‘ଆମ ପୁଲିସ, ଆମ ସୁରକ୍ଷା’ ଏମିତି ... ପୁଲିସକୁ ଚାପୁଡ଼ା ମାରିଲେ ୩୦୭, ପଥରରେ ଛେଚିଲେ ...

Advertisment
ଅଞ୍ଜନା ଗଣଦୁଷ୍କର୍ମ ମାମଲା : ପୁଲିସ୍‌ କମିସନରଙ୍କୁ ଭେଟିଲା ସିବିଆଇ ଟିମ୍‌

Pragativadi

ଭୁବନେଶ୍ବର: ପୁଲିସକୁ ଚାପୁଡ଼ାଟିଏ ପକାଇଥିଲେ। ବନ୍ଧା ହେଲେ ୩୦୭ ଭଳି କଡ଼ା ଦଫାରେ। ଗିରଫ ହୋଇ ଜେଲ୍‌ ଗଲେ। ଜେଲ୍‌ ଚାରି କାନ୍ଥ ଭିତରେ ୨୧ ଦିନ ରହିଲେ। ଜାମିନରେ ଆସିଲେ, ତାହା ପୁଣି ସର୍ତ୍ତମୂଳକ ଭାବେ।

ଆଉ ଏକ ମାମଲାରେ ଅଭିଯୋଗକାରୀଙ୍କୁ ଦୁର୍ବୃତ୍ତମାନେ ପଥରରେ ଛେଚିଲେ, ଗୋଟିଏ ଆଖି ନଷ୍ଟ କରିଦେଲେ, ପଗଡ଼ିକୁ ତଳେ ପକାଇ ମାନ ଇଜ୍ଜତ ନେଲେ କିନ୍ତୁ ପୁଲିସ ଦଫାରେ ୩୦୭ ଗାଏବ। ଫଳରେ ଅଭିଯୁକ୍ତମାନେ ଗିରଫ ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଜାମିନ ପାଇଲେ। ଏହା ହେଉଛି କମିସନରେଟ ପୁଲିସ ଅଧୀନରେ ଥିବା ଦୁଇଟି ଥାନାର ଦୁଇଟି ମାମଲାର ଭିନ୍ନ ଭିନ୍ନ ଚିତ୍ର। କେମିତି ପୁଲିସ ଭିନ୍ନଭିନ୍ନ ଅଭିଯୋଗକାରୀଙ୍କ ପ୍ରତି ଭିନ୍ନଭିନ୍ନ ରୂପ ଦେଖାଇଥାଏ, ତାହା ଏହି ଦୁଇଟି ଘଟଣାରୁ ଜଳଜଳ ହୋଇ ଦିଶୁଛି।

କ’ଣ ଥିଲା ଏହି ଦୁଇଟି ଘଟଣା
୨୦୧୯ ସେପ୍ଟମ୍ବର ୧୫ ତାରିଖ। ଖଣ୍ଡଗିରି ଥାନା ଅଧୀନ ବିଜୁ ପଟ୍ଟନା‌ୟକ ରାଜ୍ୟ ପୁଲିସ ଏକାଡେମିରେ ତାଲିମ ନେଉଥିବା ମହିଳା ଏଏସ୍‌ଆଇଙ୍କ ସହ ତାଙ୍କ ପୁରୁଷ ବନ୍ଧୁଙ୍କର ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ପୁରୁଷ ବନ୍ଧୁ ଆଶୁତୋଷ ଦାସ ସଂପୃକ୍ତ ମହିଳା ଏଏସ୍‌ଆଇଙ୍କୁ ସେ ଦେଇଥିବା ସମସ୍ତ ଗିଫ୍ଟ ଫେରାଇ ଦେବାକୁ କହିଥିଲେ। କିନ୍ତୁ ଏଏସ୍‌ଆଇ ଜଣକ କିଛି ନ ଶୁଣିବାରୁ ଆଶୁତୋଷ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏ ନେଇ ସଂପୃକ୍ତ ଏଏସ୍‌ଆଇଜଣକ ତୁରନ୍ତ ଖଣ୍ଡଗିରି ଥାନାରେ ଅଭିଯୋଗ ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ହତ୍ୟା ଉଦ୍ୟମ ଓ ଆଇଟି ଆକ୍ଟରେ ଏକ ମାମଲା ରୁଜୁ କରି ଆଶୁତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏ ସମ୍ପର୍କରେ ଆଶୁତୋଷ କହିଛନ୍ତି, ସଂପୃକ୍ତ ଏଏସ୍‌ଆଇଜଣକ ସହ ୪ ବର୍ଷ ସମ୍ପର୍କରେ ଥିଲେ। କିନ୍ତୁ ସେ ଏବେ ପୁଲିସ ଚାକିରି ପାଇଯିବା ପରେ ତାଙ୍କୁ ଛାଡ଼ି ଦେଇଛନ୍ତି। ଏ ବିଷୟରେ ପଚାରିବାକୁ ଯିବାରୁ ଓଲଟି ସେ ମୋତେ ଚାପୁଡ଼ା ମାରି ଥାନାରେ ଅଭିଯୋଗ କଲେ। ଫଳରେ ମୁଁ ଗିରଫ ହୋଇ ଜେଲ୍‌ ଗଲି। ଆଉ ୩ ସପ୍ତାହ ଜେଲ୍‌ର ଚାରି କାନ୍ଥ ଭିତରେ ରହିଲି।

ଏବେ ଆସନ୍ତୁ ଜାଣିବା କମିସନରେଟ ପୁଲିସର ଲକ୍ଷ୍ମୀସାଗର ଥାନାର ଚିତ୍ର। ଚଳିତ ମାସ ୧୪ ତାରିଖ। ଗାଡ଼ି ସାଇଡ୍‌ ଦେବାକୁ ନେଇ କଟକରୋଡ୍‌ର ଭଗବାନ ଆପାର୍ଟମେଣ୍ଟରେ ରହୁଥିବା ପରବିନ୍ଦର ସିଂ ପାଲଙ୍କୁ ୩ଜଣ ଯୁବକ ଶଙ୍କର ରାଉତ, ଦୀପକ ମହାନ୍ତି ଓ ଦୀପକ ଜେନା ପ୍ରାଣାନ୍ତକ ଆକ୍ରମଣ କଲେ। ପଥରରେ ତାଙ୍କ ମଥାକୁ ଛେଚି ଦେଲେ। ଏଥିରେ ତାଙ୍କ ଆଖି ନଷ୍ଟ ହୋଇଗଲା। ଏ ନେଇ ସେ ଥାନାରେ ଅଭିଯୋଗ କଲେ। କିନ୍ତୁ ପୁଲିସ ଏଠାରେ ଅଭିଯୁକ୍ତମାନଙ୍କ ବିରୋଧରେ ୩୦୭ ଦଫା ଲଗାଇବାକୁ ଭୁଲି ଗଲା। ଫଳରେ ଅଭିଯୁକ୍ତମାନେ ସାଙ୍ଗେସାଙ୍ଗେ ଜାମିନ ପାଇଗଲେ। କିନ୍ତୁ ପୁଲିସ କହିଲା ଆମେ ୩ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିଦେଲୁ। ଆଇନ ତା’ ବାଟରେ ଯିବ। ଅଭିଯୋଗକାରୀ ପରବିନ୍ଦର ଅଭିଯୁକ୍ତମାନଙ୍କ ବିରୋଧରେ ୩୦୭ ଦଫା ଲଗାଇବା ନେଇ ବାରମ୍ବାର କହୁଥିଲେ ମଧ୍ୟ ପୁଲିସ ତାଙ୍କ କଥା ଶୁଣି ନ ଥିଲା। ଗୋଟିଏ ପଟେ ଚାପୁଡ଼ା ମାରିଲେ ୩୦୭, ଅନ୍ୟପଟେ ପଥରରେ ଛେଚିଲେ କୋ‌ହଳ ଦଫା ଲଗାଇବା କମିସନରେଟ୍‌ ପୁଲିସର ଦୁଇଟି ଥାନାର ଦୁଇଟି ଭିନ୍ନ ଭିନ୍ନ କାହାଣୀ ପ୍ରତିପାଦନ କରୁଛି ଯେ କେଉଁଠି ନା କେଉଁଠି କମିସନରେଟ୍‌ ପୁଲିସ ଆଇନକୁ ଦଳି ମକଚି ଦେଇଛି। କେଉଁଠି ଅଭିଯୋଗକାରୀଙ୍କ ପ୍ରତି କୋହାଳ ମନୋଭାବ ପୋଷଣ କରିଛି ତ ଆଉ କେଉଁଠି କଠୋର ହୋଇଛି। ‘ଆମ ପୁଲିସ ଓ ଆମ ସୁରକ୍ଷା’ର ନାରା ଦେଉଥିବା କମିସନରେଟ ପୁଲିସ ଦୁଇଟି ଘଟଣାରେ ଯେମିତି ଭିନ୍ନ ଭିନ୍ନ ରୂପ ଦେଖାଇଛି, ତାହାକୁ ରାଜଧାନୀବାସୀ ଓ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରି ପାରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe