୧୦ଲକ୍ଷ ଲୋକ ପାଇଁ ଗୋଟିଏ ସରକାରୀ ଅଲଟ୍ରାସାଉଣ୍ଡ ମେସିନ୍‌, କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ମାସେ ଲାଗୁଛି

Advertisment

ବିଏମ୍‌ସି ହସ୍ପିଟାଲରେ ମେସିନ ଅଚଳ, ଆବଶ୍ୟକ ସଂଖ୍ୟକ ରେଡିଓଲୋଜିଷ୍ଟ ମିଳୁ ନାହାନ୍ତି: ସ୍ବାସ୍ଥ୍ୟ ଅଧିକାରୀ

ବିଏମ୍‌ସି ହସ୍ପିଟାଲରେ ମେସିନ ଅଚଳ, ଆବଶ୍ୟକ ସଂଖ୍ୟକ ରେଡିଓଲୋଜିଷ୍ଟ ମିଳୁ ନାହାନ୍ତି: ସ୍ବାସ୍ଥ୍ୟ ଅଧିକାରୀ

ଦୁଇ ଦୁଇ ଜଣ ଡାକ୍ତରଙ୍କ ଦାୟିତ୍ବହୀନତା: ପେଟରେ ଟ୍ୟୁମର, ବର୍ଷେ ହେଲା ଚାଲିଥିଲା ଗର୍ଭଧାରଣର ଚିକିତ୍ସା

Medical News Today

ଭୁବନେଶ୍ବର: ରାଜଧାନୀର ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ପାଇଁ ଅଛି ଗୋଟିଏ ମାତ୍ର ସରକାରୀ ଅଲଟ୍ରାସାଉଣ୍ଡ ମେସିନ୍। ତ‌ାହା ପୁଣି କ୍ୟାପିଟାଲ ହସ୍ପିଟାଲରେ। ଏହାବାଦ୍ ବିଏମ୍‌ସି ହସ୍ପିଟାଲରେ ଅଲଟ୍ରାସାଉଣ୍ଡ ମେସିନ୍ ଅଚଳ ହୋଇ ପଡ଼ିଥିବା ବେଳେ ରାଜଧାନୀର ଅନ୍ୟ ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ସୁବିଧା ନାହିଁ। ପରିସ୍ଥିତି ଏପରି ହୋଇଛି ଯେ କ୍ୟାପିଟାଲ ହସ୍ପିଟାଲକୁ ଅଲଟ୍ରାସାଉଣ୍ଡ ପାଇଁ ଯାଉଥିବା ରୋଗୀକୁ ପ୍ରାୟ ୧ମାସ ଅପେକ୍ଷା କରିବାକୁ ପଡ଼ୁଛି।

ଏହା ହେଉଛି ରାଜଧାନୀ ସ୍ବାସ୍ଥ୍ୟାବସ୍ଥାର ବିକଳ ଚିତ୍ର। ଗୋଟିଏ ପଟେ ରାଜ୍ୟ ସରକାର ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ପିଜି ଇନଷ୍ଟିଚ୍ୟୁଟ୍‌କୁ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ହେଲେ ଅଲଟ୍ରାସାଉଣ୍ଡ ଭଳି ଏକ ଜରୁରୀ ଓ ସାଧାରଣ ଚିକିତ୍ସା ସୁବିଧା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଅବ୍ୟବସ୍ଥାକୁ ସୁଧାରିବା ବଦଳରେ ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ଯୁକ୍ତି ହେଉଛି ରେଡିଓଲୋଜିଷ୍ଟ ମିଳୁ ନାହାନ୍ତି। ତେଣୁ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ହେବା ଏକପ୍ରକାର ଅସମ୍ଭବ ବୋଲି ଜଳଜଳ ହୋଇ ବାରି ହୋଇ ପଡ଼ୁଛି। କ୍ୟାପିଟାଲ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ ପାଇଁ ସମସ୍ୟା ନୁହେଁ। ଦୀର୍ଘଦିନ ଏଭଳି ସମସ୍ୟା ଲାଗି ରହିଛି। ଅଲଟ୍ରାସାଉଣ୍ଡ ମେସିନ୍ ପରିଚାଳନା ପାଇଁ ପିସିପିନ୍‌ଡିଟି ଆଇନ ଅନୁସାରେ ପଞ୍ଜୀକରଣ ସହିତ ଏଥିପାଇଁ ତାଲିମ୍‌ପ୍ରାପ୍ତ ଡାକ୍ତର ଜରୁରୀ। କ୍ୟାପିଟାଲ ହସ୍ପିଟାଲରେ ସମୁଦାୟ ଦୁଇଟି ଅଲଟ୍ରାସାଉଣ୍ଡ ମେସିନ୍ ରହିଛି। ଗୋଟିଏ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଓ ଅନ୍ୟଟି ସାଧାରଣ ରୋଗୀଙ୍କ ପାଇଁ। ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଯେଉଁ ମହିଳାମାନଙ୍କର ଏହା ଆବଶ୍ୟକ ପଡ଼ୁଛି ‌ତାଙ୍କୁ ଏହି ସେବା ମିଳୁଛି।

ମାତ୍ର ଅତ୍ୟନ୍ତ ଜରୁରୀ ନ ଥିଲେ ସାଧାରଣ ରୋଗୀଙ୍କ ପାଇଁ ମାସେ ଅପେକ୍ଷା କରିବାକୁ ପଡ଼ୁଛି। ହସ୍ପିଟାଲରେ ଜଣେ ମାତ୍ର ରେଡିଓଲୋଜିଷ୍ଟ ଥିବା ବେଳେ ଗୋଟିଏ ଦିନରେ ଏକାଧିକ ଲୋକଙ୍କ ଅଲଟ୍ରାସାଉଣ୍ଡ କରିବା ସମ୍ଭବ ହେଉନାହିଁ। ଖୋର୍ଧା ଜିଲ୍ଲା ବାଦ୍ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଅନେକ ପୁଲିସ ମାମଲାରେ ମଧ୍ୟ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ଯାହାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପ୍ରବଳ ଚାପ ପଡ଼ୁଛି।ହସ୍ପିଟାଲରେ ସିଟି ସ୍କାନ୍ ଓ ଏମ୍‌ଆରଆଇ ଭଳି ଅତ୍ୟାଧୁନିକ ଡାଏଗ୍ନୋସିସ୍ ସେବା ଦିଆଯାଉଛି। ଏସବୁ ସେବା ପାଇଁ ରାଜ୍ୟ ସରକାରଙ୍କ ସହିତ ତୃତୀୟ ପକ୍ଷ ସଂସ୍ଥାର ଚୁକ୍ତି ସ୍ବାକ୍ଷରିତ ହୋଇଛି। ହେଲେ ଅଲଟ୍ରାସାଉଣ୍ଡ କ୍ଷେତ୍ରରେ ସେଭଳି କୌଣସି ବ୍ୟବସ୍ଥା ନାହିଁ। ତେଣୁ ହସ୍ପିଟାଲରେ ଦିନ ଦିନ ଧରି ଅପେକ୍ଷା କରିବା ବଦଳରେ ଘରୋଇ ଡାଏଗ୍ନୋଷ୍ଟିକ୍ ସେଣ୍ଟର ଉପରେ ଲୋକମାନଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଯାହାଫଳରେ ଜଣେ ଗରିବ ରୋଗୀଟିକୁ ଅଯଥାରେ ଖର୍ଚାନ୍ତ‌ ହେବାକୁ ପଡ଼ୁଛି। ଅପରପକ୍ଷରେ ବିଏମ୍‌ସି ହସ୍ପିଟାଲରେ ମଧ୍ୟ ଗତ ୬ବର୍ଷ ଧରି ଅଲଟ୍ରାସାଉଣ୍ଡ ମେସିନ୍ ଅଚଳ ହୋଇ ପଡ଼ିଛି। ତାଲିମପ୍ରାପ୍ତ ଡାକ୍ତରଙ୍କ ଅଭାବ ପାଇଁ ବିଭାଗଟି ସଂପୂର୍ଣ୍ଣ ଅଚଳ ହୋଇଯାଇଛି। ଯଦି ରାଜଧାନୀର ଅନ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସି ସ୍ତରରେ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ଉପଲବ୍ଧ ହେଲେ କ୍ୟାପିଟାଲ ହସ୍ପିଟାଲରୁ ଚାପ କମିବା ସହିତ ଲୋକମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳିପାରନ୍ତା ବୋଲି ସାଧାରଣାରେ ଦାବି ହେଉଛି।

କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁଙ୍କ କହିଛନ୍ତି, ଡାକ୍ତରଙ୍କ ଅଭାବ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। କଣ୍ଟ୍ରାକ୍‌ଚୁଆଲ ରେଡିଓଲୋଜିଷ୍ଟଙ୍କୁ ନିଯୁକ୍ତି ଦେବା ଲାଗି ହସ୍ପିଟାଲ ପକ୍ଷରୁ ଅନେକ ଉଦ୍ୟମ କରାଯାଇଥିଲେ ହେଁ, କେହି ମିଳୁ ନାହାନ୍ତି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ରଙ୍କ କହିବା କଥା, ରାଜ୍ୟରେ ରେଡିଓଲୋଜିଷ୍ଟ ଯଥେଷ୍ଟ ଅଭାବ ରହିଛି। ରାଜ୍ୟରେ ସମୁଦାୟ ୯୪ଟି ଫାଷ୍ଟ ରେଫରାଲ ୟୁନିଟ୍ ବା ଏଫ୍‌ଆର୍‌ୟୁରେ ଅଲଟ୍ରାସାଉଣ୍ଡ ସୁବିଧା କରିବା ଲାଗି ଉଦ୍ୟମ କରାଯାଉଛି। ଅଧିକାଂଶ ଏଫ୍‌ଆର୍‌ୟୁରେ ତାଲିମପ୍ରାପ୍ତ ଡାକ୍ତର ନିଯୁକ୍ତ କରାଯାଇଛି। ଖାଲି ରହିଥିବା ସ୍ଥାନରେ ଡାକ୍ତରଙ୍କୁ ନିଯୁକ୍ତି ଦେବା ଲାଗି ଉଦ୍ୟମ କରାଯାଉଥିବା ଡା.ମହାପାତ୍ର କହିଛନ୍ତି।

ରେଡିଓ ଡାଏଗ୍ନୋସିସ୍ ପାଠ୍ୟକ୍ରମର ଚାହିଦା ଅଧିକ, ସରକାରୀ ବ୍ୟବସ୍ଥାରେ ରହୁନାହାନ୍ତି
ରାଜ୍ୟର ୩ଟି ପୁରାତନ ମେଡିକାଲ କଲେଜ ଏସ୍‌ସିବି, ଏମ୍‌କେସିଜି ଓ ଭିମ୍‌ସାରରେ ରେଡିଓ ଡାଏଗ୍ନୋସିସ୍ ପାଠ୍ୟକ୍ରମ ରହିଛି। ପ୍ରତ୍ୟେକ ମେଡିକାଲ କଲେଜରେ ୩୦ଟି ଲେଖାଏଁ ସିଟ୍‌ ରହିଛି। ଗତ କିଛିବର୍ଷ ହେବ ଏହି ପାଠ୍ୟକ୍ରମର ବେଶ୍ ଚାହିଦା ଦେଖିବାକୁ ମିଳୁଛି। ପ୍ରତିବର୍ଷ ବହୁ ସଂଖ୍ୟାରେ ଡାକ୍ତର ଏଭଳି ପାଠ୍ୟକ୍ରମରୁ ଉତ୍ତୀର୍ଣ୍ଣ ହେଉଛନ୍ତି। ହେଲେ ତହିଁରୁ ଯଥେଷ୍ଟ କମ୍ ସଂଖ୍ୟକ ସରକାରୀ ବ୍ୟବସ୍ଥାକୁ ଆସୁଛନ୍ତି। ଘରୋଇ ଡାଏଗ୍ନୋଷ୍ଟିକ ସେଣ୍ଟର/ହସ୍ପିଟାଲରେ ଡାକ୍ତରମାନଙ୍କୁ ଯେଉଁ ଆର୍ଥିକ ସହାୟତା ମିଳୁଛି ତାହା ସରକାରୀ ବ୍ୟବସ୍ଥାରେ ମିଳୁ ନ ଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଅନେକ ସରକାରୀ ବ୍ୟବସ୍ଥାରୁ ମୁହଁ ଫେରାଇ ନେଉଛନ୍ତି। ଏଭଳି ବ୍ୟବସ୍ଥା ଲାଗି ରହିଲେ ରାଜ୍ୟରେ ଆଗାମୀ ଦିନରେ ସରକାରୀ ବ୍ୟବସ୍ଥାରେ ଅଲଟ୍ରାସାଉଣ୍ଡ ନେଇ ଆହୁରି ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ରେଡିଓଲୋଜିପରେ ପିଜି ସିଟ୍‌ ସଂଖ୍ୟାରେ ବୃଦ୍ଧି କରିଛନ୍ତି। ଏପରିକି ପ୍ରତିବର୍ଷ ୬୦ଜଣଙ୍କୁ ଅଲଟ୍ରାସାଉଣ୍ଡ ପାଇଁ ୬ମାସିଆ ତାଲିମ ପ୍ରଦାନ କରାଯାଉଛି। ହେଲେ ଅନେକ ଡାକ୍ତର ସରକାରୀ ବ୍ୟବସ୍ଥାରେ ରହୁ ନାହାନ୍ତି। ଏଥିପାଇଁ ସେମାନଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ। ହେଲେ ସିଟ୍ ସଂଖ୍ୟା ବଢ଼ିବା ଓ ଅଧିକରୁ ଅଧିକ ଡାକ୍ତରଙ୍କୁ ପ୍ରତିବର୍ଷ ତାଲିମ ଦିଆଯାଉଥିବାରୁ ଧୀରେ ଧୀରେ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଥିବା ଡା.ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe