କରୋନା କମେଇଲା ପିଆଜ ଦର

ଏବେ ଚାଷୀ କାନ୍ଦୁଛି, ଆଗକୁ କାନ୍ଦିବେ ଖାଉଟି: ସଂରକ୍ଷଣ ବ୍ୟବସ୍ଥା ନାହିଁ, ପିଆଜର ଅଭାବୀ ବିକ୍ରି

Image Source: Deccan Chronicle

ଭୁବନେଶ୍ବର : ମହାମାରୀ କ‌‌ୋଭିଡ୍‌-୧୯ ଯୋଗୁଁ ଏବେ ପିଆଜ ବଜାର ପ୍ରଭାବିତ ହୋଇଛି। ଦର ହ୍ରାସ ପାଇଥିବାରୁ ଖାଉଟିଙ୍କୁ ଆଶ୍ବସ୍ତି ମିଳିଥିଲେ ହେଁ ଚାଷୀମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କରୋନା କଟକଣା ତାଲାବନ୍ଦ ଆରମ୍ଭରେ ପାଇକାରୀ ଦର କିଲୋ ପିଛା ୩୦ ଟଙ୍କା‌ରେ ବିକ୍ରି ହେଉଥିବା ପିଆଜ ଏବେ କିଲୋ ପିଛା ୧୦ ଟଙ୍କାକୁ ଖସି ଆସିଛି। ମାତ୍ର ଗୋଟିଏ ମାସ‌ରେ ୨୦ ଟଙ୍କା ହ୍ରାସ ଖ‌ାଉଟିଙ୍କ ପାଇଁ ଭଲ ଖବର ହୋଇଥିଲେ ହେଁ ପିଆଜ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ଓ ଏହା ଭବିଷ୍ୟତ ପାଇଁ ଅନୁକୂଳ ନୁହେଁ ବୋଲି କୁହାଯାଉଛି।

କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଏବେ ପିଆଜ କ୍ବିଣ୍ଟାଲ ଏକ ହଜାର ଟଙ୍କାରୁ ୧୨ ଶହ ଟଙ୍କା ମଧ୍ୟରେ ରହିଛି। ନାସିକ୍‌ରୁ ଆସୁଥିବା ଉଚ୍ଚ ମାନର ପିଆଜ(ରପ୍ତାନୀଯୋଗ୍ୟ) କ୍ବିଣ୍ଟାଲ ୧୨ ଶହ ଟଙ୍କା ରହିଛି। ଏବେ ଓଡ଼ିଶାକୁ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ପିଆଜ ଆସୁଛି। ରାଜଧାନୀକୁ ଦୈନିକ ପାଖାପାଖି ୧୫୦ ଟନ୍ ପିଆଜ ଆବଶ୍ୟକ ହେଉଥିବାବେଳେ ଏବେ ୨୫୦ରୁ ୩୦୦ ଟନ୍ ପିଆଜ ଆମଦାନି ହେଉଛି। ସମଗ୍ର ଦେଶରେ ତାଲା ବନ୍ଦ ଲାଗୁ ହୋଇଥିବାରୁ ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ରହିଛି। ଫଳରେ ପିଆଜ ବଜାର ପୂରା ମାନ୍ଦା ରହିଛି। ସେହିଭଳି ସାଧାରଣସ୍ତରରେ ଲୋକମାନେ ରୋଜଗାର ହରାଇଥିବାରୁ ଘରେ ଘରେ ପିଆଜ ବ୍ୟବହାର ମଧ୍ୟ କମିଛି। ତେଣୁ ସ୍ବତଃ ପିଆଜର ଖ‌ାଉଟି ବଜାର ମାନ୍ଦାବସ୍ଥାକୁ ଖସିଆସିଛି। ତେଣୁ ପାଇକାରୀ ଦର ଅନୁସାରେ ଏବେ ଖୁଚୁରା ବଜାରରେ ପିଆଜ କିଲୋ ୧୫ ଟଙ୍କା ରହିଛି। ଏମିତିକି ବଡ଼ ବଡ଼ ଖୁଚୁରା ବେପାରୀମାନେ ଦେଢ଼କିଲୋକୁ ୨୦ ଟଙ୍କାରେ ବିକୁଥିବା ଦେଖିବାକୁ ମିଳିଛି। ଗତବର୍ଷ ପ୍ରବଳ ବର୍ଷା କାରଣରୁ ପିଆଜର ଖରିଫ୍ ଋତୁ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ମହାରାଷ୍ଟ୍ର, କର୍ଣ୍ଣାଟକରେ ବନ୍ୟା କାରଣରୁ ପିଆଜ ଚାଷ କ୍ଷତିଗ୍ରସ୍ତ ହୋଇଥିଲା ଓ ଏହି କାରଣରୁ ଗତ ନଭେମ୍ବର ମାସରୁ ପିଆଜ ଦର ବଢ଼ି ବଢ଼ି ୨ ଶହ ଟଙ୍କାକୁ ଛୁଇଁ ଯାଇଥିଲା। ତେବେ ରବି ଋତୁରେ ପିଆଜ ଅମଳ ହେବା ପରେ ଦର ହ୍ରାସ ପାଇଥିଲା ଓ ଫେବ୍ରୁଆରି ମାସ ବେଳକୁ କିଲୋ ୩୦ ଟଙ୍କାକୁ ଖସି ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe