ଓଟିଭି ଫୋରସାଇଟ୍‌: ଦେଶର ଆର୍ଥିକ ସ୍ଥିତି ଖରାପ, ପଦକ୍ଷେପ ନ ନେଲେ ସ୍ଥିତି ଭୟଙ୍କର ହେବ

Advertisment
ଓଟିଭି ଫୋରସାଇଟ୍‌: ଦେଶର ଆର୍ଥିକ ସ୍ଥିତି ଖରାପ, ପଦକ୍ଷେପ ନ ନେଲେ ସ୍ଥିତି ଭୟଙ୍କର ହେବ

ଭୁବନେଶ୍ବର: ଓଟିଭି ‘ଫୋରସାଇଟ୍‌’ର ୧୦ମ ସଂସ୍କରଣ ଆଜି ହୋଟେଲ୍‌ ମେ’ ଫେୟାର୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହାର ପ୍ରଥମ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ମାନ୍ଦାବସ୍ଥା ଓ ଆଗକୁ’। ଏଥିରେ ଅତିଥି ଭାବେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଯୋଗଦେଇ କହିଲେ, ଦେଶରେ ଏବେ ମାନ୍ଦାବସ୍ଥା ଚାଲିଛି, ଏଥିରେ କୌଣସି ଅତ୍ୟୁକ୍ତି ନାହିଁ। ବଜାରରେ ଚାହିଦାର ଅଭାବ ରହିଛି। ଲୋକମାନେ କିଣିବା କିମ୍ବା ନିବେଶ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ୨୦୧୫ ମସିହାରେ ଏକ ଜାତୀୟ ଖବରକାଗଜରେ ସ୍ତମ୍ଭ ଲେଖି ଏ ସଂପର୍କରେ ସୂଚନା ଦେଇଥିଲି। ୟୁପିଏ ସରକାର ଅମଳରେ ଆର୍‌ବିଆଇର ଗଭର୍ଣ୍ଣର ରଘୁରାମ ରାଜନଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଏହା ଆରମ୍ଭ ହୋଇଥିଲା। ସରକାର ଆସନ୍ତା ୫ ବର୍ଷରେ ୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତି କଥା କହୁଛନ୍ତି। ଏଥିପାଇଁ ୧୪.୪ ପ୍ରତିଶତ ଜିଡିପି ଆବଶ୍ୟକ। ମାତ୍ର ‌ଏବେ ଦେଶର ଜିଡିପି ବହୁ ତଳେ ରହିଛି। ତେଣୁ ଚାହିଦା ବଢ଼ାଇବାକୁ ହେଲେ ସରକାରଙ୍କୁ ବହୁ ପଦକ୍ଷେପ ଗ୍ରହଣ କରିବାକୁ ହେବ। ବିଶେଷକରି ସୁଧ ହାରକୁ ହ୍ରାସ କରିବାକୁ ଧ୍ୟାନ ଦେବା ଦରକାର। ଏପରିକି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ସୁଧ ହାରକୁ ୯ ପ୍ରତିଶତ ପର୍ଯ୍ୟନ୍ତ ଆଣିବାକୁ ହେବ। ଫଳରେ ଲୋକମାନେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ। ସେହିପରି ଏଫ୍‌ଡିରେ ସୁଧ ହାରକୁ ୯ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ପଡ଼ିବ। ଫଳରେ ଲୋକମାନଙ୍କ ମଧ୍ୟରେ ଚାହିଦା ବଢ଼ି ପାରିବ।

ସେହିପରି ସିପିଆଇ(ଏମ୍‌)ର ମହାସଚିବ ସୀତାରାମ ୟେଚୁରୀ କହିଲେ, ଦେଶ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଲଗାତାର ଭାବେ ଜିଡିପି କମିବାରେ ଲାଗିଛି। କୃଷି କ୍ଷେତ୍ରରେ ସଂକଟ ଦେଖିବାକୁ ମିଳିଥିବା ବେଳେ ଲୋକମାନେ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଲୋକମାନଙ୍କ ଜୀବନଶୈଳୀର ମାନ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ତେଣୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଏଥିପାଇଁ ସରକାର ବହୁମାତ୍ରରେ ବ୍ୟୟ କରିବା ଉଚିତ। ନିଯୁକ୍ତି ସୃଷ୍ଟି ହେବା ସହ ଲୋକଙ୍କ ହାତରେ ଖର୍ଚ କରିବା ପାଇଁ ଅର୍ଥ ରହିବ, ଯାହାକି ବଜାରରେ ଚାହିଦା ବୃଦ୍ଧି କରିବାରେ ସହାୟକ ହେବ। ଦେଶର ସମସ୍ତ ସରକାରୀ ହସ୍ପିଟାଲରେ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଗଲେ ସମସ୍ତ ନାଗରିକ ଉପକୃତ ହୋଇପାରିବେ ବୋଲି ଶ୍ରୀ ୟେଚୁରୀ କହିଥିଲେ। ଏହି ଦୁଇ ଅଧିବେଶନ ସଂଚାଳନ କରିଥିଲେ ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର। ପ୍ରାରମ୍ଭରେ ଓଟିଭିର ପରିଚାଳନା ନିର୍ଦେଶିକା ଜାଗୀ ମଙ୍ଗତ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପରେ ଅନ୍ୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe