ବ୍ୟାପିଲାଣି ଡେଙ୍ଗୁ: ଗୋଟିଏ ପରିବାରରୁ ୫ ଆକ୍ରାନ୍ତ

ସମ୍ବଲପୁରରେ ୫ ଡେଙ୍ଗୁ ରୋଗୀ ଚିହ୍ନଟ

India.com

ଭୁବନେଶ୍ବର: କିଛି ଦିନ ଥମି ଯାଇଥିବା ଡେଙ୍ଗୁ ପୁଣି ଉତ୍ପାତ ଆରମ୍ଭ କରିଛି। ଖଣ୍ଡଗିରି ଧର୍ମବିହାରରେ ଗୋଟିଏ ପରିବାରର ୫ ଜଣ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ପରିବାରର ମୁଖିଆଙ୍କୁ ହେବା ପରେ ଦୁଇଜଣ ଶିଶୁ, ଜଣେ ବରିଷ୍ଠ ନାଗରିକ ଓ ଜଣେ ମହିଳା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଏ ଯାବତ୍‌ ବିଏମ୍‌ସି ନିକଟରେ ଖବର ମଧ୍ୟ ନାହିଁ। ସମ୍ପୃକ୍ତ ପରିବାର ପକ୍ଷରୁ ବିଏମ୍‌ସିକୁ ଅବଗତ କରାଯାଇଥିଲେ ମଧ୍ୟ ଏ ଯାବତ୍‌ ତାଙ୍କ ଘରକୁ କୌଣସି ଟିମ୍‌ ପରିଦର୍ଶନ କରିନାହାନ୍ତି। ଏଣୁ ଏହି ଅଞ୍ଚଳରେ ଡେଙ୍ଗୁ ଉତ୍ସ ରହିଛି ଓ ଏହା ଆହୁରି ବ୍ୟାପିବ‌ା ନେଇ ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପଟେ ଆଜି କ୍ୟାପିଟାଲ୍‌ ହସ୍‌ପିଟାଲ୍‌‌ରେ ପରୀକ୍ଷା ହୋଇଥିବା ୯୧ ନମୂନାରୁ ୯ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। ୬ ଜଣ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହୋଇଛନ୍ତି।

୨୦୨୨ ଓ ୨୦୨୩ରେ ଏହି ଅଞ୍ଚଳ ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଥିଲା। ଏହି ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତ ଥିବା ଜଣେ ଶିଶୁ ଓ ଗର୍ଭବତୀଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ଏହା ଡେଙ୍ଗୁଜନିତ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଥିଲା। କିନ୍ତୁ ଏହି ଅଞ୍ଚଳରେ ବ୍ୟାପକ ସଚେତନତା ଓ ଡେଙ୍ଗୁ ଉତ୍ସ ନଷ୍ଟ କରିବାକୁ ବିଏମ୍‌ସି ଲାଗି ପଡ଼ିଥିଲା। କିନ୍ତୁ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ କମି ଯାଇଛି। ନିକଟ ଅତୀତରେ ବିଏମସି ୩ ଜୋନ୍‌ର ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଡେଙ୍ଗୁ ପାଇଁ ସଚେତନତା ସହ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବାକୁ ତାଲିମ ଦେଇଥିଲା। ଦଫା ଦଫାରେ ୮ଶହ କ୍ଷେତ୍ର କର୍ମଚାରୀ ପ୍ରଶିକ୍ଷଣ ନେଇଥିଲେ। କିନ୍ତୁ ଅଙ୍ଗନବାଡି କର୍ମୀ ଏହି କାମ କରିବେ ନାହିଁ କହିଥିବା ବେଳେ କେତେକ ଆଶା କର୍ମୀ ସ୍ମାର୍ଟ ଫୋନ୍ ଚଳାଇବା ଜାଣିନଥିବା କହିବାରୁ ଏହି ସଚେତନତା ବାଧାପ୍ରାପ୍ତ ହୋଇଥିଲା। ଫଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ଗତ କାଲି ସୁଦ୍ଧା ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଡେଇଁଛି। ଧର୍ମବିହାର ଏଚ୍‌ଆଇଜି କଲୋନିରେ ବାସ କରୁଥିବା ଡ. ମୃତ୍ୟୁଞ୍ଜୟ କର କହିଛନ୍ତି, ପୂର୍ବବର୍ଷ ଭଳି ଏଥର ଡେଙ୍ଗୁକୁ ନେଇ ବ୍ୟାପକ ସଚେତନତା ହେଉନାହିଁ। ମଶା ତେଲ ପକା ଯାଉନାହିଁ। ମଶା ଉତ୍ସ ଚିହ୍ନଟ କରିବାକୁ ମଧ୍ୟ କେହି ବୁଲୁ ନାହାନ୍ତି। ଏହି ଅଞ୍ଚଳରେ ଡେଙ୍ଗୁ ବ୍ୟାପୁଥିବାରୁ ବିଏମ୍‌ସି ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବା କଥା। ଡେଙ୍ଗୁ ହେ‌ଲେ କାହାକୁ ଯୋଗାଯୋଗ କରିବ ସେ ନେଇ ମଧ୍ୟ ସଚେତନତା ନାହିଁ। ୧୯୨୯ ରେ ଯୋଗାଯୋଗ କଲେ ଅନେକ ସମୟରେ ସୁଫଳ ମିଳୁନାହିଁ। ଏଣୁ ବିଏମ୍‌ସି ଏ ବାବଦରେ ତତ୍ପର ହେବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe