ଟାଟା କ୍ୟାନସର ହସ୍ପିଟାଲ ପାଇଁ ହଟିବ ପଦନପୁର ଶ୍ମଶାନ

ଟାଟା କ୍ୟାନସର ହସ୍ପିଟାଲ ପାଇଁ ହଟିବ ପଦନପୁର ଶ୍ମଶାନ

The Indian Express

ଭୁବନେଶ୍ବର: ଟାଟା ମେମୋରିଆଲ ସେଣ୍ଟର (ଟିଏମ୍‌ସି) ପକ୍ଷରୁ ନାଇଜର କ୍ୟାମ୍ପସରେ ହୋମି ଭାବା କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରାଯିବ। ନିକଟରେ ରାଜ୍ୟ ସରକାରଙ୍କ ସହିତ ଟିଏମ୍‌ସି ପକ୍ଷରୁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ହସ୍ପିଟାଲ ନିର୍ମାଣ ଲାଗି ପଦନପୁର ଶ୍ମଶାନକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ। ଆସନ୍ତାବର୍ଷ ସୁଦ୍ଧା ଦେଢ଼ କି.ମି ଦୂରରେ ଅନ୍ୟତ୍ର ଜାଗା ପ୍ରଦାନ କରିବା ଖୋର୍ଧା ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଏହାସହ ହସ୍ପିଟାଲ ପାଇଁ ସ୍ବତନ୍ତ୍ର ଅଗ୍ନିଶମ କେନ୍ଦ୍ର ଓ ଅତ୍ୟାଧୁନିକ ବସ୍ ଷ୍ଟପ୍ ନିର୍ମାଣ କରିବା ଲାଗି ନିଷ୍ପତ୍ତି ହୋଇଛି।

ନାଇଜର ଅଧୀନରେ ଏବେ ୧୭ ଏକର ଜମି ରହିଛି। ତାହାକୁ ଟିଏମ୍‌ସିକୁ ପ୍ରଦାନ କରିବା ସହିତ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଅଧୀନରେ ଆଉ ୧୩ ଏକର ଜମି ପ୍ରଦାନ କରାଯିବ। ଆହୁରି ୩୦ ଏକର ଜମି ଲାଗି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଖୋର୍ଧା ଜିଲ୍ଲାପାଳ କ୍ଷେତ୍ର ପରିଦର୍ଶନ କରି ଜବରଦଖଲମୁକ୍ତ ଜାଗା ପ୍ରଦାନ କରିବା ଲାଗି ନିର୍ଦେଶ ଦିଆଯାଇଛି। ଏହାସହ ହସ୍ପିଟାଲକୁ ମୋ-ବସ୍ ସେବା ସହିତ ଉନ୍ନତ ମାନର ବସ୍ ରହଣିସ୍ଥଳ ନିର୍ମାଣ କରାଯିବ। ସେହିପରି ହସ୍ପିଟାଲ ପରିସରରେ ୧ ଏକର ଜାଗାରେ ସ୍ବତନ୍ତ୍ରଭାବେ ଏକ ଅଗ୍ନିଶମ କେନ୍ଦ୍ର ସହିତ ଷ୍ଟାଫ୍ କ୍ବାର୍ଟର ନିର୍ମାଣ କରାଯିବ। ଏହାର ବ୍ୟବସ୍ଥା କରିବା ଲାଗି ଅଗ୍ନିଶମ କେନ୍ଦ୍ର ପାଇଁ ଖୋର୍ଧା ଜିଲ୍ଲାପାଳ/ଅଗ୍ନିଶମ ଡିଜିଙ୍କୁ କୁହାଯାଇଛି।

ହସ୍ପିଟାଲ ପରିସରରେ ଏକ ଧର୍ମଶାଳା ଓ ଆହାର କେନ୍ଦ୍ର ନିର୍ମାଣ ହେବ। ଯାହାଫଳରେ ହସ୍ପିଟାଲକୁ ଚିକିତ୍ସା ଆସୁଥିବା ରୋଗୀ ଆଟେଣ୍ଡାଣ୍ଟଙ୍କ ପାଇଁ ରହିବା ଓ ଖାଇବାର ସୁବିଧା ମିଳିପାରିବ। ଏବେ ନାଇଜରକୁ ଅରୁଗୁଳ ଗ୍ରିଡ୍‌ରୁ ବିଦ୍ୟୁତ ସଂଯୋଗ ରହିଛି। କ୍ୟାନସର ହସ୍ପିଟାଲ ପାଇଁ ଅରୁଗୁଳ ଓ ମେଣ୍ଢାଶାଳ ଦୁଇ ଦୁଇଟି ଉତ୍ସରୁ ବିଦ୍ୟୁତ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି। ଏହିସବୁ କାର୍ଯ୍ୟକୁ ସଂପୂର୍ଣ୍ଣ ଲାଗି ଖୋର୍ଧା ଜିଲ୍ଲାପାଳ, ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶିକା, ଓପିଟିସିଏଲ, ବିଏଏଆରସି, ନାଇଜରର ନି‌ର୍ଦେଶକ, କ୍ରୁଟ୍‌ର ମହାପ୍ରବନ୍ଧକ ଓ ଟିଏମ୍‌ସି ମୁମ୍ବାଇର ଉପ-ନିର୍ଦେଶକଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe