ନିଶା ମାଫିଆଙ୍କ ଉପଦ୍ରବ ବଢ଼ୁଛି, ଚଢ଼ଉକୁ ଖାତିର୍ ନାହିଁ

Advertisment

କେଜିଏ ବ୍ରାଉନ୍‌ସୁଗାର, ୧୦ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ

କେଜିଏ ବ୍ରାଉନ୍‌ସୁଗାର, ୧୦ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ

ନିଶା ମାଫିଆଙ୍କ ଉପଦ୍ରବ ବଢ଼ୁଛି, ଚଢ଼ଉକୁ ଖାତିର୍ ନାହିଁ

The New Indian Express, Times of India

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ନିଶା କାରବାର ବେକାବୁ ହେବାରେ ଲାଗିଛି। ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ନିଶା ମାଫିଆମାନେ ବେଧଡ଼କ ଭାବେ ନିଶା କାରବାର ଚଳାଇଛନ୍ତି। ବେଆଇନ୍‌ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ କମିସନରେଟ୍‌ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ବି ସେମାନଙ୍କୁ ରୋକିବା ଏତେଟା ସହଜ ହୋଇନାହିଁ। କେବଳ କମିସନରେଟ୍‌ ପୁଲିସ ନୁହେଁ, ଅବକାରୀ ବିଭାଗ ଓ ଏସ୍‌ଟିଏଫ୍‌ ନିୟମିତ ଅନ୍ତରାଳରେ ଚଢ଼ଉ କରି ରାଜଧାନୀରୁ ପୁଳାପୁଳା ଗଞ୍ଜେଇ, ବ୍ରାଉନସୁଗାର, ହେରୋଇନ୍‌ ଆଦି ଜବତ କରୁଛନ୍ତି। ମାଫିଆ, ଖୁଚୁରା ବ୍ୟବସାୟୀ ବନ୍ଧା ହେଉଛନ୍ତି। କିନ୍ତୁ ନିଶା କାରବାର ଉପରେ ରୋକ୍‌ ଲଗାଇବା ପୁଲିସ ପାଇଁ କାଠିକର ପାଠ ହୋଇପଡ଼ିଛି। ନା ବେପାର କମୁଛି ନା ବେପାରୀଙ୍କ ମନୋବଳ ଭାଙ୍ଗୁଛି। ପୁଲିସ ଗୋଡ଼େଇ ଗୋଡ଼େଇ ଯେତେ ବା‌ନ୍ଧୁଛି, ନିଶା ବେପାର ସେତେ ବଢ଼ିବାରେ ଲାଗିଛି। ଜେଲ୍‌ ଯାଉଥିବା ମାଫିଆ ବା କୁଜି ବେପାରୀ ଜାମିନରେ ମୁକୁଳି ପୁଣି ବେପାର କରୁଛନ୍ତି। ଥରେ ଜାମିନରେ ଆସିବା ପରେ ସେମାନେ ଅଧିକ ନିର୍ଭୟ ହୋଇପଡ଼ୁଛନ୍ତି ଓ ବେଫିକର ବେପାର କରୁଛନ୍ତି। ଗତ ୮ ମାସରେ ରାଜଧାନୀର ନିଶା କାରବାର ତଥ୍ୟ ସ୍ପଷ୍ଟ ବୟାନ କରୁଛି।

ଗତ ୮ ମାସରେ ୫୯ଟି ମାମଲାରେ କମିସନରେଟ୍‌ ପୁଲିସ ୧୦୯ ବେପାରୀଙ୍କୁ ବାନ୍ଧିବା ସହ ସେମାନଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ନିଶା ସାମଗ୍ରୀ ଜବତ କରାଯାଇଛି। ୩୨ଟି ବ୍ରାଉନ୍‌ସୁଗାର ମାମଲାରେ ୫୯ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୧ କେଜି ୩୮ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ସେହିପରି ୨୭ଟି ଗଞ୍ଜେଇ ଚାଲାଣ ମାମଲାରେ ପୁଲିସ ୫୦ ଜଣ ବ୍ୟବସାୟୀଙ୍କୁ ଗିରଫ କରି ସେମାନଙ୍କଠାରୁ ପାଖାପାଖି ୧୦ କ୍ବିଣ୍ଟାଲ୍‌ ଗଞ୍ଜେଇ ଜବତ କରିଛି। ତେବେ ଏହା କେବଳ କମିସନରେଟ୍‌ ପୁଲିସର ତଥ୍ୟ। ଏହାଛଡ଼ା ଅବକାରୀ ବିଭାଗ ଏବଂ ଏସ୍‌ଟିଏଫ୍‌ ଟିମ୍‌ ମଧ୍ୟ ଚଢ଼ଉ କରି ବ୍ରାଉନସୁଗାର ଓ ଗଞ୍ଜେଇ ଜବତ କରିଛନ୍ତି।

publive-image News18

ଧରାପଡ଼ୁନାହାନ୍ତି ବଡ଼ ମାଫିଆ

ବ୍ରାଉନ୍‌ସୁଗାର ଉପରେ ରୋକ୍‌ ଲଗାଇବା ପାଇଁ କମିସନରେଟ୍‌ ପୁଲିସ ଚଢ଼ଉକୁ ଜୋରଦାର କରିଛି। ଆଶ୍ଚର୍ଯ୍ୟର କଥା ଯେ, ରାଜଧାନୀକୁ କିଲୋ କିଲୋ ଓଜନର ବ୍ରାଉନ୍‌ସୁଗାର ଆସୁଛି। ହେଲେ ଆଜି ପର୍ଯ୍ୟନ୍ତ କମିସନରେଟ୍‌ ପୁଲିସ ଥରେ ବି ହେଲେ ଏତେ ପରିମାଣର ବ୍ରାଉନ୍‌ସୁଗାର ଜବତ କରିପାରି ନାହିଁ। ୧୦ ଗ୍ରାମ, ୨୦ ଗ୍ରାମ ଅତିବେଶିରେ ଶହେ ଗ୍ରାମ ଭଳି ବ୍ରାଉନ୍‌ସୁଗାର ଜବତ କରିଛି। ଯାହା ଜବତ କରାଯାଉଛି ତାହା ସମୁଦ୍ରରୁ ଢ଼ାଳେ ପାଣି ସଦୃଶ। ବହୁ ପରିମାଣର ବ୍ରାଉନ୍‌ସୁଗାର ବଡ଼ ମାଫିଆଙ୍କ ପାଖରେ ରହିଯାଉଛି। ଅର୍ଥାତ ପୁଲିସ ବଡ଼ ମାଫିଆଙ୍କ ପାଖରେ ପହଞ୍ଚିପାରୁନାହିଁ। ଖୁଚୁରା ବ୍ୟବସାୟୀଙ୍କ ପାଖରେ ଅଟକିଯାଇଛି। ତାହା ଏବେ ବଡ଼ ପ୍ରସଙ୍ଗ।

ଘଳିଆ କେଉଁଠି?

ବ୍ରାଉନ୍‌ସୁଗାର, ହେ‌ରୋଇନ୍‌, ଗଞ୍ଜେଇ ଭଳି ନିଶାଦ୍ରବ୍ୟ କେଉଁଠୁ ଆସୁଛି, ତାହା ପୁଲିସ ଠାରୁ ଆରମ୍ଭ କରି ଏସ୍‌ଟିଏଫ୍‌ ସମସ୍ତଙ୍କୁ ଜଣା। ବିଶେଷ କରି ବ୍ରାଉନ୍‌ସୁଗାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ସୀମା ପାର ହୋଇ ଆସୁଛି। ଏକଥା କାହାକୁ ଅଛପା ନାହିଁ। ସୀମାରେ ପୁଲିସ ଜଗିଛି। ବାଲେଶ୍ବରରୁ ରାଜଧାନୀ ଅର୍ଥାତ ୪ଟି ଜିଲ୍ଲା ପୁଲିସକୁ ବି ମାତ୍ ଦେଇ ମାଫିଆ ରାଜଧାନୀରେ ବ୍ରାଉନ୍‌ସୁଗାରକୁ ଅତି ସହଜରେ ପହଞ୍ଚାଉଛନ୍ତି। ହେଲେ ସେମାନଙ୍କୁ ରୋକାଯାଇ ପାରୁନାହିଁ। କିଭଳି ସୀମାନ୍ତ ପୁଲିସ ଏବଂ ଚାରି ଚାରିଟି ଜିଲ୍ଲା ପୁଲିସକୁ ମାତ ଦେଉଛନ୍ତି ନିଶା ମାଫିଆ? ନା ଏହା ଭିତରେ କିଛି ସନ୍ଧି ଅଛି? ନା ସୁରକ୍ଷା ବ୍ୟବସ୍ଥା ଠିକ୍‌ ଭାବେ କାମ କରୁନି। ମାଫିଆ ସବୁ ସୁରକ୍ଷା ବାଡ଼କୁ ଭେଦ କରି ଆସିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବସ୍ତି ପାଲଟିଛି ଗନ୍ତାଘର, କାମ କରୁନି କି ହ୍ବାଇଟ୍‌ସ୍ପାଇଡ୍‌ର

ରାଜଧାନୀର ବସ୍ତି ବ୍ରାଉନ୍‌ସୁଗାରର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଏପର୍ଯ୍ୟନ୍ତ ଅବକାରୀ ବିଭାଗ ହେଉ କି କମିସନରେଟ୍‌ ପୁଲିସ ଯାହା ନିଶାଦ୍ରବ୍ୟ ଜବତ କରିଛନ୍ତି; ଅଧିକାଂଶ ବସ୍ତିରୁ ହିଁ ଜବତ କରାଯାଇଛି। ବସ୍ତିରେ ବ୍ରାଉନ୍‌ସୁଗାର କାରବାର ବଢ଼ୁଥିବାରୁ ରୋକ ଲଗାଇବା ପାଇଁ ହ୍ବାଇଟ୍‌ସ୍ପାଇଡର ଯୋଜନା କରାଗଲା। ଅପରେସନ୍‌ ହ୍ବାଇଟ୍‌ସ୍ପାଇଡ୍‌ରରେ ଚଢ଼ଉକୁ ଜୋର୍‌ଦାର କରି ବ୍ୟବସାୟୀଙ୍କୁ ବନ୍ଧାଗଲା। ବସ୍ତିରେ ଲୋକଙ୍କୁ ସଚେତନ କରାଗଲା। ବସ୍ତିକୁ ଚାଲ ଅଭିଯାନରେ ପୁଲିସ ବସ୍ତି ବସ୍ତି ଯାଇ ଲୋକଙ୍କୁ ବୁଝାଇଲା। ‌ହେଲେ ବସ୍ତିରୁ ବ୍ରାଉନ୍‌ସୁଗାର କାରବାରକୁ ମୂଳପୋଛ କରିବା ସମ୍ଭବ ହୋଇପାରିନାହିଁ।

ଦିନକରେ ୫ ଜଣଙ୍କଠୁ ମିଳିଲା ୭ଲକ୍ଷର ବ୍ରାଉନ୍‌ସୁଗାର

publive-image Times of India

ଆଜି ଗୋଟିଏ ଦିନରେ କମିସନରେଟ୍‌ ପୁଲିସ ରାଜଧାନୀରୁ ୭ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି। ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ହଳଦୀପଡ଼ିଆ ବସ୍ତିରୁ ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ବୈରାଗୀ ମହାରଣା (୪୫) ନାମକ ଜଣେ ବ୍ୟବସାୟୀକୁ ଗିରଫ କରିବା ସହ ତା’ଠାରୁ ୩୫ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ସେହିପରି ଚନ୍ଦ୍ରଶେଖରପୁର ଥାନା ପୁଲିସ ପଣ୍ଡାପାର୍କ ବସ୍ତିରୁ ଗଞ୍ଜାମ ପୋଲସରା ଅଞ୍ଚଳର ସୁପ୍ରଭା ନାୟକ ଓରଫ ପ୍ରଭାକର ଏବଂ ହରେକୃଷ୍ଣନଗର ବସ୍ତିରୁ ଭଞ୍ଜନଗର ଅଞ୍ଚଳର କାର୍ତ୍ତିକ ପ୍ରଧାନ(୨୮) ନାମକ ଦୁଇ ନିଶା ବ୍ୟବସାୟୀଙ୍କୁ ଗିରଫ କରି ୨୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ନୂଆପଲ୍ଲୀ ଥାନା ପୁଲିସ ସାଲିଆସାହି ବସ୍ତିରୁ ଗଞ୍ଜାମ ଶେରଗଡ଼ ଅଞ୍ଚଳର ମଙ୍ଗୁଳି ସାହୁ ଓ ଲକ୍ଷ୍ମୀପୂଜା ପଡ଼ିଆ ନିକଟରୁ ସୌମ୍ୟରଞ୍ଜନ ଦାସକୁ ଗିରଫ କରି ୧୫ ଗ୍ରାମ ବ୍ରାଉନସୁଗାର, ବାଇକ୍‌ ଏବଂ ୨୫ଶହ ଟଙ୍କା ଜବତ କରିଛି। ଏନେଇ ତିନୋଟି ଥାନା ପୃଥକ ପୃଥକ ମାମଲା ରୁଜୁକରି ୫ ନିଶା ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe