ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଅପରିଚିତା’

ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଅପରିଚିତା’

ଭୁବନେଶ୍ବର: ଫିଲ୍ମ ଜର୍ଣ୍ଣାଲିଷ୍ଟସ୍ ଫୋରମ୍ ପକ୍ଷରୁ ଜୟଦେବ ଭବନରେ ୧୮ତମ ସ୍ମୃତିଛାୟା କ୍ରମରେ ୧୯୮୦ ମସିହାରେ ମୁକ୍ତିଲାଭ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅପରିଚିତା’ର ସ୍କ୍ରିନିଂ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଫୋରମ୍‌ ପକ୍ଷରୁ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ର ସଂଗୀତ ଉତ୍ସବ ଉଦ୍‌ଘାଟିତ ହୋଇଥିଲା। ‘ଅପରିଚିତା’ ଚଳଚ୍ଚିତ୍ର ବିବରଣୀ ପୁସ୍ତକ ଓ ଓଡ଼ିଆ ଚଳଚ୍ଚିତ୍ର କଳାଧଳା ଯୁଗ ସମ୍ବନ୍ଧିତ ‘ନିଶାନ୍ତ’ ପତ୍ରିକାର ବିଶେଷ ସଂଖ୍ୟା ଉନ୍ମୋଚନ କରାଯାଇଥିଲା। ବିଶିଷ୍ଟ ଲେଖିକା ଡ. ପ୍ରତିଭା ରାୟଙ୍କ ମୂଳ ଉପନ୍ୟାସ ‘ନଦୀ ନିସ୍ତରଙ୍ଗ’କୁ ଆଧାର କରି ଚଳଚ୍ଚିତ୍ର ‘ଅପରିଚିତା’ ନିର୍ମାଣ କରାଯାଇଥିଲା। ଏହାକୁ ଫିଲ୍ମ ଜର୍ଣ୍ଣାଲିଷ୍ଟସ୍ ଫୋରମ୍ ଦ୍ବାରା ସଂଗ୍ରହ କରାଯାଇ ପ୍ରଦର୍ଶିତ କରାଯାଇଛି।

କାର୍ଯ୍ୟକ୍ରମରେ ଅପରିଚିତା ଫିଲ୍ମର ଅଭିନେତ୍ରୀ ମହା‌ଶ୍ବେତା ରାୟ, ମାଳବିକା ରାୟ, ଅଭିନେତା ଉତ୍ତମ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଏହି ଚଳଚ୍ଚିତ୍ର ସହ ଜଡ଼ିତ ଥିବା ସଙ୍ଗୀତକାର ମୁସିର୍‌, ଗୀତିକାର ଗୌର ପଟ୍ଟନାୟକ, ଗାୟିକା ଆଦ୍ୟାଶା ରାୟ, ସହ ନିର୍ଦ୍ଦେଶକ ଦିଲୀପ ରାୟ, ଶଦ୍ଦଗ୍ରହଣକାରୀ ନଗେନ୍ ବାରିକ୍, ଆଲୋକ ସଜ୍ଜା ନିରଞ୍ଜନ ଦାସ, ପ୍ରଯୋଜକ ମିହିର କାନୁନ୍‌ଗୋ, ସ୍ବତ୍ତ୍ବାଧିକାରୀ ମନୀଷା ଦାସ, କାହାଣୀକାର ପ୍ରତିଭା ରାୟଙ୍କୁ ଫୋରମ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଫିଲ୍ମ ପୁନରୁଦ୍ଧାର ପାଇଁ ସୁବାସ ଦାଶ ଓ ଗିରିଜା ଶଙ୍କର ଟୁଡୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ନାଲ୍‌କୋ ମାନବ ସମ୍ବଳ ନିର୍ଦ୍ଦେଶକ ରାଧେଶ୍ୟାମ ମହାପାତ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରବଣ ପଟ୍ଟନାୟକ, ଅମିତାଭ ଖିଲାର ପ୍ରମୁଖ ଯୋଗ ଦେଇଥିଲେ। ଫିଲ୍ମ ଜର୍ଣ୍ଣାଲିଷ୍ଟସ୍ ଫୋରମ୍‌ର ସୂର୍ଯ୍ୟ ଦେଓ ସ୍ବାଗତ ଭାଷଣ ଦେଇଥିବା ବେଳେ ସତ୍ୟପ୍ରକାଶ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ଆର.ଜେ ଗୁଡ଼ି ଓ କେପି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe