ନିଆଳିରୁ ବିକ୍ରି ଅଢ଼େଇ ବର୍ଷର ଶିଶୁପୁତ୍ର ଉଦ୍ଧାର: ବାଲିପାଟଣା କ୍ରେତାଙ୍କ ମନରେ ଛନକା

Advertisment
ନିଆଳିରୁ ବିକ୍ରି ଅଢ଼େଇ ବର୍ଷର ଶିଶୁପୁତ୍ର ଉଦ୍ଧାର: ବାଲିପାଟଣା କ୍ରେତାଙ୍କ ମନରେ ଛନକା

ବାଲିପାଟଣା: କଟକ ଜିଲ୍ଲା ନିଆଳି ଥାନା ମୁଣ୍ଡାସାହିରୁ ବିକ୍ରି ହୋଇଥିବା ଅଢ଼େଇ ବର୍ଷର ଶିଶୁପୁତ୍ରଟି ଆଜି ବାଲିପାଟଣାରୁ ଉଦ୍ଧାର ହୋଇଛି। ଦୁଇ ଜଣ ବ୍ୟକ୍ତି ଦେଉଳଧରପୁରରେ ଶିଶୁଟିକୁ ଛାଡ଼ି ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ଖବର ପାଇ ନିଆଳି ଥାନା ପୁଲିସ ଶିଶୁପୁତ୍ରକୁ ନେଇ କଟକ ଶିଶୁ ସୁରକ୍ଷା ବିଭାଗ ଜିମା ଦେଇଛି। ବାଲିପାଟଣାର କେହି ପିଲାଟିକୁ କିଣିଥିବା ସନ୍ଦେହ କରାଯାଉଛି। ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ସେହି ଶିଶୁ କ୍ରେତା ଭୟରେ ପିଲାଟିକୁ ବାଟରେ ଛାଡ଼ିଦେଇଥିବା ଚର୍ଚ୍ଚା ହେଉଛି। ନିଆଳି ମୁଣ୍ଡାସାହିରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ମୟୂରଭଞ୍ଜର ଜଣେ ଆଦିବାସୀ ଲୋକ ତାଙ୍କର ଶିଶୁପୁତ୍ରକୁ ବିକି ଦେଇଥିଲେ। ଗତ ମଙ୍ଗଳବାର ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେଣୁ କଟକ ଶିଶୁ ସୁରକ୍ଷା ବିଭାଗ ଓ ନିଆଳି ଥାନା ପୁଲିସ ଘଟଣାର ଖୋଳତାଡ଼ କରିଥିଲେ। ମାତ୍ର ମୁଣ୍ଡାସାହିର ସେହି ଲୋକଟି ଉଭାନ ହୋଇଯାଇଥିଲା। ୨ ବର୍ଷ ପୂର୍ବରୁ ଲୋକଟିର ସ୍ତ୍ରୀ ମରିଯାଇଥିଲେ ଏବଂ ପିଲାମାନଙ୍କୁ ଜେଜେମା’ ଲାଳନପାଳନ କରୁଥିଲେ। ମାତ୍ର ଜେଜେମା’ ମରିଯିବାରୁ ପିଲାଙ୍କ ଲାଳନପାଳନ ବାପା ପାଇଁ କଷ୍ଟକର ହୋଇଥିଲା। ତେଣୁ ସେ ସବାସାନ ପୁଅକୁ ବିକି ଦେଇଥିଲା। ଏହି ସମ୍ବେଦନଶୀଳ ମାମଲାକୁ ନେଇ କଟକ ପୁଲିସ ବିଭିନ୍ନ ସ୍ଥାନରେ ଘନଘନ ଚଢ଼ଉ କରିଥିଲା।

ଆଜି ବାଲିପାଟଣା ଥାନା ଦେଉଳଧରପୁର ମଉକାସାହିର ମନୁ ଭୋଇ ଓ ଅନ୍ୟ ଜଣେ ଯୁବକ ଶିଶୁପୁତ୍ରକୁ ସାଙ୍ଗରେ ଧରି ହଂସପାଳ ନିମାପଡ଼ା କେନାଲରେ ଯାଉଥିଲେ। ସେମାନେ ଦେଉଳଧରପୁରର ବାବୁଲି ବେହେରାଙ୍କୁ ଦେଖି ଅଟକିଥିଲେ। ଶିଶୁଟିର ବାପା ଆଗ ଛକରେ ବସିଛି ଏବଂ ତା’ ପାଖରେ ପିଲାକୁ ଛାଡ଼ିଦେବାକୁ ସେମାନେ କହିଥିଲେ। ବାବୁଲି ପିଲାଟିକୁ ନେଇ ଗାଁ ଛକକୁ ଯାଇ କାହାକୁ ପାଇ ନଥିଲେ। କିଛି ସମୟ ଅପେକ୍ଷା କରିବା ପରେ ସେ କାହାକୁ ନ ପାଇ ହରଡ଼ଘଣାରେ ପଡ଼ିଥିଲେ। ଏତିକିବେଳେ ଗାଁର ଟୁଲୁ ଜେନା ସେଠାରେ ପହଞ୍ଚି ସବୁ କଥା ଶୁଣିବା ପରେ ତୁରନ୍ତ ନିଆଳି ଥାନାକୁ ଫୋନ୍‌ କରି ଜଣାଇଥିଲେ। ବାବୁଲିଙ୍କ ପାଖରେ ପିଲାଟିକୁ ଛାଡ଼ିଥିବା ‌ବ୍ୟକ୍ତିଦ୍ବୟ ଏହି ଶିଶୁ ବିକ୍ରି ମାମଲା ବାବଦରେ ଜାଣନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe