ତହସିଲଦାରଙ୍କ ଫାଇଲ୍‌ ତଳେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Advertisment

ରଥିପୁରରେ ଚାଲିଛି ଚୋରା ମାଙ୍କଡ଼ା ଖଣି

ରଥିପୁରରେ ଚାଲିଛି ଚୋରା ମାଙ୍କଡ଼ା ଖଣି

ତହସିଲଦାରଙ୍କ ଫାଇଲ୍‌ ତଳେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

representetional immage - YouTube

ଜଟଣୀ: ଜଟଣୀ ତହସିଲ ଅନ୍ତର୍ଗତ ରଥିପୁର ମୌଜାରେ ମା’ ଖଣ୍ଡୁଆଳ ମନ୍ଦିର ନିକଟରେ ଦୀର୍ଘ ଦିନ ହେଲା ଚାଲିଛି ଚୋରା ମାଙ୍କଡ଼ା ପଥର ଖଣି। ଏନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ବେ ତହସିଲ ପ୍ରଶାସନ ଏହି ଖଣି ବନ୍ଦ କରିବାକୁ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଆସୁଛି। ଏମିତିକି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଜଟଣୀ ତହସିଲଦାରଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ। ଉପଜିଲ୍ଲାପାଳଙ୍କ ଚିଠି ତହସିଲଦାରଙ୍କ ଫାଇଲ୍‌ ତଳେ ଚାପି ହୋଇରହିଛି ବୋଲି ଅଭିଯୋଗ ହେଉଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଚୋରା ଖଣି ଚାଲୁଥିବାରୁ ଗାଁ ରାସ୍ତାରେ ବହୁ ଟ୍ରକ୍‌, ଟ୍ରାକ୍ଟର ଓ ଟିପର୍‌ ଯାତାୟାତ କରୁଛି। ଫଳରେ ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ ହୋଇଗଲାଣି। ସେହିଭଳି ଦିନବେଳା ଏହି ରାସ୍ତାରେ ଚୋରା ଚାଲାଣ କରୁଥିବା ଗାଡ଼ି ସବୁ ବେଶ୍ ଦ୍ରୁତବେଗରେ ଯା’ଆସ କରୁଥିବାରୁ ସ୍କୁଲ୍‌ ଛାତ୍ରଛାତ୍ରୀମାନେ ସମସ୍ୟାରେ ପଡ଼ୁଛନ୍ତି। ତେଣୁ ଏସବୁ ସମସ୍ୟାକୁ ନେଇ ଗତ ୧୮ ତାରିଖରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ତର୍ଜମା କରିବା ପରେ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଉପଜିଲ୍ଲାପାଳ ଜଟଣୀ ତହସିଲଦାରଙ୍କୁ ଚିଠି ଲେଖିଛନ୍ତି। ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଛି। ଗ୍ରାମବାସୀଙ୍କ କହିବା କଥା ଏହା ଭିତରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରିନାହାନ୍ତି। ତେଣୁ ମାଙ୍କଡ଼ା ମାଫିଆମାନେ ବେଫିକର୍‌ ହୋଇ ଚୋରା ଖଣି ଚଳାଇଛନ୍ତି। ଏନେଇ ଜଟଣୀ ତହସିଲଦାରଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇନଥିଲା। ଏଣେ ଚୋରା ଖଣି ବନ୍ଦ ହେଉନଥିବାରୁ ଲୋକେ ତହସିଲ ପ୍ରଶାସନ ଉପରକୁ ଅଙ୍ଗୁଳି ଉଠାଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe