ଓଡ଼ିଆ ବାଇକର୍‌ନି ମଧ୍ୟପ୍ରଦେଶ ପର୍ଯ୍ୟଟନର ବ୍ରାଣ୍ଡ୍‌ ଆମ୍ବାସଡର, ସ୍ପିଡ୍‌ ବାଇକ୍‌‌ରେ ଅମିତାଙ୍କ ୪୫୦୦ କିଲୋମିଟର ଯାତ୍ରା

Advertisment
ଓଡ଼ିଆ ବାଇକର୍‌ନି ମଧ୍ୟପ୍ରଦେଶ ପର୍ଯ୍ୟଟନର ବ୍ରାଣ୍ଡ୍‌ ଆମ୍ବାସଡର, ସ୍ପିଡ୍‌ ବାଇକ୍‌‌ରେ ଅମିତାଙ୍କ ୪୫୦୦ କିଲୋମିଟର ଯାତ୍ରା

ଭୁବନେଶ୍ବର: ପୁଅମାନେ ସ୍ପିଡ୍‌ ବାଇକ୍‌ ଧରି ବୁଲିବା ସାଧାରଣ କଥା। ମାତ୍ର ଝିଅଟେ ବାଇକ୍‌ ଚଢ଼ିଲେ, ଅନେକ କୁହନ୍ତି ଉଦଣ୍ଡୀଟା। ସମାଜର ଏହି ଧରବନ୍ଧା ନିୟମ ଭିତରେ କିନ୍ତୁ ଆଉ ଝିଅମାନେ ସୀମିତ ନାହାନ୍ତି। ଝିଅଟିଏ ଯେ ସ୍ପିଡ୍‌ ବାଇକ୍‌ ଧରି ଆଖି ପିଛୁଳାକେ ମାଇଲ୍‌ ମାଇଲ୍‌ ଅତିକ୍ରମ କରିପାରେ, ତାହାର ଉଦାହରଣ ସାଜିଛନ୍ତି ଓଡ଼ିଆ ବାଇକର୍‌ନି ଅମିତା ସିଂ। ତାଙ୍କର ଏହି ସ୍ପିଡ୍‌ ବାଇକ୍‌ ନିଶା ତାଙ୍କୁ ଭିନ୍ନ ପରିଚୟ ଦେଇଛି। ମଧ୍ୟପ୍ରଦେଶ ପର୍ଯ୍ୟଟନର ବ୍ରାଣ୍ଡ୍‌ ଆମ୍ବାସଡର୍‌ ହୋଇପାରିଛନ୍ତି ଅମିତା। ମଧ୍ୟପ୍ରଦେଶ ପର୍ଯ୍ୟଟନର ପ୍ରଚାରପ୍ରସାର ପାଇଁ ସମଗ୍ର ଦେଶରୁ ୧୫ଜଣ ଶୀର୍ଷସ୍ତରର ବାଇକର୍‌ନିଙ୍କୁ ଚୟନ କରାଯାଇଥିବା ବେଳେ ତାଙ୍କ ମଧ୍ୟରେ ଅମିତା ଥିଲେ ଏକମାତ୍ର ଓଡ଼ିଆ।

୧୦ ଦିନର ମଧ୍ୟପ୍ରଦେଶ ପର୍ଯ୍ୟଟନ ଯାତ୍ରାରେ ୪ ହଜାର ୫ଶହ କିଲୋମିଟର ଅତିକ୍ରମ କରି ସେ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି। ଗତ ୧୬ ତାରିଖରେ ଅମିତା ଓଡ଼ିଶାରୁ ମଧ୍ୟପ୍ରଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ଗତ ୧୯ ତାରିଖରେ ସେଠାରେ ପର୍ଯ୍ୟଟନ ମନ୍ତ୍ରୀ ସୁଶ୍ରୀ ଉଷା ଠାକୁର୍‌ ସେମାନଙ୍କୁ ସ୍ବାଗତ କରିଥିଲେ। ଏହି ଦୀର୍ଘ ଯାତ୍ରା ମଧ୍ୟରେ ସେ ମଧ୍ୟପ୍ରଦେଶର ୫ଟି ବ୍ୟାଘ୍ର ସଂରକ୍ଷଣ ତଥା ଟାଇଗର ରିଜର୍ଭ ଏବଂ ୫ରୁ ଅଧିକ ଘାଟି ଅତିକ୍ରମ କରିଥିଲେ। ଯଦିଓ ସେଠାକାର ରାଜପଥ ତାଙ୍କ ସ୍ପିଡ୍‌ ବାଇକ୍‌ ଚାଳନା ପଥରେ ‌ସହାୟକ ହୋଇଥିଲା, ତେବେ ଘାଟି ଅତିକ୍ରମ କରିବା ଦୁରୂହ ବ୍ୟାପାର ଥିଲା। ଅମିତା ଯେବେ ଘଣ୍ଟା ପ୍ରତି ୧୧୫-୨୦ କିଲୋମିଟର ବେଗ‌ରେ ଯାତ୍ରା କରୁଥିଲେ, ସେତେବେଳେ ତାଙ୍କୁ ମଧ୍ୟ‌ପ୍ରଦେଶରେ ବିପୁଳ ଉତ୍ସାହ ଓ ଭଲ ପାଇବା ମିଳିଥିଲା। ସମଗ୍ର ଭାରତରୁ ଚୟନ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ଅନ୍ୟ ୧୪ଜଣ ରୟାଲ ଏନ୍‌ଫିଲ୍‌ଡ ଚଳାଉଥିବା ବେଳେ ଅମିତା ଏହି ଯାତ୍ରାରେ ‘ନିଞ୍ଜା’ର ସାହାରା ନେଇଥିଲେ। ଅମିତା କୁହନ୍ତି, ବାଇକ୍‌ ଯେ କେବଳ ପୁଅମାନେ ଚଢ଼ିବେ, ସେ ଚିନ୍ତାଧାରା ବଦଳିବା ଦରକାର। ସାମ୍ନାରେ ଚ୍ୟାଲେଞ୍ଜ ଥିଲେ ତାହା ଯେ ଝିଅମାନେ କରିପାରିବେ ନାହିଁ ସେ ଧାରଣାରୁ ପରିବାରବର୍ଗ ମୁକୁଳି ଝିଅମାନଙ୍କୁ ସାହସ ଦେବାର ଆବଶ୍ୟକତା ରହିଛି।

ଅମିତା ବିହାରରେ ଜନ୍ମ ନେଇଥିଲେ ହେଁ ବିଶାଖାପାଟଣାରେ ବଢ଼ିଥିଲେ। ତେବେ ଓଡ଼ିଶାରେ ବିବାହ କରି ଦୀର୍ଘ ୨୦ ବର୍ଷ ହେଲା ସେ ପୋଖରୀପୁଟରେ ରହି ଆସୁଛନ୍ତି। ମଧ୍ୟପ୍ରଦେଶ ଯାତ୍ରା ବେଳେ ସେ କେବଳ ସେଠାକାର ପର୍ଯ୍ୟଟନର ପ୍ରଚାର କରି ନଥିଲେ, ବରଂ ସେଠାରେ ପୁରସ୍କୃତ ହେବା ଅବସରରେ କହିଥିଲେ, ଯଦି ଏଠାରେ ‌ଗୋଲ୍‌ଡେନ୍‌ ଟାଇଗର୍‌ ରିଜର୍ଭ ଅଛି, ତେବେ ଆମ ଓଡ଼ିଶାରେ ମଧ୍ୟ ଧଳା ଓ କଳା ବାଘ ରିଜର୍ଭ ରହିଛି। ଜୟ ଜଗନ୍ନାଥ ନାରା ଦେବା ବେଳେ ଲୋକଙ୍କର ଅଭୂତପୂର୍ବ ସମର୍ଥନ ତାଙ୍କୁ ଆହ୍ଲାଦିତ କରିଥିଲା ବୋଲି ସେ କହିଛନ୍ତି। ଅମିତାଙ୍କ କହିବା ମୁତାବକ, ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧ ହୋଇଥିବା ବେଳେ ଏହାର ପ୍ରଚାରପ୍ରସାର ଦିଗରେ ନୂଆ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ମଧ୍ୟପ୍ରଦେଶ ପର୍ଯ୍ୟଟନ ବାଇକର୍‌ନିମାନଙ୍କୁ ବ୍ରାଣ୍ଡ୍ ଆମ୍ବାସଡର କରି ପର୍ଯ୍ୟଟନର ପ୍ରଚାରପ୍ରସାର ସହ ମହିଳାମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହ ଯୋଗାଉଥିବାର ବାର୍ତା ଦେଇଛି। ବାଇକର୍‌ନି ଭାବେ ସେ ବିଭିନ୍ନ ରାଜ୍ୟ ଭ୍ରମଣ କରିଥିବା ବେଳେ ତାଙ୍କ ପରିବାରର ସମର୍ଥନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe