ପୂର୍ବ ଭାରତର କେବଳ ଓଡ଼ିଶାରେ ମିଳୁଛି ବିଶ୍ୱସ୍ତରୀୟ ଏଣ୍ଡୋସ୍କୋପି ଚିକିତ୍ସା ସୁବିଧା

ଜାପାନୀ ଜ୍ଞାନକୌଶଳରେ ୬୬ଜଣଙ୍କ ସଫଳ ଅସ୍ତ୍ରୋପଚାର ଏକ ବିରଳ କୃତିତ୍ୱ: ଡ. ମନୋଜ ସାହୁ

ପୂର୍ବ ଭାରତର କେବଳ ଓଡ଼ିଶାରେ ମିଳୁଛି ବିଶ୍ୱସ୍ତରୀୟ ଏଣ୍ଡୋସ୍କୋପି ଚିକିତ୍ସା ସୁବିଧା

ଭୁବନେଶ୍ୱର: ଉନ୍ନତ ଡାକ୍ତରୀ ବିଦ୍ୟାର ପ୍ରସାର କରି ରୋଗୀଙ୍କୁ ଉପକୃତ କରିବା ସହ ଓଡ଼ିଶା ଏବଂ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଆୟୋଜିତ ହୋଇଯାଇଛି ‘‘ଥାର୍ଡ ସ୍ପେସ୍‌ ଏଣ୍ଡୋସ୍କୋପି ଉପରେ ପ୍ରଥମ ହାଇବ୍ରିଡ୍‌ ସିଂପୋସିୟମ କର୍ମଶାଳା’’। ପ୍ରସିଦ୍ଧ ପେଟରୋଗ ବିଶେଷଜ୍ଞ ଡାକ୍ତର ମନୋଜ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭୁବନେଶ୍ୱରସ୍ଥିତ ହୋଟେଲ ମେ’ ଫେୟାରରେ ଆୟୋଜିତ ଏହି କର୍ମଶାଳାକୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସହସମ୍ପାଦକ ଦୀପକ ରାଉତ୍ରାଲ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶ ବିଦେଶର ବିଭିନ୍ନ ଅଞ୍ଚଳରୁ ଶତାଧିକ ଡାକ୍ତର ପ୍ରତ୍ୟକ୍ଷ ଏବଂ ଭର୍ଚୁ୍ଆଲରେ ଯୋଗ ଦେଇଥିଲେ। ଏଥିସହ କର୍ମଶାଳାରେ ଡ. ରାଜେଶ ପୁରୀ ଜାପାନରୁ ଆରମ୍ଭ ହୋଇଥିବା ଏହି ଜ୍ଞାନକୌଶଳ ଜରିଆରେ ସଫଳ ଲାଇଭ୍‌ ଅପରେସନ୍‌ କରି ଦେଖାଇଥିଲେ। ଓଡ଼ିଶାରେ ପ୍ରଥମଥର ଲାଗି ଏଭଳି କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ପୂର୍ବ ଭାରତର କେବଳ ଭୁବନେଶ୍ୱର ସମ୍‌ ହସ୍ପିଟାଲ ଏଯାବତ୍‌ ୬୬ଜଣଙ୍କ ସଫଳ ଅସ୍ତ୍ରୋପଚାର କରିଥିବା ସୂଚନା ଦେଇଛନ୍ତି ବରିଷ୍ଠ ଡାକ୍ତର ମନୋଜ ସାହୁ।

ଏହି ପ୍ରକ୍ରିୟାର ଅସ୍ତ୍ରୋପଚାର ଦ୍ବାରା କମ୍‌ ଖର୍ଚରେ ଅନେକ ପେଟ ରୋଗକୁ ସଫଳତାର ସହ ନିରାକରଣ କରାଯାଇ ପାରୁଛି। ଖାଦ୍ୟନଳୀ ମଧ୍ୟ ଦେଇ ପେଟ ମଧ୍ୟକୁ ପ୍ରବେଶ କରିବା ସହିତ ଏହି ପଦ୍ଧତିରେ ଅସ୍ତ୍ରୋପଚାର କରାଯାଉଥିବା ବେଳେ ଏଥିରେ କମ୍‌ ସମୟରେ ସଠିକ ଅସ୍ତ୍ରୋପଚାର ହୋଇପାରୁଥିବା ସୂଚନା ଦେଇଛନ୍ତି ଡ. ମନୋଜ ସାହୁ। ଆଗାମୀ ଦିନରେ ଏହି ପ୍ରଣାଳୀ ରାଜ୍ୟ ଚିକିତ୍ସାକୁ ବିଶ୍ୱସ୍ତରୀୟ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି କର୍ମଶାଳାରେ ଉପସ୍ଥିତ ଡାକ୍ତର। କର୍ମଶାଳାରେ ଡା. ମାନସ କୁମାର ବେହେରା, ଏସ୍‌ ପି ସିଂ, ଏ ସି ଆନନ୍ଦ, ସିଆର୍‌ ପଣ୍ଡା, ଏସ୍‌ ସି ସାମଲ, ଡା. ଏମ୍ ଡି ଇବ୍ରାରୁଲହା, ଡା. ସୁଶାନ୍ତ ସେଠି ପ୍ରମୁଖ ଡା. ମନୋଜ ସାହୁଙ୍କୁ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe