ଝାରପଡ଼ା ଜେଲ୍‌ରେ ମୁକ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷାକେନ୍ଦ୍ର: ଅନ୍ତେବାସୀଙ୍କୁ ମିଳିବ ମାଗଣା ଉଚ୍ଚ ଶିକ୍ଷା

Advertisment
ଝାରପଡ଼ା ଜେଲ୍‌ରେ ମୁକ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷାକେନ୍ଦ୍ର: ଅନ୍ତେବାସୀଙ୍କୁ ମିଳିବ ମାଗଣା ଉଚ୍ଚ ଶିକ୍ଷା

close up of hands in jail background.

ଭୁବନେଶ୍ୱର: ଏଣିକି ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେନି ଜେଲ୍‌ରେ ରହୁଥିବା ବିଚାରାଧୀନ ଅନ୍ତେବାସୀ। ଜେଲ୍‌ ସଂସ୍କାର କାର୍ଯ୍ୟକ୍ରମରେ ଏଣିକି ଜେଲ୍‌ ଅନ୍ତେବାସୀଙ୍କୁ ମାଗଣାରେ ଉଚ୍ଚ ଶିକ୍ଷା ମିଳିବ। ସେମାନଙ୍କୁ ଯୁକ୍ତ ୩ରୁ ଆରମ୍ଭ କରି ଡିପ୍ଲୋମା, ସାଇବର ସିକ୍ୟୁରିଟି, ବୈଷୟିକ ଶିକ୍ଷା, ସ୍ନାତକୋତ୍ତର ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ। ଆଜି ଝାରପଡ଼ା ସ୍ବତନ୍ତ୍ର କାରାଗାର ପରିସରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ୮୨ତମ ଶିକ୍ଷାକେନ୍ଦ୍ର ଉଦ୍‌ଘାଟନ ଉତ୍ସବର ମୁଖ୍ୟଅତିଥି ଜେଲ୍ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି। ଏହି ଶିକ୍ଷାକେନ୍ଦ୍ରରେ ଉଚ୍ଚ ଶିକ୍ଷା ପାଇଁ ସାମିଲ୍‌ ହେବାକୁ ସେ ଅନ୍ତେବାସୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ କୁଳପତି ପ୍ରଫେସର ଡକ୍ଟର ଅର୍କ କୁମାର ଦାସ ମହାପାତ୍ର କହିଲେ ଯେ ଶିକ୍ଷାର୍ଥୀମାନଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଜ୍ଞାବଦ୍ଧ। ଅନ୍ୟତମ ଅତିଥି ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର, ଜେଲ୍ ଅଧୀକ୍ଷକ ସରୋଜ କୁମାର ବିଶ୍ୱାଳ, ଜେଲର୍‌ ସନ୍ତୋଷିନୀ ଦାସ, ଆଞ୍ଚଳିକ କେନ୍ଦ୍ରର ଇନ୍‌ଚାର୍ଜ ଡକ୍ଟର ଦିଲ୍ଲୀପ କୁମାର ନାୟକ ‌ଯୋଗ ଦେଇଥିଲେ।

ଆଜି ପ୍ରଥମ ଦିନରେ ୧୫ ଜଣ ଅନ୍ତେବାସୀ ବିଭିନ୍ନ ପାଠ୍ୟକ୍ରମରେ ସାମିଲ୍ ହୋଇଛନ୍ତି। କାରାଗାରରେ ବିଭିନ୍ନ କକ୍ଷଗୁଡ଼ିକ ବିଶ୍ୱବିଦ୍ୟାଳୟର ଶ୍ରେଣୀଗୃହ ଭାବ ବ୍ୟବହାର କରାଯିବ। ବର୍ତ୍ତମାନ ବିଶ୍ବବିଦ୍ୟାଳୟ ରାଜ୍ୟର ବିଭିନ୍ନ ମଣ୍ଡଳ କାରାଗାର ଯଥା- ଚୌଦ୍ୱାର ସର୍କଲ ଜେଲ୍‌, ସମ୍ବଲପୁର ସର୍କଲ ଜେଲ୍‌, ବ୍ରହ୍ମପୁର ସର୍କଲ ଜେଲ୍‌ରେ ମୁକ୍ତ ଶିକ୍ଷା ପ୍ରଦାନ କରିଆସୁଛି। ଭବିଷ୍ୟତରେ ରାଜ୍ୟର ସ୍ୱତନ୍ତ୍ର ଓ ମଣ୍ଡଳ କାରାଗାରରେ ଏଭଳି ଶିକ୍ଷା କେନ୍ଦ୍ର ଖୋଲାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe