ଭବିଷ୍ୟତରେ ଆମ ଖେଳାଳି ଆଇପିଏଲ୍‌ରେ ପହଞ୍ଚିପାରିବେ: ବସନ୍ତ ମହାନ୍ତି

Advertisment
ଭବିଷ୍ୟତରେ ଆମ ଖେଳାଳି ଆଇପିଏଲ୍‌ରେ ପହଞ୍ଚିପାରିବେ: ବସନ୍ତ ମହାନ୍ତି

ଭୁବନେଶ୍ୱର: କ୍ରିକେଟ୍‌ କେବଳ ଗୋଟିଏ ଖେଳ ନୁହେଁ ଏହା ଦର୍ଶକଙ୍କ ପାଇଁ ଏକ ଅନୁଭବ। ଯୁବପିଢ଼ି ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସମସ୍ତେ ଏହି ଖେଳ ଦେଖିବାକୁ ପାଗଳ ଭଳି ହୁଅନ୍ତି। ଏପରିକି କିଏ କିଏ ଏହି ଖେଳରେ ନିଜର ପ୍ରିୟ ଦଳ ନ ଜିତିଲେ ଆତ୍ମହତ୍ୟା କରିଦିଅନ୍ତି। ଗଳିଠାରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ, ପଲ୍ଲୀଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ଏହାର ଚର୍ଚ୍ଚା ସବୁବେଳେ ଚାଲିଥାଏ। ସ୍କୁଲ୍‌ରେ ଏହି ଖେଳ ଖେଳିବା ସମୟରେ ପ୍ରତ୍ୟେକ ପିଲା ଜଣେ ଜାତୀୟ ତଥା ଅନ୍ତର୍ଜାତୀୟ ଖେଳାଳି ହେବ ବୋଲି ସ୍ୱପ୍ନ ବି ଦେଖେ। କ୍ରିକେଟ ଖେଳ ସହ ଜଡ଼ିତ କିଛି ସିନେମା ଦେଖିଲେ ସମସ୍ତେ ସେଥିରେ ନିଜକୁ ଦେଖିବା ଆରମ୍ଭ କରି ଦିଅନ୍ତି। କିଏ ବୁମରାଙ୍କ ଭଳି ଜଣେ ବୋଲର ହେବାକୁ ଚାହେ ତ କିଏ ବିରାଟଙ୍କ ଭଲି ବ୍ୟାଟର୍‌ ତ ଆଉ କିଏ ଧୋନିଙ୍କ ଭଳି କ୍ୟାପଟେନ୍‌ କୁଲ୍‌ ହେବାକୁ ଚାହେ।

ଏହି ଅବସରରେ ଆସନ୍ତୁ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ପେସ୍‌ ବୋଲର୍ ବସନ୍ତ ମହାନ୍ତିଙ୍କୁ ନେଇ କିଛି ଆଲୋଚନା କରିବା। ୩୭ ବର୍ଷୀୟ ବସନ୍ତ ମହାନ୍ତି ନିଜ ୧୬ ବର୍ଷର କ୍ରିକେଟ ଯାତ୍ରା ମଧ୍ୟରେ ରଣଜୀ ଟ୍ରଫିରେ ଓଡ଼ିଶା ପାଇଁ ଅନେକ ଗୌରବ ଆଣିଛନ୍ତି। ଏଥି ସହିତ ସେ ଇଣ୍ଡିଆ-ଏ ଓ ଦଲୀପ୍‌ ଟ୍ରଫି ମଧ୍ୟ ଖେଳିଛନ୍ତି। ସେ ୨୦୦୧ ମସିହାରେ ଯୁକ୍ତ ଦୁଇ ପରୀକ୍ଷା ପରେ ଖେଳ ଆରମ୍ଭ କରିଥିଲେ। ଏହା ପରେ ସେ ୨୦୦୭ ମସିହାରେ ଜୁନିୟର କ୍ରିକେଟରୁ ଘରୋଇ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ। ସେ ଖେଳିଥିବା ୧୦୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୪୦୩ ଵିକେଟ୍‌ ନେଇଛନ୍ତି। ବ୍ୟାଟସ୍‌ମ୍ୟାନ ନହୋଇ ବୋଲର୍‌ କାହିଁକି ହେଲେ ବୋଲି ପ୍ରଶ୍ନ ହେବାରୁ ବସନ୍ତ କୁହନ୍ତି, ଯେତେବେଳେ ସେ ୨୦୦୧ ରେ ପ୍ରଗତି ସ୍ପୋର୍ଟିଂ ପଡ଼ିଆରେ ଖେଳିବା ଆରମ୍ଭ କଲେ ସେଠାକାର କୋଚ୍‌ଙ୍କ ସହକାରୀ ତାଙ୍କୁ ବ୍ୟାଟିଂ କରିବାକୁ କହିଥିଲେ କିନ୍ତୁ ଦୁଇ ତିନ ଦିନ କରିବା ପରେ ଇଚ୍ଛା ହୋଇନଥିଲା। ସେ ବେଳର କ୍ରିକେଟ ଖେଳ ଓ ବର୍ତ୍ତମାନ ମଧ୍ୟରେ କ’ଣ ତଫାତ୍‌ ଦେଖନ୍ତି? ପଚାରିବାରୁ ସେ କୁହନ୍ତି ଯେ ସେତେବେଳେ ଅଭିଭାବକ ପିଲାମାନଙ୍କୁ ଖେଳାଳି କରିବାକୁ ଚାହୁଁ ନଥିଲେ କିନ୍ତୁ ବର୍ତ୍ତମାନ ଏହି ଧାରା ବଦଳିଛି ସେମାନେ କ୍ରୀଡ଼ା କ୍ଷେତ୍ରରେ ପିଲାଙ୍କୁ ଆଗକୁ ଛାଡ଼ୁଛନ୍ତି। କିନ୍ତୁ କେଉଁଠି ନା କେଉଁଠି ସଫଳ ହେବାକୁ ଚାପ ପ୍ରୟୋଗ କରିବା ଟିକେ ବଢ଼ିଯାଇଛି। ଏଥିରେ ନାରୀମାନଙ୍କ ଅପେକ୍ଷା ପୁରୁଷମାନଙ୍କୁ ପ୍ରାଧାନ୍ୟ ଦିଆଯାଏ କି?

ପୂର୍ବ ଅପେକ୍ଷା ମହିଳା କ୍ରିକେଟ ବେଶ୍‌ ସଫଳ ହୋଇଛି ଏପରିକି ବର୍ତ୍ତମାନ ଏହା ପୁରୁଷ ଦଳକୁ ମଧ୍ୟ କଡ଼ା ଟକ୍କର ଦେଉଛି। ବିଶେଷ କରି ଓଡ଼ିଶା ପରି‌ପ୍ରେକ୍ଷୀରେ ଦେଖିଲେ ମହିଳା କ୍ରିକେଟ୍ ଦଳ ଗତ ପାଞ୍ଚ ବର୍ଷ ମଧ୍ୟରେ ୩ ଥର ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ଦୁର୍ଭାଗ୍ୟବଶତ ଆମ ଖେଳାଳି ଆଇପିଏଲରେ ପହଞ୍ଚିପାରିନାହାନ୍ତି। କିନ୍ତୁ ଭବିଷ୍ୟତରେ ଏହା ନିଶ୍ଚୟ ବଦଳିବ ଏହା ମୋର ଆଶା। ସରକାରଙ୍କ ପକ୍ଷରୁ ଆଉ କିଛି କରାଯାଇପାରିବ କି? ଉତ୍ତରରେ ସେ କୁହନ୍ତି ଯେ ସରକାରଙ୍କ ପକ୍ଷରୁ ଯଥେଷ୍ଟ ଭିତ୍ତିଭୂମି ରହିଛି। ଖାଲି ନିଜେ କଠିନ ପରିଶ୍ରମ କରିବା ସହିତ ନିଷ୍ଠା ରହିଲେ ଜଣେ ନିଶ୍ଚୟ ସଫଳ ହେବ। ଏଥିସହିତ ତାଙ୍କୁ ବହୁ ସୁଯୋଗ ମଧ୍ୟ ମିଳିବ। ଜଣେ ଯୁବ ପିଢ଼ି କିଭଳି ଖେଳ ଆରମ୍ଭ କରିବ? ପ୍ରଥମତଃ ପିଲାର କ୍ରିକେଟ ଖେଳିବାକୁ ଦୃଢ଼ ଇଚ୍ଛା ଶକ୍ତି ରହିବା ଆବଶ୍ୟକ। ବର୍ତ୍ତମାନ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ ସ୍ତରରେ ମଧ୍ୟ ପ୍ରତିଯୋଗିତା ହେଉଛି ସେଥିରେ ମଧ୍ୟ ଯୋଗ ଦେଇପାରିବେ। ଅଥବା କୌଣସି କ୍ଲବ ଅଧୀନରେ ଖେଳିବା ପରେ ଜିଲ୍ଲାସ୍ତରୀୟ ତଥା ରାଜ୍ୟସ୍ତରୀୟ ମ୍ୟାଚ୍‌ ଖେଳିବା ପାଇଁ ମଧ୍ୟ ସୁଯୋଗ ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe