ସାଧନା ବଳରେ ଓଡ଼ିଆ ସାହିତ୍ୟ ସମୃଦ୍ଧ ହୋଇପାରିବ

Advertisment

ଉତ୍କଳ ସାହିତ୍ୟ ସମାଜକୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ

ଉତ୍କଳ ସାହିତ୍ୟ ସମାଜକୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ

ସାଧନା ବଳରେ ଓଡ଼ିଆ ସାହିତ୍ୟ ସମୃଦ୍ଧ ହୋଇପାରିବ

ଭୁବନେଶ୍ବର: ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ଭାଷାର ସତ୍ୟତାକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ତାଙ୍କର ସେହି ଚେଷ୍ଟା ଯେପରି ବ୍ୟର୍ଥ ନ ହୁଏ, ତାହା ଉତ୍ତରପିଢ଼ିର ସାହିତ୍ୟିକଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ହେବା ଆବଶ୍ୟକ। ସାଧନା ରହିଲେ ଓଡ଼ିଆ ଭାଷା ଓ ସାହିତ୍ୟ ସମୃଦ୍ଧ ହୋଇପାରିବ। ଭାଷା କିମ୍ବା ସାହିତ୍ୟର କୌଣସି ନିର୍ଦ୍ଦିଷ୍ଟ ସୀମା ସରହଦ ନାହିଁ। ଯିଏ ଚାହିବ, ସେ ଓଡ଼ିଆ ଭାଷା ସାହିତ୍ୟକୁ ଆଗକୁ ନେଇପାରିବ। ଭାରତବର୍ଷର କୋଣଅନୁକୋଣରେ ଓଡ଼ିଆ ସାହିତ୍ୟକୁ ପହଞ୍ଚାଇବାକୁ ହେଲେ ଏକ ଆନ୍ଦୋଳନର ଆବଶ୍ୟକତା ରହିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସାହିତ୍ୟ ଏକାଡେମି ମିଳିତ ଆନୁକୂଲ୍ୟରେ ସଂସ୍କୃତି ଭବନଠାରେ ଆୟୋଜିତ ‘ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଏହା କହିଛନ୍ତି।

ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ ଶାନ୍ତୁନ କୁମାର ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ଲେଖକମାନେ ଫକୀର ମୋହନଙ୍କ ପଦାଙ୍କ ଅନୁସରଣ କରି କଥିତ ଭାଷାରେ ସାହିତ୍ୟ ସୃଷ୍ଟି କରନ୍ତୁ। କଥିତ ଭାଷାର ସାହିତ୍ୟ ହିଁ ଅଧିକ ଲୋକପ୍ରିୟ ଓ କାଳଜୟୀ ହୋଇପାରିବ। ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ହେଲେ ଆମକୁ ଆଧୁନିକୀକରଣ କରିବାକୁ ପଡ଼ିବ। ଓଡ଼ିଆ ସାହିତ୍ୟର ବିକାଶ ପାଇଁ ବିଭିନ୍ନ ସଂଗ୍ରହାଳୟରେ ମହାପୁରୁଷମାନଙ୍କ ପଟ୍ଟଚିତ୍ରକୁ ଡିଜିଟାଇଜ୍‌ କରି ସେଥିରେ ସେମାନଙ୍କର ସଂକ୍ଷିପ୍ତ ଜୀବନୀ ଲେଖିବା ପାଇଁ ଶ୍ରୀ ଆଚାର୍ଯ୍ୟ ପ୍ରସ୍ତାବ ଦେଇଥିଲେ।

ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ କଥିତ ଭାଷାକୁ କିଭଳି ଓଡ଼ିଆ ଭାଷାରେ ସାମିଲ କରିହେବ, ସେ ଦିଗରେ ଉଦ୍ୟମ ହେବା ଆବଶ୍ୟକ। ଏହି ଅବସରରେ କଟକର ସାରସ୍ବତ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଭାପତି ତରୁଣ କୁମାର ସାହୁଙ୍କୁ ପୁରସ୍କାରସ୍ବରୂପ ଏକ ତାମ୍ରଫଳକ ଓ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଅନ୍ୟତମ ଅତିଥି ଭାବେ ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଥିଲେ, ଓଡ଼ିଆ ଭାଷାର ଅଗ୍ରଗତିରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ‘ଉତ୍କଳ ସାହିତ୍ୟ ସମାଜ’ ଭାଷା ସମ୍ମାନ ଲାଭ କରିବା ଗୌରବର ବିଷୟ। ଏକାଡେମିର ଉପସଭାପତି ସଂଗ୍ରାମ ଜେନା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଏକାଡେମିର ସଚିବ ପ୍ରବୋଧ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିବା ବେଳେ ତରୁଣ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଲେଖକ ବିଜୟ ମଲ୍ଲ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe