ମାଷ୍ଟରକ୍ୟାଣ୍ଟିନରୁ ଘୋଡ଼ା ହଟିବା ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିରୋଧ: ଘୋଡ଼ା ରହୁ, ରାସ୍ତା ବି ନିର୍ମାଣ ହେଉ

Advertisment
ମାଷ୍ଟରକ୍ୟାଣ୍ଟିନରୁ ଘୋଡ଼ା ହଟିବା ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିରୋଧ: ଘୋଡ଼ା ରହୁ, ରାସ୍ତା ବି ନିର୍ମାଣ ହେଉ

ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନ ଛକର ପରିଚୟ ‘ଘୋଡ଼ା ଓ ଯୋଦ୍ଧା’ ମୂର୍ତ୍ତିକୁ ରାଜଭବନ ଛକ ଗୋଲେଇକୁ ସ୍ଥାନାନ୍ତର କରିବା ନେଇ ସଂସ୍କୃତି ବିଭାଗ ନିଷ୍ପତ୍ତି ନେବା ପରେ ଏହାକୁ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଛି। ଦଶନ୍ଧି ଦଶନ୍ଧି ଧରି ରାଜଧାନୀର ପରିଚୟ ଥିବା ଏହି ଘୋଡ଼ାକୁ ହଟାଇବାକୁ ଏମିତି କେମିତି ନିଷ୍ପତ୍ତି ନିଆଗଲା ବୋଲି ବିଶିଷ୍ଟ ଶିଳ୍ପୀ ଓ ସ୍ଥପତିଙ୍କଠୁ ନେଇ ରାଜନେତା, ବିଶିଷ୍ଟ ବ୍ୟକ୍ତିମାନେ ପ୍ରଶ୍ନ କରିଛନ୍ତି। ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଏଠାରେ ବଡ଼ ରାସ୍ତା ଓ ବିଲ୍‌ଡିଂ ନିର୍ମାଣ କରନ୍ତୁ ଆପତ୍ତି ନାହିଁ, କିନ୍ତୁ ଘୋଡ଼ା କେମିତି ସେଇଠି ରହିବ ତାହା ଚିନ୍ତା କରନ୍ତୁ ବୋଲି ସମସ୍ତେ ଦାବି କରିଛନ୍ତି।

ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦ୍ବାରା ନିର୍ମିତ ଏହି ଅନନ୍ୟ ସ୍ଥାପତ୍ୟ ଘୋଡ଼ାକୁ ଏଠାରୁ ସ୍ଥାନାନ୍ତର ଲାଗି ବିଏସ୍‌ସିଏଲ୍‌ର ଯୋଜନା ଏବଂ ସଂସ୍କୃତି ବିଭାଗ ଅନୁମୋଦନକୁ ନେଇ ପ୍ରଶ୍ନ ଉଠିଛି। ସେଚେତନ ସହରବାସୀଙ୍କ ମତ ହେଲା ସ୍ମାର୍ଟ ଜନପଥର ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତୀକରଣ ବର୍ତ୍ତମାନ ସୁଦ୍ଧା ଯେଉଁଭଳି ହୋଇଛି ତାହାକୁ ଦେଖିଲେ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ମାର୍ଟ ଜନପଥ କାମ ପାଇଁ କୌଣସି ସମସ୍ୟା ନାହିଁ। ଯଦି ମାଷ୍ଟରକ୍ୟାଣ୍ଟିନ ଛକରେ ‘ଆଇ ଲଭ୍ ଭୁବନେଶ୍ବର’ ଲେଖିବାକୁ ଜାଗା ଅଛି ତେବେ ଏଠାରେ ଘୋଡ଼ା ରଖିବାକୁ କ’ଣ ଜାଗା ନାହିଁ? ଯେଉଁ ଘୋଡ଼ା ଛକ ମାଷ୍ଟରକ୍ୟାଣ୍ଟିନର ଅନ୍ୟତମ ପରିଚୟ ସେଠାରେ ଘୋଡ଼ା ମୂର୍ତ୍ତିକୁ ରଖିବା ପାଇଁ କର୍ତ୍ତୃପକ୍ଷ ଆ‌ଉ କିଛି ବିକଳ୍ପ ଯୋଜନା କରିପାରିବେ।

ସେମାନେ ଆହୁରି କହିଛନ୍ତି, ଯଦି ରେଳ ଷ୍ଟେସନ ମଲ୍ଟି ମୋଡାଲ୍ ହବ୍, ଆଇକନିକ୍ ବିଲଡିଂ ପାଇଁ କର୍ତ୍ତୃପକ୍ଷ ଏହି ଘୋଡ଼ା ହଟାଉଥିବେ ତେବେ ସାଂଘାତିକ କଥା। କାରଣ ଏହି ଘୋଡ଼ା ଆଇକନିଂ ବିଲଡିଂ ସମ୍ମୁଖରେ ବି ସଗର୍ବେ ଶୋଭା ପାଇପାରିବ। ଏପରିକି ଏକ ସୁଉଚ୍ଚ ପିଲାର୍‌ ଉପରେ ଏହାକୁ ସ୍ଥାନିତ କରାଯାଇପାରିବ। ଯେପରି ବାହାର ରାଜ୍ୟରେ ବିଭିନ୍ନ ସ୍ଥାପତ୍ୟକୁ ରଖାଯାଇଛି। ଏଥିପାଇଁ ଅଧିକ ଜାଗା ଆବଶ୍ୟକ ପଡ଼ିବନି କି ଅଧିକ ଖର୍ଚ୍ଚ ବି ହେବନି।

ମୁମ୍ବାଇ‌ରେ ଯେମିତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଅଛି, ସେମିତି ରହୁ
ମାଷ୍ଟରକ୍ୟାଣ୍ଟିନ ଛକର ପରିଚୟ ହେଉଛି ଘୋଡ଼ା। ଏଥିପାଇଁ ଇଣ୍ଡିଆନ ଅଏଲ୍‌ ଅର୍ଥ ଦେଇଥିବାବେଳେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିଲେ। ଏହାର କାରୁକାର୍ଯ୍ୟ ଅନନ୍ୟ। ଜଣେ ଶିଳ୍ପୀର ସ୍ଥାପତ୍ୟକୁ ସରକାର ସମ୍ମାନ ଦେବା ଦରକାର। ଆଜି ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ଠିକ୍ ଭାବେ କଲେନି। ଏବେ ଯଦି ଏହ‌ାକୁ ରାଜଭବନ ଛକ ନିକଟରେ ରଖିଦେବେ ତେବେ ଏହାର ପରିଚୟ ହଜିଯିବ। ତେଣୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏହି ଘୋଡ଼ା ରହୁ। ଏଠାରେ କିପରି ଓ କେଉଁଠି ସ୍ଥାନିତ ହେବ ସେନେଇ ଯଦି ସରକାର ଚିନ୍ତା କରିପାରୁନାହାନ୍ତି, ତେବେ ଆମର ପରାମର୍ଶ ନିଅନ୍ତୁ। ମୁମ୍ବାଇରେ ଯେପରି ଘୋଡ଼ା ଉପରେ ବସିଥିବା ଶିବାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି ଏହାକୁ ସେପରି ରଖାଯାଉ। ଘୋଡ଼ାକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରି ଏହାର ସ୍ବତନ୍ତ୍ରତାକୁ ନ ଉଜାଡ଼ନ୍ତୁ।
ପଦ୍ମବିଭୂଷଣ ସୁଦର୍ଶନ ସାହୁ, ବିଶିଷ୍ଟ ସ୍ଥପତି

ଘୋଡ଼ା ହଟିଲେ ଆନ୍ଦୋଳନ ହେବ
ମାଷ୍ଟରକ୍ୟାଣ୍ଟିନ ଛକରେ ରାଜଧାନୀ ଭୁବନେଶ୍ବରର ତଥା ଆମ ରାଜ୍ୟର ପ୍ରତୀକ ଭାବେ ଦଣ୍ଡାୟମାନ ପ୍ରସ୍ତର ମୂର୍ତି ଏହି ଘୋଡ଼ା। ୧୯୪୮ ମସିହାରେ ଭୁବନେଶ୍ବର ରାଜଧାନୀର ମାନ୍ୟତା ପାଇବା ପରେ ଏହି ପ୍ରସ୍ତର ମୂର୍ତି ସ୍ଥାପନ ହୋଇଥିଲା। ଏହା ଆମର ପରିଚୟ। ଏହାକୁ କଦାପି ହଟାଇବାକୁ ଦିଆଯିବ ନାହିଁ। ଏହାକୁ ହଟାଇଲେ ବିରାଟ ଆନ୍ଦୋଳନ ମୁଣ୍ଡ ଟେକିବ। ସରକାର ବ୍ୟବସାୟ କେନ୍ଦ୍ର କରିବାକୁ ଚାହୁଁଥିଲେ ଅନ୍ୟ କୌଣସି ଠାରେ କରନ୍ତୁ, ଆମର ଆପତ୍ତି ନାହିଁ।
ସୁରେଶ କୁମାର ରାଉତରାୟ, ବିଧାୟକ, ଜଟଣୀ

ସୌନ୍ଦର୍ଯ୍ୟୀକରଣ ହେବ ବୋଲି କ’ଣ ଜଗନ୍ନାଥ ମନ୍ଦିରକୁ ଉଠାଇଦେବେ?
‌ଉନ୍ନତୀକରଣ, ସୌନ୍ଦର୍ଯ୍ୟୀକରଣ ହେଲେ କେଉଁଠି ବି ସ୍ଥାନର ପରିଚୟକୁ କ୍ଷତି ପହଞ୍ଚାଯାଏନି କି ଏହାକୁ ସ୍ଥାନାନ୍ତର କରାଯାଏନି। ଯେଉଁ ବାବୁମାନେ ଘୋଡ଼ାକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରିଛନ୍ତି ସେମାନେ ଜାଣିଛନ୍ତି କି ଏଠାରେ ଘୋଡ଼ା କିଏ ରଖିଥିଲା, କାହିଁକି ରଖିଥିଲା? ଓଡ଼ିଶା ଶାସନର ପ୍ରତୀକ କେଉଁଭଳି ପରିସ୍ଥିତିରେ ବିଧାନସଭା ସମ୍ମୁଖରେ ରଖାଯାଇଥିଲା ତାହା ନଜାଣି ଏହାକୁ ହଟାଇ ଦେବାକୁ ନିଷ୍ପତ୍ତି ନେବା ଏକ ଷଡଯନ୍ତ୍ର। ପୁରୀର ସୌନ୍ଦର୍ଯ୍ୟୀକରଣ କାମ ହେଉଛି ବୋଲି କ’ଣ ଜଗନ୍ନାଥ ମନ୍ଦିରକୁ ଉଠାଇ ଦେଉଛନ୍ତି?
ଜଗନ୍ନାଥ ମହାପାତ୍ର, ପୂର୍ବତନ ନଗରପାଳ

ଜାଗାର ଚିହ୍ନକୁ ବଦଳା ନଯାଉ
ଯେଉଁମାନେ ‌ଟ୍ରେନ୍‌ରେ ଆସନ୍ତି ବା ବସ୍‌ରେ ଆସି ଏଠାରେ ଓହ୍ଲାନ୍ତି, ସେମାନେ ଏହି ଛକକୁ ଘୋଡ଼ା ଛକ ଭାବେ ଜାଣୁଥିଲେ। ଏବେବି ବହୁ ପୁରୁଣା ଲୋକ ଏହାକୁ ଘୋଡ଼ା ଛକ କୁହନ୍ତି। ମାଷ୍ଟରକ୍ୟାଣ୍ଟିନ ଛକର ଅନ୍ୟ ନାମ ଘୋଡ଼ା ଛକ। ତେଣୁ ଗୋଟିଏ ଜାଗାର ଚିହ୍ନକୁ ବଦଳା ନ ଯାଉ। ଯଦି ଏହାକୁ ସ୍ଥାନାନ୍ତର କରାଯିବ ତେବେ ପରିଚୟ ପାଇଥିବା ଏହି କୀର୍ତ୍ତିରାଜିକୁ ବହୁ ଲୋକ ଦେଖି ପାରିବେନି। ସବୁ ଉନ୍ନତିମୂଳକ କାମ ହେଉ କିନ୍ତୁ ଆମ ପରିଚୟକୁ କ୍ଷତି ପହଞ୍ଚା ନ ଯାଉ।
ପଦ୍ମଶ୍ରୀ ପ୍ରଫୁଲ୍ଲ କର, ବିଶିଷ୍ଟ ସଂଗୀତଜ୍ଞ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe