The New Indian Express
ଭୁବନେଶ୍ୱର: ଗତ ମାସରେ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପଟିଆ ପଦ୍ମକେଶରୀପୁର ଗାଁରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଯୋଗୁ ଆଜି ବି ଗାଁ ପୁରୁଷଶୂନ୍ୟ ହୋଇ ରହିଛି। ଯେମିତି ଏଠାରେ ଲୋକଙ୍କର ବଞ୍ଚିବାର ଅଧିକାର କିଏ ଛଡ଼ାଇ ନେଇଛି। ଏଭଳି ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗୋଷ୍ଠୀ ସଂଘର୍ଷର କାରଣକୁ ନେଇ ନାନା କଥା ସାମ୍ନାକୁ ଆସୁଥିଲେ ମଧ୍ୟ ଶ୍ରୀମତୀ ଷଡ଼ଙ୍ଗୀ ଏହା ପଛରେ ଚଢ଼ା ଦରରେ ସୁଧା କାରବାର ରହିଛି ବୋଲି ଅଭିଯୋଗ କରିଛନ୍ତି।
ବିଜେଡିର ପ୍ରୋତ୍ସାହନରେ ପଦ୍ମକେଶରୀପୁରରେ ମହାଜନୀ କାରବାର ଚାଲିଛି ବୋଲି ସେ ସିଧା ସିଧା କହିଛନ୍ତି। ଶାସକ ଦଳର ପ୍ରୋତ୍ସାହନରେ ‘ମନି ଲଣ୍ଡରିଂ ଆଇନର ଖୋଲା ଉଲ୍ଲଘଂନ ହେଉଛି। ଗାଁରେ ମାସିକ ୨୦ ପ୍ରତିଶତ ସୁଧ ହାରରେ ବେଆଇନ ବେପାର ଚାଲିଛି। ଯିଏ ବିରୋଧ କରୁଛି ସେ ଆକ୍ରୋଶର ଶିକାର ହେଉଛି। ୩ ମାସ ମଧ୍ୟରେ ଗିରଫ ହୋଇଥିବା ୧୫୫ ଜଣଙ୍କ ମଧ୍ୟରେ ୫୪ ଜଣ ମହିଳା ଅଛନ୍ତି। ପୁଲିସ ତା’ କାମ କରୁଛି। କିନ୍ତୁ ଗାଁରେ ହିଂସାକାଣ୍ଡ ପଛରେ ବିଜେଡି ରହିଥିବାରୁ ସରକାର ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରୁନାହାନ୍ତି। ଦୀର୍ଘ ୩ ମାସ ହେଲାଣି ପଦ୍ମକେଶରୀପୁରରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗିରଫଦାରୀ ପରଠୁ ପରିବାର ମୁରବିଶୂନ୍ୟ ହୋଇପଡ଼ିଛି। ମୁରବି ଜେଲ୍ରେ ଥିବାରୁ ଶିଶୁ ଓ ବୟସ୍କ ଅସହାୟ ହୋଇ ପଡ଼ିଛନ୍ତି। ନାଗରିକଙ୍କୁ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ବ। ସେ ଏହି ଦାୟିତ୍ବ ପୂରଣ କରନ୍ତୁ। ମୁଁ ପୁଣି ଥରେ ଏହି ଗାଁର ସ୍ଥିତି ଅନୁଧ୍ୟାନ କରିବାକୁ ଯିବି ବୋଲି କହିଛନ୍ତି। ଆଜି ପଳାସପଲ୍ଲୀସ୍ଥିତ ତାଙ୍କ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ସରକାରଙ୍କ ଉପରେ ବର୍ଷିଛନ୍ତି।
Follow Us