ବାଲିପାଟଣା : ଧାନ ଚାଷରୁ ଆଶା ଛାଡ଼ିଦେଲେ, ବର୍ଷକର ଭାତହାଣ୍ଡି ଉଜୁଡ଼ି ଯାଇଥିବାରୁ ଚିନ୍ତାରେ ଚାଷୀ

Advertisment

ବନ୍ୟା ପରେ ଡାଇରିଆ ଡର, ୫ ହଜାର ଲୋକ କଲବଲ

ବନ୍ୟା ପରେ ଡାଇରିଆ ଡର, ୫ ହଜାର ଲୋକ କଲବଲ

ବାଲିପାଟଣା : ଧାନ ଚାଷରୁ ଆଶା ଛାଡ଼ିଦେଲେ, ବର୍ଷକର ଭାତହାଣ୍ଡି ଉଜୁଡ଼ି ଯାଇଥିବାରୁ ଚିନ୍ତାରେ ଚାଷୀ

ବାଲିପାଟଣା : କୁଶଭଦ୍ରା ନଦୀରେ ବନ୍ୟା ଜଳସ୍ତର କିଛିଟା ହ୍ରାସ ପାଇଛି। କିନ୍ତୁ ଏବେ ବି ବାଲିପାଟଣା ବ୍ଲକ ଅନ୍ତର୍ଗତ ୭ ପଞ୍ଚାୟତର ୩୦ରୁ ଅଧିକ ଗାଁ ବନ୍ୟା ଘେରରେ ରହିଛି। ୫ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ କଲବଲ ହେଉଛନ୍ତି। ଫଳରେ ସାଧାରଣ ଜୀବନଯାପନ ପୂରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗାଁ ଦାଣ୍ଡରେ ଅଣ୍ଟାଏ ପାଣି ଚାଲୁଛି। କିଛି ଲୋକଙ୍କ ଘରେ ବି ସେମିତି ପାଣି ପଶି ରହିଛି। ଖଟ ଉପରୁ ତଳକୁ ଓହ୍ଲାଇଲେ ପାଣି। ଅନେକ ନଳକୂପ ବୁଡ଼ି ଯାଇଛି। ପାଇପ୍ ଜଳ ପ୍ରକଳ୍ପ କାମ କରୁନଥିବାରୁ ଲୋକେ ପିଇବା ପାଣି ପାଇଁ ବନ୍ୟା ପାଣିରେ ପଶି ଦୂରକୁ ଯାଉଛନ୍ତି। ଏଣେ ବିଷଧର ସାପମାନେ ବନ୍ୟା ପାଣିରେ ଭାସୁଥିବାରୁ ପାଣିରେ ଚଳପ୍ରଚଳ ହେବା ଅସମ୍ଭବ ହୋଇପଡ଼ୁଛି। ଏମିତି ବଡ଼ ଦୟନୀୟ ସ୍ଥିତିରେ ଲୋକେ କଲବଲ ହେଉଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା କଥା ୨୦୧୧ ମସିହା ପରେ ଧନୁଆ ନଈରେ ଚଳିତ ବର୍ଷ ବଡ଼ ବନ୍ୟା ଆସିଛି। ପୂର୍ବରୁ ଏହି ନଈର ବନ୍ୟା ଏମିତି ଦୁର୍ଦ୍ଦଶା ଆଣିନଥିଲା। ବିଶେଷକରି ଚଳିତ ବର୍ଷ ବନ୍ୟା ଧାନ ଚାଷକୁ ଧ୍ବଂସ କରି ଦେଇଛି। ରାସ୍ତାଘାଟରୁ ପାଣି କମିଗଲେ ବି ଗହୀରର ପରିସ୍ଥିତି ବଡ଼ ଜଟିଳ। ଗହୀରରୁ ବନ୍ୟା ପାଣି ଛାଡ଼ିବାକୁ ଆହୁରି ଗୋଟିଏ ସପ୍ତାହରୁ ଅଧିକ ସମୟ ଲାଗିବ। ଚଳିତ ବର୍ଷ ବିଳମ୍ବିତ ବର୍ଷା କାରଣରୁ ବେଉଷଣ ବିଳମ୍ବ ହୋଇଥିଲା। ଅର୍ଥାତ୍‌ ଠିକ୍ ବନ୍ୟା ପୂର୍ବରୁ ରୁଆ ଓ ବେଉଷଣ କାମ ହୋଇଥିଲା। ହୋଇଥିବା ଧାନ ଆଉ ତିଷ୍ଠିବା ସମ୍ଭବ ନୁହେଁ। ସଦ୍ୟ ରୁଆ ଓ ବେଉଷଣ ହୋଇଥିବା ଧାନ ଗଛ ବିଲରେ ପଚିସଢ଼ି ଗଲାଣି। ଧାରକରଜ କରି ବିଲରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିବା ଚାଷୀ ଏବେ ହତାଶ ହୋଇ ପଡ଼ିଛନ୍ତି। ବର୍ଷକର ଭାତହାଣ୍ଡି ଉଜୁଡ଼ି ଯାଇଥିବାରୁ ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ବହୁ ଚାଷୀ ଚଳିତ ବର୍ଷ ଧାନ ଚାଷରୁ ଆଶା ଛାଡ଼ି ଦେଇଥିବା କହିଛନ୍ତି। ସେହିଭଳି ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପରିବା ଚାଷରେ ବ୍ୟୟ ହୋଇଥିବା ଅର୍ଥ ବନ୍ୟା ପାଣିରେ ଗଲା। ଫଳନ୍ତି ଗଛ ସବୁ ପାଣିରେ ବୁଡ଼ି ପଚି ଯିବାରୁ ଠିକ୍‌ ଦି’ପଇସା ରୋଜଗାର ବେଳେ ବନ୍ୟା ବୁଡ଼ାଇଦେଲା। ଏମିତିରେ ଧନୁଆ ନଈର ବନ୍ୟା ଚଳିତ ବର୍ଷ ସବୁ ଦିଗରୁ ଚାଷୀକୁ ତଳିତଳାନ୍ତ କରିଛି।

