ଡେଲଏଟ୍‌ ଉଦ୍‌ଘାଟିତ: ଦେଢ଼ବର୍ଷରେ ଦେଢ଼ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ

Advertisment

ଓଡ଼ିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ବୀକୃତି ମିଳିଛି: ଧର୍ମେନ୍ଦ୍ର

ଓଡ଼ିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ବୀକୃତି ମିଳିଛି: ଧର୍ମେନ୍ଦ୍ର

ଡେଲଏଟ୍‌ ଉଦ୍‌ଘାଟିତ: ଦେଢ଼ବର୍ଷରେ ଦେଢ଼ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ବରରେ ପାଦ ଥାପିଛି ବହୁରାଷ୍ଟ୍ରୀୟ କମ୍ପାନି ଡେଲଏଟ୍‌। ଏହାର ଦକ୍ଷତା ବିକାଶ କେନ୍ଦ୍ର(କାପାବିଲିଟି ଏନ୍‌ହାନ୍ସମେଣ୍ଟ ସେଣ୍ଟର) ସତ୍ୟନଗରଠାରେ ଥିବା ଆଇସିଓଏମ୍‌ସି(ଇଣ୍ଟିଲିଜେଣ୍ଟ ସିଟି ଅପରେସନ୍‌ସ୍‌ ଆଣ୍ଡ ମ୍ୟାନେଜ୍‌ମେଣ୍ଟ ସେଣ୍ଟର) ଟାୱାରରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଇଟି ମନ୍ତ୍ରୀ ତୁଷା‌ରକାନ୍ତି ବେହେରା ମଧ୍ୟ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୭୫ବର୍ଷ ଧରି ୧୫୦ ଦେଶକୁ ବ୍ୟାପିଥିବା ଏହି ଡେଲଏଟ୍‌ରେ ଲକ୍ଷେ ଭାରତୀୟ କାମ କରୁଛନ୍ତି। ଭୁବନେଶ୍ବରରେ ଏହି ସ୍ବତନ୍ତ୍ର କେନ୍ଦ୍ର ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଓଡ଼ିଶା ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଭାରତ ବର୍ଷରେ ୫କୋଟି ମହିଳା ଓ ଯୁବକଙ୍କୁ ଦକ୍ଷତା ବିକାଶ, ଶିକ୍ଷାରେ ପୁଞ୍ଜିନିବେଶ ଜରିଆରେ ରୋଜଗାରକ୍ଷମ କରିପାରିଛି। ପୂର୍ବରୁ ଥାନେ, ଗୁରୁଗ୍ରାମ ଓ କୋଏମ୍ବାଟୁର୍‌ରେ ଡିଲଏଟ୍‌ର ଦକ୍ଷତା ବିକାଶ କେନ୍ଦ୍ର ରହିଥିଲା। ଭୁବନେଶ୍ବରରେ ଏହା ହେଉଛି ଭାରତବର୍ଷର ଚତୁର୍ଥ କେନ୍ଦ୍ର। ଦେଢ଼ ବର୍ଷ ଭିତରେ ଏଠାରେ ୧୫୦୦ ଯୁବକ/ଯୁବତୀ ନିଯୁକ୍ତି ସୁଯୋଗ ପାଇବେ। ସାଇବର ସୁରକ୍ଷା ସମେତ ଡିଜିଟାଇଜେସନ୍‌, କ୍ଲାଉଡ୍‌, ମେସିନ୍‌ ଲର୍ଣ୍ଣିଂ ପ୍ରଭୃତି କ୍ଷେତ୍ରରେ ଏହି କମ୍ପାନି କାମ କରିବ। ଏଣୁ ଏହି କମ୍ପାନିକୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଭୁବନେଶ୍ୱରରେ ଡେଲଏଟ୍‌ ଏହି ସେଣ୍ଟର୍‌ ଖୋଲି ଓଡ଼ିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ୱୀକୃତି ଦେଇଛି। ଏହା ଅନ୍ୟ ପ୍ରତିଷ୍ଠିତ କମ୍ପାନିମାନଙ୍କର ରୋଲ୍‌ ମଡେଲ୍‌ ହେବ। ଅନ୍ୟ କମ୍ପାନିମାନେ ଏହା ଦ୍ବାରା ଉତ୍ସାହିତ ହୋଇ ଆଗାମୀ ଦିନରେ ଓଡ଼ିଶା ଆସିବେ ଓ ଆହୁରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି। କିଛି ବର୍ଷ ପୂର୍ବେ ଡାଭୋସଠାରେ ବିଶ୍ୱ ଅର୍ଥନୀତି ଫୋରମ୍‌ର ଏକ ବୈଠକରେ ସେ ଡେଲଏଟର ଗ୍ଲୋବାଲ ସିଇଓ ପୁନିତ ରେନଜେନଙ୍କୁ ଓଡ଼ିଶାରେ ଡେଲୋଏଟର ଏକ ସେଣ୍ଟର ଖୋଲିବା ପାଇଁ ଅନୁରୋଧ କରିଥିଲେ। ଆଜି ତାହା ବାସ୍ତବ ରୂପ ନେଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମତରେ ପୂର୍ବ ଭାରତର ବିକାଶ ବିନା ସମଗ୍ର ଭାରତର ବିକାଶ ଅସମ୍ଭବ। ଏଥିପାଇଁ ‘ପୂର୍ବଦୋୟ ମିସନ’ର କଳ୍ପନା କରାଯାଇଛି। ରାଜ୍ୟରେ ୫ଜି ଟେଲିକମ୍ ସେବାର ଶୁଭାରମ୍ଭ ହୋଇଥିବା ବେଳେ ଡେଲେଏଟର ଟେକ୍ନିକାଲ ସେଣ୍ଟର ରାଜ୍ୟ ପାଇଁ ଅପାର ସମ୍ଭାବନା ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ଇ ଆଣ୍ଡ ଆଇଟି ବିଭାଗ ପରାମର୍ଶଦାତା ଅନୁଭବ ପଟ୍ଟନାୟକ, ‘୫-ଟି’ ସଚିବ ଭି.କେ ପାଣ୍ଡିଆନ୍, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର, ବିଏସ୍‌ସିଏଲ୍‌ ଏମ୍‌ଡି ବଲୱନ୍ତ ସିଂ, ବିଏସ୍‌ସିଏଲ୍‌ ସିଇଓ ବିଜୟ ଅମୃତା କୁଲାଙ୍ଗେ, ଡେଲଏଟ୍ ଇଣ୍ଡିଆ ସିଇଓ ଏନ୍‌. ଭେଙ୍କଟରାମ୍‌, ଡେ‌ଲଏଟ୍‌ ସିଇଓ(ଡେଜିଗ୍‌ନେଟ୍‌) ରୋମାଲ ସେଟ୍ଟୀ ଓ ଡେଲଏଟ୍ ଏବଂ ଡେଲୋଏଟ୍ ପାର୍ଟନର ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୧୨ ମହଲା ବିଶିଷ୍ଟ ଏହି କୋଠାର ୬ ତାଲାରୁ ୧୦ ତାଲା ପର୍ଯ୍ୟନ୍ତ ୫ଟି ଫ୍ଲୋର୍‌କୁ ଡିଲଏଟ୍‌ ବ୍ୟବହାର କରିବ। ଏଥିରୁ ଗୋଟିଏ ଫ୍ଲୋର୍‌ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ବ୍ୟବହାର କରିବ। ୨ଟି ଫ୍ଲୋର୍‌ ଭୁବନେଶ୍ବର କମାଣ୍ଡ ସେଣ୍ଟର ବ୍ୟବହାର କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe