ବଢି ଚାଲିଛି ଅନ୍‌ଲାଇନ୍ ମଦ ଠକେଇ: କେମିତି ରୋକାଯିବ, କିଏ ନେବ ପଦକ୍ଷେପ?

Advertisment
ପଦାକୁ ଆସିଲା ଅବକାରୀ କର୍ମଚାରୀଙ୍କ କଲ୍‌ ରେକର୍ଡିଂ: ‘ଚାନ୍ଦା ଦିଅ, ଚୋରା ମଦ କାରବାର କର’

picz.ge

ଭୁବନେଶ୍ବର: କରୋନା ମୁକାବିଲା ଲାଗି ସବୁଆଡ଼େ ଲକ୍‌ଡାଉନ୍। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଦେଲେ ବାକି ସମସ୍ତ ଦୋକାନ ବନ୍ଦ ରହିଛି। ରାଜ୍ୟବ୍ୟାପୀ ମଦ ଦୋକାନରେ ତାଲା ପଡ଼ିଛି। ଚୋରା ମଦ କାରବାର ବଢ଼ି ଚାଲିଥିବା ବେଳେ ମଦୁଆଙ୍କୁ ଲୁଟିବା ପାଇଁ ମାତିଛନ୍ତି ସାଇବର ଠକ। ସୋସିଆଲ ମିଡ଼ିଆରେ ମଦ ହୋମ୍ ଡେଲିଭରି ବିଜ୍ଞାପନ ଦେଇ ଲୁଟି ଚାଲିଛନ୍ତି ଟଙ୍କା। ରାଜଧାନୀର ବିଭିନ୍ନ ଥାନାରେ ଏ ନେଇ ଅଭିଯୋଗ ପହଞ୍ଚିଥିବା ବେଳେ ଆଉ କେତେକ ଅଭିଯୋଗ କରିବାକୁ ଥାନାକୁ ଆସୁ ନାହାନ୍ତି। ଦିନକୁ ଦିନ ଠକେଇ ବଢିବାରେ ଲାଗିଛି। କିନ୍ତୁ ଏହାକୁ ରୋକିବାକୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଲକ୍‌ଡାଉନ୍‌ରେ ଠକଙ୍କ ନୂଆ ତରିକା ଏବେ ଚିନ୍ତାର କାରଣ ପାଲଟିଛି।

ଏମିତି ଚାଲିଛି ଠକାମି
ମଦ ଦୋକାନ ବନ୍ଦ ଥିବାରୁ ମଦ ସହଜରେ କେମିତି ମିଳିବ, ସେ ନେଇ ବିଭିନ୍ନ ବ୍ୟକ୍ତି ସୋସିଆଲ୍ ମିଡ଼ିଆରେ ସର୍ଚ୍ଚ କରୁଛନ୍ତି। ସର୍ଚ୍ଚ କରିବା ସମୟରେ ଫେସବୁକରେ କେତେକ ନାମୀ ମଦ ଦୋକାନର ବିଜ୍ଞାପନ ପାଉଛନ୍ତି। ଯେ କୌଣସି ବ୍ରାଣ୍ଡର ମଦ ନେବା ପାଇଁ ହେଲେ ଫେସବୁକ ବିଜ୍ଞାପନରେ ଦିଆ ଯାଇଥିବା ମୋବାଇଲ ନମ୍ବରରେ ହ୍ବାଟସ ଆପ୍ ମେସେଜ୍ କରିବା ପାଇଁ କୁହାଯାଇଛି। ମେସେଜ୍ କରିବା ପରେ ଏକ ଆକାଉଣ୍ଟ ନମ୍ବରରେ ଟଙ୍କା ଡିପୋଜିଟ୍ କରିବା ପାଇଁ ପାଲଟା ଉତ୍ତର ଆସୁଛି। ଟଙ୍କା ଦେବାର ୨୪ ଘଣ୍ଟା ଭିତରେ ମଦ ପହଞ୍ଚିବ ବୋଲି ସେପଟୁ କୁହାଯାଉଛି। କିନ୍ତୁ ମଦ ନ ପହଞ୍ଚିବାରୁ ଟଙ୍କା ଦେଇଥିବା ବ୍ୟକ୍ତି ସେହି ମୋବାଇଲ ନମ୍ବରକୁ ଯୋଗାଯୋଗ କରିବା ପରେ ଆଉ ପତ୍ତା ମିଳୁନି। ସାଇବର ଠକ ଗୋଟିଏ ଜାଗାରେ ବସି ଏଭଳି ମଦ ଦୋକାନ ନାଁରେ ଜାଲ୍ ବିଜ୍ଞାପନ ଦେଇ ଲୁଟୁଥିବା ପୁଲିସ ଜାଣିବାକୁ ପାଇଛି। ଉତ୍ତରପ୍ରଦେଶ, ଝାଡଖଣ୍ଡରୁ ଏଭଳି ଠକେଇ ଚାଲିଛି।

ଦେଶରେ ଅନ୍‌ଲାଇନ୍ ମଦ ବିକ୍ରି ବ୍ୟବସ୍ଥା ନାହିଁ
ଦେଶରେ ଅନ୍‌ଲାଇନ୍ ମଦ ବିକ୍ରି ବ୍ୟବସ୍ଥା କେଉଁଠି ନାହିଁ। ଅବକାରୀ ଆଇନରେ ବି ଏଭଳି ବ୍ୟବସ୍ଥା ନାହିଁ। ସେଥିଲାଗି ମଦ ଦୋକାନ, ବାର, ପାର୍ଲର ଖୋଲା ଯାଇଥାଏ। ଅନଲାଇନ ମଦ ବିକ୍ରି ବ୍ୟବସ୍ଥା ନାହିଁ ବୋଲି ଏ ବିଷୟରେ ଅନେକ ଲୋକ ସଚେତନ ନାହାନ୍ତି। ଫଳରେ ଠକାମିର ଶିକାର ହେଉଛନ୍ତି। ଅନଲାଇନ୍‌ ମଦ ଠକେଇ ନେଇ ଏକାଧିକ ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ କରିବା ଲାଗି ମଞ୍ଚେଶ୍ବର ଥାନାକୁ ଚିଠି ଲେଖା ଯାଇଥିବା ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟ କହିଛନ୍ତି।

ଫେସବୁକକୁ ଚିଠି ଲେଖି ବନ୍ଦ କରିହେବ
ସାଇବର ବିଶେଷଜ୍ଞ ଚନ୍ଦ୍ରଶେଖର ବିଶ୍ବାଳଙ୍କ କହିବା ଅନୁସାରେ ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ ପକ୍ଷରୁ ଫେସବୁକ କର୍ତ୍ତୃପକ୍ଷଙ୍କୁ ଜାଲ ପୋଷ୍ଟକୁ ହଟାଇବା ଲାଗି ଚିଠି ଲେଖା ଯାଇପାରିବ। ଏକାଧିକ ୟୁଜର୍ସ ଯଦି ଅଭିଯୋଗ କରନ୍ତି, ତା’ ହେଲେ ବି ପୋଷ୍ଟକୁ ଫେସବୁକ କର୍ତ୍ତୃପକ୍ଷ ହଟାଇ ଦେଇପାରିବେ। ଏ ନେଇ ଏକ ସଚେତନତା ଆଡଭାଇଜରି ମଧ୍ୟ ଜାରି କରାଯିବାର ଆବଶ୍ୟକତା ରହିଛି। ପୁଲିସ ବି ଆଡଭାଇଜରି ଜାରି କରିପାରିବ। ଏହା ଠକେଇ ମାମଲା ହୋଇଥିବାରୁ ଅବକାରୀ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇ ପାରିବ ଓ ଠକାମିକୁ ରୋକି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe