ଭୁବନେଶ୍ୱର: ୨୦୧୭ ନଭେମ୍ବର ୪ ତାରିଖ। କମିସନରେଟ୍ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଚୋରି ସାମଗ୍ରୀ ଫେରାଇବା ମେଳା। ପୁଲିସର ରିଜର୍ଭ ଗ୍ରାଉଣ୍ଡଠାରେ କମିସନରେଟ୍ ପୁଲିସ ପକ୍ଷରୁ ୪୩ ଜଣ ବାଇକ୍ ମାଲିକଙ୍କୁ ସେମାନଙ୍କ ବାଇକ୍, ୩ ଜଣଙ୍କୁ ମୋବାଇଲ ଓ କିଛି ବ୍ୟକ୍ତିବିଶେଷଙ୍କୁ ସୁନାଗହଣା ଆଦି ଫେରାଇ ଦିଆଯାଇଥିଲା। ଏହି ସମୟରେ କୁହାଯାଇଥିଲା, ମାସକୁ ଦୁଇଥର ଏଭଳି ମେଳା କରାଯାଇ ଚୋରି ହୋଇଥିବା ବ୍ୟକ୍ତିବିଶେଷଙ୍କ ସାମଗ୍ରୀ ଫେରାଇ ଦିଆଯିବ। ଏଭଳି ଯୋଜନାକୁ ୮ ମାସ ବିତି ଗଲାଣି। କିନ୍ତୁ ପୁଲିସ ପକ୍ଷରୁ ଥରୁଟିଏ ମଧ୍ୟ ଆଉ ମେଳା ଆୟୋଜନ କରାଯାଇନାହିଁ। ଫଳରେ ଜବତ ହୋଇଥିବା ସାମଗ୍ରୀ ଏବେ ବି ବିଭିନ୍ନ ଥାନାରେ ପଡ଼ି ରହିଛି। ପୁଲିସ ଜବତ କରିଥିବା ସାମଗ୍ରୀ ପାଇବା ପାଇଁ ଲୋକେ ପ୍ରତିଦିନ ଥାନାକୁ ଦୌଡୁଛନ୍ତି। କମିସନରେଟ୍ ପୁଲିସର ଏହି ଲୋକାଭିମୁଖୀ ଯୋଜନା କେବଳ କାଗଜପତ୍ରରେ ହିଁ ରହିଯାଇଛି ବୋଲି ଅଭିଯୋଗ ହେଉଛି। କମିସନରେଟ୍ ପୁଲିସ ପକ୍ଷରୁ ଯାହା ସୂଚନା ମିଳିଛି, ଏହି ୮ ମାସ ମଧ୍ୟରେ କମିସନରେଟ୍ ପୁଲିସ ପାଖାପାଖି ୧୦ଲକ୍ଷରୁ ଅଧିକ ଟଙ୍କାର ଚୋରି ହୋଇଥିବା ସମ୍ପତ୍ତି ଜବତ କରିଛି। ଏକାଧିକ ଲୁଟେରା ଗ୍ୟାଙ୍ଗ୍କୁ ଗିରଫ କରିଛି। ଜବତ ହୋଇଥିବା ଏହି ସମ୍ପତ୍ତିି ମଧ୍ୟରେ ରହିଛି, ପାଖାପାଖି ୯୫ରୁ ଅଧିକ ମୋବାଇଲ୍ ଫୋନ୍, ୪୫ରୁ ଅଧିକ ବାଇକ୍, ୫୬ ଗ୍ରାମର ସୁନାଗହଣା, ଏକାଧିକ ଲାପଟପ୍ ଭଳି ଅନେକ ଦାମୀ ସାମଗ୍ରୀ। ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଶ୍ରୀଲିଙ୍ଗରାଜ, କ୍ୟାପିଟାଲ, ଖାରବେଳନଗର, ବଡ଼ଗଡ଼ ଥାନା ପୁଲିସ ଏହି ସବୁ ସାମଗ୍ରୀ ଜବତ କରିଛି। କିନ୍ତୁ ୮ ମାସ ହେବ ପୁଲିସ ପକ୍ଷରୁ ଜବତ ସାମଗ୍ରୀ ଏଯାଏଁ କାହାରିକୁ ଫେରସ୍ତ କରାଯାଇ ନଥିବା ଜଣାଯାଇଛି।
ମାନସ କୁମାର ମହାନ୍ତି ନାମକ ଜଣେ ଯୁବକ କହିଛନ୍ତି, ତାଙ୍କ ମୋବାଇଲ୍ ଫୋନ୍ ୟୁନିଟ-୮ ଅଞ୍ଚଳରୁ ଦୁଇମାସ ତଳେ ଚୋରି ହୋଇଥିଲା। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିବାକୁ ପଛଘୁଞ୍ଚା ଦେଇଥିଲା। ପରବର୍ତୀ ସମୟରେ ମୋବାଇଲ୍ ଜବତ ହୋଇଥିଲା। କିନ୍ତୁ ଏବେ ଥାନାକୁ ମୋବାଇଲ୍ ପାଇଁ ଯିବାବେଳେ କୁହାଯାଉଛି କି, ତୁମ ଏତଲା କପି ଦିଅ। କାଗଜପତ୍ର ଦେଖାଇଲେ ମଧ୍ୟ ପୁଲିସ ମୋବାଇଲ୍ ଫୋନ୍ ଦେଉନାହାନ୍ତି। ସେହିପରି ଅନ୍ୟ ଜଣେ ଯୁବକ ଚିତ୍ତ ରାଉତ କହିଛନ୍ତି, ତାଙ୍କ ବାଇକ୍ ୧୦ ମାସ ତଳେ ଚୋରି ହୋଇଥିଲା। ବାଇକକୁ ଖଣ୍ଡଗିରି ଥାନା ପୁଲିସ ଜବତ କରିଛି ସତ। କିନ୍ତୁ ବାଇକ୍ର ଆଉ ଅବସ୍ଥା ନାହିଁ। ତେଣୁ କମିସନରେଟ ପୁଲିସ ଆରମ୍ଭ କରିଥିବା ସେହି ଲୋକାଭିମୁଖୀ ଯୋଜନା ବନ୍ଦ ହେବା ଉଚିତ ନୁହେଁ। ପ୍ରତି ମାସରେ ଏହା ଆୟୋଜନ କରାଗଲେ ଭଲ ହୁଅନ୍ତା ବୋଲି ଚିତ୍ତ କହିଛନ୍ତି।
ଚୋରି ଜିନିଷ ପାଇବା ପାଇଁ ଲୋକ ଡହଳବିକଳେ, ଓ୍ଵବସାଇଟ୍ରେ ମଧ୍ୟ ଅପଲୋଡ୍ ହେଉନି
ଅନ୍ୟପକ୍ଷରେ ଚୋରି ଯାଇଥିବା ବାଇକ୍ ଓ ମୋବାଇଲ୍ର ସନ୍ଧାନ ପାଇବା ପାଇଁ ଆଉ ଥାନାକୁ ଥାନା ଦୌଡ଼ିବାକୁ ପଡ଼ିବ ନାହିଁ। ଖୁବ୍ଶୀଘ୍ର ଜବତ ହୋଇଥିବା ଚୋରା ବାଇକ୍ ଓ ମୋବାଇଲ୍ର ତାଲିକା କମିସନରେଟ ପୁଲିସର େଓ୍ଵବସାଇଟ୍ରେ ରହିବ। ସେହି େଓ୍ଵବସାଇଟ୍ରୁ ତଥ୍ୟ ଦେଖି ଚୋରି ଯାଇଥିବା ବ୍ୟକ୍ତି ବିଶେଷମାନେ ଉପଯୁକ୍ତ କାଗଜପତ୍ର ଦେଖାଇ ଥାନାରୁ ନିଜ ବାଇକ୍ ଓ ମୋବାଇଲ୍ ଫୋନ୍ ନେଇପାରିବେ ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କିଛି ଦିନ ତଳେ ସୂଚନା ଦେଇଥିଲେ। କିନ୍ତୁ ଏଯାଏଁ କୌଣସି ତଥ୍ୟ େଓ୍ଵବସାଇଟ୍ରେ ଅପଲୋଡ୍ ହୋଇନାହିଁ। ଫଳରେ ଏବେ ଥାନାଗୁଡ଼ିକରେ ବାଇକ୍, ମୋବାଇଲ୍ ଓ ସୁନାଗହଣା ଆଦି ଭଳି ଜିନିଷପତ୍ର ଜମା ହୋଇ ରହୁଛି।
Follow Us