publive-image

ବାଲିପାଟଣା ବ୍ଲକର ଟିଙ୍କିପଡା, ଦରଡ଼ା, ବେଲମରା, ଦନାପଡ଼ା, ଗରିଆ, କୃଷ୍ଣପୁର, ଘାସିଅନ୍ଧଟି, ବିଲସାହି, ଇନ୍ଦୋଳ କୁସିଆରି, କୁରୁଞ୍ଜିପୁର, ସାନ ଓ ବଡ଼ ମାଛପୁର ଏଭଳି ଅନେକ ଗାଁ ପାଣିଘେରରେ ଅଛି। ବ୍ଲକ ପ୍ରଶାସନ ତରଫରୁ ୧୦୮୭ ପରିବାରକୁ ରିଲିଫ୍‌ ଦିଆଯାଇଛି ବୋଲି ବ୍ଲକ ଯୋଗାଣ ଅଧିକାରୀ ଦେବସ୍ମିତା ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ୫ହଜାର ଲୋକ ଜଳବନ୍ଦୀ ଥିବାବେଳେ ମାତ୍ର ଏତିକି ଲୋକଙ୍କୁ ରିଲିଫ୍ ମିଳିଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେହିଭଳି ୫ଦିନ ହେଲାଣି ଗୋରୁଗାଈମାନେ ଭୋକ ଉପାସରେ ପଡ଼ିଥିବାବେଳେ ଗୋଖାଦ୍ୟ ମିଳିନାହିଁ। ଏଥିପାଇଁ ଆହୁରି ୨ ଦିନ ଲାଗିବ ବୋଲି ପଶୁ ସମ୍ପଦ ଅଧିକାରୀ ମାନସ ଚାନ୍ଦ କହିଛନ୍ତି। ବନ୍ୟା ଛାଡ଼ିବା ପରେ ପରେ ଝାଡ଼ାବାନ୍ତି ଭଳି ରୋଗ ଦେଖା ଯିବା ସ୍ୱାଭାବିକ। ତେବେ ସେଥିପାଇଁ ସ୍ବାସ୍ଥ୍ୟବିଭାଗ ସଜାଗ ଅଛି ବୋଲି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ମନୋରଞ୍ଜନ ହାତୀ କହିଛନ୍ତି। ୨ଟି ମୋବାଇଲ୍‌ ଟିମ୍‌ ବନ୍ୟା ଅଞ୍ଚଳରେ କାମ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe