ବିଡିଏର ଗୋଶାଳା ଉଚ୍ଛେଦକୁ ବିରୋଧ

ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଗତ ୨୦ ତାରିଖରେ ନୟାପଲ୍ଲୀ ରେଣ୍ଟାଲ କଲୋନିରେ ଥିବା ଗୋଶାଳା ଉଚ୍ଛେଦ ପ୍ରତିବାଦରେ ଆଜି ମିଳିତ ଗୋ-ରକ୍ଷା ମହାସଂଘ ବିଡିଏ କାର୍ଯ୍ୟାଳୟ...

Untitled-4

ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଗତ ୨୦ ତାରିଖରେ ନୟାପଲ୍ଲୀ ରେଣ୍ଟାଲ କଲୋନିରେ ଥିବା ଗୋଶାଳା ଉଚ୍ଛେଦ ପ୍ରତିବାଦରେ ଆଜି ମିଳିତ ଗୋ-ରକ୍ଷା ମହାସଂଘ ବିଡିଏ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଡିଏ ସେକ୍ରେଟାରି ସ୍ନିଗ୍ନାରାଣୀ ଧଳଙ୍କୁ ମହାସଂଘ ଦାବିପତ୍ର ପ୍ରଦାନ କରିଛି।

ଏଥିସହ ବିଏମ୍‌ସି କମିସନର୍‌ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମହାସଂଘ ଅଭିଯୋଗ କରିଛି, ବିଡିଏ ଯେଉଁ ଗୋଶାଳା ଉଚ୍ଛେଦ କରିଛି, ସେଠାରେ ତାରିଣୀ ଗୋସେବା କେନ୍ଦ୍ର ଚାଲିଥିଲା। ଏଠାରେ ଆହତ ବୁଲା ଗୋମାତାଙ୍କ ଚିକିତ୍ସା କରାଯାଉଥିଲା। ଉଚ୍ଛେଦ ବେଳେ ୧୨ରୁ ଅଧିକ ଆହତ ଓ ଅସୁସ୍ଥ ଗୋମାତା ଥିଲେ। ବିଡିଏ କିନ୍ତୁ ବିନା ନୋଟିସ୍‌ରେ ଓ ଏହି ଆହତ ବୁଲା ଗୋମାତାଙ୍କୁ ସ୍ଥାନାନ୍ତର ନ କରି ଗୋଶାଳାକୁ ଉଚ୍ଛେଦ କରିଦେଲା। ଫଳରେ ବର୍ଷାରେ ଏହି ଆହତ ଓ ଅସୁସ୍ଥ ଗୋମାତାମାନ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କ ଚିକିତ୍ସା କରିବା କାଠିକର ହୋଇପଡ଼ିଛି। ଏ ଭିତରେ ଏକ ଆହତ ଗୋମାତାଙ୍କର ବି ମୃତ୍ୟୁ ହୋଇ ସାରିଲାଣି।

 ମହାସଂଘ କହିଛି, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବୁଲା ଗାଈଗୋରୁ ଆହତ ହେଲେ ଭୁବନେଶ୍ବରର ସମସ୍ତ ଗୋ-ସେବକମାନେ ସେମାନଙ୍କ ଚିକିତ୍ସା କରି ବିଭିନ୍ନ ସ୍ଥାନରେ ରଖନ୍ତି। ତାରିଣୀ ଗୋସେବା କେନ୍ଦ୍ରରେ ବି ଏହି ଆହତ ଗୋମାତାଙ୍କୁ ରଖାଯାଇଥିଲା। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଯାହା କରିବା କଥା, ସେ କାମ ଗୋସେବା କେନ୍ଦ୍ରର ସେବକମାନେ କରୁଛନ୍ତି। ବିଡିଏ ଅବା ବିଏମ୍‌ସି ଯଦି, ଗୋସେବକଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରେ, ଗୋମାତାମାନେ ହଇରାଣ ହେବେ। ଏଣୁ ବିଏମ୍‌ସି ଗୋବଂଶଙ୍କ ପାଇଁ ଏକ ବିଶାଳ ଗୋ-ସେବା ତଥା ଚିକିତ୍ସା କେନ୍ଦ୍ର ଖୋଲୁ। ନନ୍ଦୀଶାଳା ଅବା ଗୋଶାଳା ନିର୍ମାଣ କରି ଗୋମାତାଙ୍କୁ ଉପଯୁକ୍ତ ଥଇଥାନ କରନ୍ତୁ। ଯଦି ଉପଯୁକ୍ତ ଥଇଥାନ ନ କରି ଗୋଶାଳା ଅବା ଗୋସେବା କେନ୍ଦ୍ର ଭଙ୍ଗାଯାଏ, ଆମେ ଆଇନକୁ ହାତକୁ ନେବାକୁ ପଛେଇବୁନି ବୋଲି ମହାସଂଘ ପକ୍ଷରୁ ରାଜେଶ ପୃଷ୍ଟି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe