ଖୋଲିଲା ୧୧୭ଟି ପିଆରଏସ୍, ଖୋର୍ଧାରୋଡ୍‌ରେ ୩୪୨ଟି ଟିକେଟ୍‌ ବିକ୍ରି

୧୫ ଯୋଡ଼ା ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ପଦ୍ଧତିରେ ସଂଶୋଧନ କଲା ରେଳ ବିଭାଗ

ଖୋଲିଲା ୧୧୭ଟି ପିଆରଏସ୍, ଖୋର୍ଧାରୋଡ୍‌ରେ ୩୪୨ଟି ଟିକେଟ୍‌ ବିକ୍ରି

ଭୁବନେଶ୍ୱର: ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନ୍‌ର କାଉଣ୍ଟର୍‌ରେ ଆଜିଠାରୁ ସଂରକ୍ଷିତ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଖୋର୍ଦ୍ଧାରୋଡ୍‌ ଡିଭିଜନ୍‌ ଅଧୀନରେ ଓଡ଼ିଶାରେ ୩୬ଟି ଓ ଆନ୍ଧ୍ରପ୍ରଦେଶରେ ୩ଟି ଏହିପରି ମୋଟ ୩୯ଟି ପିଆରଏସ୍ (ପ୍ୟାସେଞ୍ଜର ରିଜର୍ଭେସନ ସିଷ୍ଟମ) ଖୋଲାଯାଇଛି। ସେହିପରି ୱାଲଟିୟର୍‌ ଡିଭିଜନ୍‌ ଅଧୀନରେ ଓଡ଼ିଶାରେ ୬ଟି, ଆନ୍ଧ୍ରପ୍ରଦେଶରେ ୨୦ଟି, ଛତିଶଗଡ଼ରେ ୪ଟି ଏହିପରି ଭାବେ ୩୦ଟି, ସମ୍ବଲପୁର ଡିଭିଜନ୍‌ ଅଧୀନ ଓଡ଼ିଶାରେ ୪୫ଟି ଓ ଛତିଶଗଡ଼ରେ ୩ଟି ଏହିପରି ଭାବେ ୪୮ଟି ପିଆରଏସ୍ ଖୋଲାଯାଇଛି। ମୋଟ ୧୧୭ଟି ପିଆରଏସ୍ ଖୋଲାଯାଇ ଟିକେଟ ବିକ୍ରି କରାଯାଇଛି। ଯେଉଁଥିରେ ଓଡ଼ିଶାରେ ୮୭, ଆନ୍ଧ୍ରପ୍ରଦେଶରେ ୨୩, ଛତିଶଗଡ଼ରେ ୭ଟି ରହିଛି। ଖୋର୍ଧାରୋଡ୍‌ ଡିଭିଜନ୍‌ରେ ମୋଟ ୩୪୨ଟି ଟିକେଟ୍‌ ୧ଲକ୍ଷ ୬୬ ହଜାର ୮୫୦ ଟଙ୍କାରେ ବିକ୍ରି ହୋଇଛି। ଅନ୍ୟପକ୍ଷରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ଜାରି ରହିଛି। ଗତକାଲି ସୁଦ୍ଧା ୬୯ଟି ଟ୍ରେନ୍‌ ଓଡ଼ିଶାକୁ ଆସିଥିବା ବେଳେ ଆଜି ଦୁଇଟି ଟ୍ରେନ୍‌ ତାମିଲନାଡୁ ଓ ତେଲେଙ୍ଗାନାରୁ ଆସି ପହଞ୍ଚିଛି। ଏଥିସହ ଆଉ ଦୁଇଟି ଟ୍ରେନ୍‌ ଆଜି ଓଡ଼ିଶା ଅଭିମୁଖେ ବାହାରିଛି।

ଆଗୁଆ ସଂରକ୍ଷଣ ଅବଧି ୩୦ ଦିନକୁ ବୃଦ୍ଧି
ମେ’ ୩୧ରୁ ଚାଲିବାକୁ ଥିବା ଟ୍ରେନ୍‌ ପାଇଁ ଲାଗୁ

ଅପରପକ୍ଷେ ମେ’ ୧୨ତାରିଖରୁ ଚଳାଚଳ ଆରମ୍ଭ କରିଥିବା ୧୫ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକର ବୁକିଂ ନିୟମାବଳୀରେ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସବୁ ଟ୍ରେନ୍‌ ପାଇଁ ଆଗୁଆ ସଂରକ୍ଷଣ ଅବଧି ୭ରୁ ୩୦ ଦିନକୁ ବୃଦ୍ଧି କରାଯାଇଛି। କୌଣସି ତତ୍କାଳ ବୁକିଂ ହୋଇପାରିବ ନାହିଁ। ଆର୍‌ଏସି ଓ ୱେଟିଂ ଲିଷ୍ଟ ଟିକେଟ୍‌ ଆବଶ୍ୟକ ନିୟମାନୁସାରେ ହେବ। ୱେଟିଂ ଲିଷ୍ଟ‌ରେ ଥିବା ଯାତ୍ରୀମାନେ ଟ୍ରେନ୍‌ରେ ଯାତ୍ରା କରିପାରିବେ ନାହିଁ। ଟ୍ରେନ୍‌ ଛାଡ଼ିବାର ୪ ଘଣ୍ଟା ପୂର୍ବରୁ ପ୍ରଥମ ତାଲିକା ଓ ୨ ଘଣ୍ଟା ପୂର୍ବରୁ ଦ୍ବିତୀୟ ତାଲିକା ବାହାରିବ। ପ୍ରଥମ ଓ ଦ୍ବିତୀୟ ତାଲିକା ଅବଧି ମଧ୍ୟରେ କରେଣ୍ଟ ବୁକିଂ ହୋଇପାରିବ। ଏହି ନିୟମାବଳୀ ମେ’ ୨୪ଠାରୁ ହେବାକୁ ଥିବା ଟିକେଟ୍‌ ବୁକିଂ ଏବଂ ମେ’ ୩୧ଠାରୁ ଚାଲିବାକୁ ଥିବା ଟ୍ରେନ୍‌ ପାଇଁ ଲାଗୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe