ସୁଭଦ୍ରା ଆର୍ଟ ଗ୍ୟାଲେରିରେ ଚିତ୍ରକଳା ପ୍ରଦର୍ଶନୀ

Advertisment
ସୁଭଦ୍ରା ଆର୍ଟ ଗ୍ୟାଲେରିରେ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର: ଉତ୍କଳ ଦିବସ ଉପଲକ୍ଷେ ଏକ ଚିତ୍ରକଳା ପ୍ରଦର୍ଶନୀ ସୁଭଦ୍ରା ଆର୍ଟ ଗ୍ୟାଲେରି ଓ ଗତିକୃ୍ଷ୍ଣ ଭିଲ୍ଲା ୱେଲଫେୟାର୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖ ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଗତିକୃଷ୍ଣ ଭିଲ୍ଲାରେ ସୁଭଦ୍ରା ଆର୍ଟ ଗ୍ୟାଲେରିର ନୂତନ ପ୍ରଦର୍ଶନୀ ଗୃହରେ ଅନୁଷ୍ଠିତ ଏହି ଚିତ୍ରକଳା ପ୍ରଦର୍ଶନୀକୁ ଉନ୍ନୟନ ସଚିବ ପ୍ରଦୀପ ଜେନା ଉଦ୍‌ଘାଟନ କରିଥିଲେ। ପ୍ରଖ୍ୟାତ ହୃଦ୍‌ରୋଗ ବିଶେଷଜ୍ଞ ତଥା ଚିତ୍ରଶିଳ୍ପୀ ଡ. ଜେ.ପି ଦାସ ଓ ଓଡ଼ିଶା ଲଳିତ କଳା ଏକାଡେମିର ପ୍ରାକ୍ତନ ସଚିବ ଶିଳ୍ପୀ ରବି ରଥ ସମ୍ମାନିତ ବକ୍ତା ଭାବେ ଯୋ‌ଗଦେଇ ଦୈନନ୍ଦିନ ଜୀବନରେ ଚିତ୍ରକଳା ମଣିଷକୁ ମାନସିକ ଶାନ୍ତି ପ୍ରଦାନ କରେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ‘ମିଟ୍‌ ଦି’ ଆର୍ଟିଷ୍ଟ’ କାର୍ଯ୍ୟକ୍ରମରେ ଲଣ୍ଡନସ୍ଥିତ ପ୍ରଖ୍ୟାତ ଚିତ୍ରଶିଳ୍ପୀ ତଥା ଲେଖକ ପ୍ରଫୁଲ୍ଲ ମହାନ୍ତି ଭିଡିଓ ମାଧ୍ୟମରେ ନିଜର ଜୀବନ ଓ ଦର୍ଶନ ସଂପର୍କରେ ଆଲୋକପାତ କରିଥିଲେ। ଗତିକୃଷ୍ଣ ଭିଲ୍ଲା ୱେଲଫେୟାର୍‌ ଆସୋସିଏସନ୍‌ୟର ସଭାପତି ପ୍ରଫେସର୍‌ ଉଦୟନାଥ ଦାଶ ସଭାପତିତ୍ବ କରିଥିବା ବେଳେ ସଂପାଦକ ଦେବପ୍ରସାଦ ମହାନ୍ତି ଧନ୍ୟବାଦ ଦେଇଥିଲେ।

ପ୍ରଦର୍ଶନୀରେ ଓଡ଼ିଶା ତଥା ଭାରତର ପ୍ରଖ୍ୟାତ ଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି, ଡ. ଜେ.ପି ଦାସ, ଡ. ଦୀନନାଥ ପାଠୀ, ଭାସ୍କର୍ଯ୍ୟଶିଳ୍ପୀ ରବି ରଥ, ରାମହରି ଜେନା, ମାନସ ଜେନା, ଯତୀନ ଦାସ, ଦୁର୍ଗା ଦାସ, ଶିବ ପାଣିଗ୍ରାହୀ, ପ୍ରଫେସର୍‌ ପ୍ରଣାମ ସିଂହ, ପ୍ରଫେସର୍‌ ଇନ୍ଦ୍ରପ୍ରମିତ ରାୟ, ଅଶୋକ ରଥ ଆଦି ଶିଳ୍ପୀମାନଙ୍କର ଚିତ୍ରକଳା ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆର୍ଟ ଗ୍ୟାଲେରି ଅଧ୍ୟକ୍ଷ ଇଂ ସୂର୍ଯ୍ୟ ରଥ ଜଣାଇଛନ୍ତି। ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ଅଶୋକ ସାହୁଙ୍କ ଗଣେଶ ପ୍ରତିମୂର୍ତ୍ତି ଅତ୍ୟନ୍ତ ଉଚ୍ଚକୋଟୀର ହୋଇ ପ୍ରଶଂସିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe