ଗୋଟିଏ ପ୍ରାର୍ଥୀଙ୍କର ୨ ପିତା ଅଭିଯୋଗ

ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିସନ୍‌

ଗୋଟିଏ ପ୍ରାର୍ଥୀଙ୍କର ୨ ପିତା ଅଭିଯୋଗ

Ommcom News

ଭୁବନେଶ୍ବର: ୱାର୍ଡ-୪୫ର ବିଜେଡି କର୍ପୋରେଟର ପ୍ରାର୍ଥୀ ଅମରେଶ ଜେନାଙ୍କ ନାମରେ ସେହି ୱାର୍ଡର ବିଜେପି ପ୍ରାର୍ଥୀ ଜ୍ୟୋତିରେଖା ନାୟକ ଏକ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଶ୍ରୀ ଜେନା ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ ତାଙ୍କ ପିତାଙ୍କ ନାମ ସ୍ବର୍ଗତ ଉଲ୍ଲାସ ଜେନା ଉଲ୍ଲେଖ କରିଥିବା ବେଳେ ସେହି ସତ୍ୟପାଠରେ ଯେଉଁ ସମ୍ପତ୍ତି ତାଲିକା ଦେଇଛନ୍ତି ସେଥିରେ ପିତା‌ଙ୍କ ନାମ ହେମନ୍ତ କୁମାର ଜେନା ବୋଲି ଦର୍ଶାଯାଇଛି।

ଏପରିକି ବିଭିନ୍ନ ଥାନ‌ାରେ ଅମରେଶଙ୍କ ନାମରେ ଯେଉଁ ମାମଲା ରୁଜୁ ହୋଇଛି ସେଥିରେ ପିତାଙ୍କ ନାମ ହେମନ୍ତ ଜେନା ଉଲ୍ଲେଖ ଅଛି। ଜଣେ ବ୍ୟକ୍ତିଙ୍କର କିଭଳି ଦୁଇଟି ପିତା ବୋଲି ଜ୍ୟୋତିରେଖା ପ୍ରଶ୍ନ କରିଛନ୍ତି। ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିବା ପରେ କମିସନଙ୍କ ଉପସଚିବ ଆଜାଦ୍‌ ହିନ୍ଦ୍ ପାଣିଗ୍ରାହୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ଅମରେଶ ଜେନା କହିଛନ୍ତି ଯେ, ଏଥରର ନିର୍ବାଚନକୁ ମିଶାଇ ମୁଁ ୪ଥର ନିର୍ବାଚନ ଲଢ଼ୁଛି।

ମୋର ସାର୍ଟିଫିକେଟ୍, ପାନ୍‌କାର୍ଡ, ଆଧାର କାର୍ଡରେ ଥିବା ବାପାଙ୍କ ନାମ ସ୍ବର୍ଗତ ଉଲ୍ଲାସ ଜେନା ଉଲ୍ଲେଖ କରିଛି। ହେମନ୍ତ ଜେନା ମୋ ଭାଇ। କିଏ ଭୁଲ୍‌ରେ ମୋ ବାପାଙ୍କ ନାମ ଲେଖିଲେ ମୁଁ କ’ଣ କରିବି? ପରାଜୟ ଭୟରେ ଜ୍ୟୋତିରେଖା ମୋ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe