପକ୍ଷୀ ଚଳପ୍ରଚଳ କରୁଛନ୍ତି। ମାତ୍ର ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ବିଏମ୍‌ସି ନିକଟରେ ମାତ୍ର ଗୋଟିଏ ଆମ୍ବୁଲାନ୍ସ ରହିଛି। ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ। ଫଳରେ ପ୍ରତିଦିନ ସହରରେ ଏକାଧିକ ଗୃହପାଳିତ ପଶୁପକ୍ଷୀ ଚିକିତ୍ସା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ଆହତ ହୋଇଥିବା ପ୍ରାଣୀଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଆମ୍ବୁଲାନ୍ସ ପହଞ୍ଚୁ ନଥିବାରୁ ସେମାନେ ପ୍ରାଣ ହରାଉଛନ୍ତି।

ଗତ ୨୪ତାରିଖରେ ପଟିଆ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଅପରାହ୍‌ଣ ପ୍ରାୟ ସାଢ଼େ ଗୋଟାଏରେ ଆର୍‌ଟିଓ-୨ ନିକଟରେ ଏକ ଷଣ୍ଢ ଡିଭାଇଡ୍‌ରରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ଷଣ୍ଢଟି ଛଟପଟ ହେଉଥିବାରୁ ସେମାନେ ତାହାକୁ ଉଦ୍ଧାର କରି ରାସ୍ତାପାର୍ଶ୍ବକୁ ନେଇ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ। ଷଣ୍ଢଟିକୁ ଚିକିତ୍ସା କରିବା ପାଇଁ ନିକଟରେ ଥିବା ଏକ ପଶୁ ଚିକିତ୍ସକଙ୍କୁ ଡକାଯାଇଥିଲା। ମାତ୍ର ସେ ରୋକ‌ଠୋକ୍‌ ମନା କରି ଦେଇଥିଲେ। କହିଥିଲେ, ଏହା ଏକ ଘରୋଇ ହସ୍ପିଟାଲ। ତୁମେ ଆନିମଲ୍‌ ହେଲ୍‌ପ ଲାଇନ୍‌ ନମ୍ବରରେ ଯୋଗାଯୋଗ କର।

ମାଲିକଙ୍କ ବିନା ଆମେ କୌଣସି ବି ରାସ୍ତାପାର୍ଶ୍ବ ପଶୁଙ୍କୁ ଉଦ୍ଧାର କରୁନା। ଲୋକେ ଆନିମଲ୍‌ ହେଲ୍‌ପଲାଇନ୍‌ ନମ୍ବରରେ ଯୋଗା‌ଯୋଗ କରିବାରୁ ଉତ୍ତର ମିଳିଥିଲା, ସାରା ଭୁବନେଶ୍ବର ପାଇଁ ଗୋଟିଏ ମାତ୍ର ପଶୁ ଉଦ୍ଧାରକାରୀ ଆମ୍ବୁଲାନ୍ସ ରହିଛି। ତେଣୁ ଅପେକ୍ଷା କରିବାକୁ ପଡ଼ିବ। ଅପରାହ୍‌ଣ ପ୍ରାୟ ୨ଟା ୪୫ରେ ଡାକ୍ତର ପହଞ୍ଚିଲା ବେଳକୁ ଷଣ୍ଢର ସ୍ବାସ୍ଥ୍ୟା‌ବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା ଏବଂ କିଛି ସମୟ ମଧ୍ୟରେ ତା’ର ଜୀବନ ଚାଲିଯାଇଥିଲା।

ଏଠାରେ ପ୍ରଶ୍ନ ଉଠୁଛି, ଷଣ୍ଢର ମୃତ୍ୟୁ ପାଇଁ କିଏ ଦାୟୀ? ଷଣ୍ଢଙ୍କୁ ସୁରକ୍ଷା ଦେବା‌ରେ କିଏ ଅବହେଳା କଲା? ଡାକ୍ତର ବିଳମ୍ବ କରିବାରୁ ନିରୀହ ପ୍ରାଣୀର ଜୀବନ ଗଲା ନାହିଁ ତ? ପଶୁଙ୍କୁ ତୁରନ୍ତ ଉଦ୍ଧାର ଲାଗି କାହିଁକି ଆବଶ୍ୟକ ସୁବିଧା‌ ଯୋଗାଇ ଦିଆଯାଉ ନାହିଁ? ଏହି ଘଟଣା ପରେ ପ୍ରଶାସନ ଉପରକୁ ଆଙ୍ଗୁଳି ଉଠିଛି। ପ୍ରତିଦିନ ସହରରେ ଏମିତି ମାଳ ମାଳ ଘଟଣା ହେଉଥିଲେ ମଧ୍ୟ ଏଥିପ୍ରତି କେହି କାହିଁକି ଉତ୍ତରଦାୟୀ ରହିବେ ନାହିଁ।
ପ୍ରାଣୀଙ୍କ ପ୍ରତି ହେଉଥିବା ଏଭଳି ଅମାନୁଷିକ ବ୍ୟବହାର ନେଇ ଇଣ୍ଟରନ୍ୟାସନାଲ ହ୍ୟୁମାନ୍‌ ରାଇଟ୍ସ କମିସନ(ଆଇଏଚ୍‌ଆରସି)ର ଓଡ଼ିଶା ଶାଖା ସଦସ୍ୟମାନେ ଆଜି ବିଏମ୍‌ସି ଡେପୁଟି କମିସନର ରମେଶ ଜେନାଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।

ସେମା‌ନେ ଦର୍ଶାଇଛନ୍ତି ଯେ ଏତେ ବଡ଼ ଅଞ୍ଚଳରେ ଗୋ-ସେବା ପାଇଁ ଆବଶ୍ୟକ ଚିକିତ୍ସା ସୁବିଧା ଉପଲବ୍ଧ ନ ହେବା ଦୁର୍ଭାଗ୍ୟର ବିଷୟ। ସାଧାରଣ ଲୋକଙ୍କୁ ଯେଉଁଭଳି ଚିକତ୍ସା ସୁବିଧା ଯୋଗାଇ ଦିଆଯାଉଛି, ପଶୁପକ୍ଷୀଙ୍କ ପ୍ରତି ସେଭଳି ବ୍ୟବସ୍ଥା କରାଯାଉ। ଯେତେଶୀଘ୍ର ସମ୍ଭବ ବିଏମ୍‌ସିର ପ୍ରତି ଜୋନ୍‌ ଲାଗି ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ସୁବିଧା ହେଉ। ଏଥିସହ ଖାଲି ପଡ଼ିଥିବା ଡାକ୍ତର ଓ ଅନ୍ୟାନ୍ୟ ପଦପଦବୀ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ଆଇଏଚ୍‌ଆସିର ଓଡିଶା ମୁଖ୍ୟ ଶିବ ସୁନ୍ଦର ସ୍ୱାଇଁ, ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ଶଶାଙ୍କ ଶେଖର ପଣ୍ଡା ଓ ଜିଲ୍ଲା ମୁଖ୍ୟ ନାରାୟଣ ସାହୁ ପ୍ରମୁଖ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe