ପଳାସୁଣି ବ୍ରିଜ୍‌ ନିର୍ମାଣ ବିଳମ୍ବ ପ୍ରସଙ୍ଗ: ନୂଆ ବ୍ରିଜ୍‌ ପାଇଁ ବସ୍ତି ବାଧକ

Advertisment

ରେ’ ଥଇଥାନ ପାଇଁ ଅଟକିଛି ଉଚ୍ଛେଦ: ଉପାୟୁକ୍ତ

ରେ’ ଥଇଥାନ ପାଇଁ ଅଟକିଛି ଉଚ୍ଛେଦ: ଉପାୟୁକ୍ତ

ପଳାସୁଣି ବ୍ରିଜ୍‌ ନିର୍ମାଣ ବିଳମ୍ବ ପ୍ରସଙ୍ଗ: ନୂଆ ବ୍ରିଜ୍‌ ପାଇଁ ବସ୍ତି ବାଧକ

ଭୁବନେଶ୍ବର: ଦୟା ୱେଷ୍ଟ କେନାଲ ବନ୍ଧ ପଳାସୁଣି-ବ‌ାରଙ୍ଗ ରାସ୍ତାରେ ପଳାସୁଣିଠାରେ ହେବାକୁ ଥିବା ନୂଆ ବ୍ରିଜ୍ ନିର୍ମାଣରେ ବାଧକ ସାଜିଛି ବସ୍ତି। ଚାରି ବର୍ଷ ତଳୁ ବ୍ରିଜ୍‌ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ ହୋଇପାରୁନଥିବାରୁ କାମ ଆଗେଇ ପାରୁନି। ବସ୍ତି ଉଚ୍ଛେଦ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଡିଏକୁ ବାରମ୍ବାର ଚିଠି କରାଯାଇଛି। ବିଡିଏ କର୍ତ୍ତୃପକ୍ଷ କେବଳ କିଛି ବେଆଇନ ନିର୍ମାଣ ହଟାଇ ଦେଇଥିବାବେଳେ ବସ୍ତି ଉଚ୍ଛେଦ କରିପାରୁନାହିଁ। ସେହିଭଳି ବିଏମ୍‌ସି ମଧ୍ୟ ଏଦିଗରେ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ବିନା ଥଇଥାନରେ ବସ୍ତି ଉଚ୍ଛେଦ କରିବାକୁ ଜୋର୍‌ଦାର ବିରୋଧ ହେଉଥିବାରୁ ସମସ୍ୟା ସେମିତି ଅସମାହିତ ଅବସ୍ଥାରେ ରହିଛି।

ସୂଚନାନୁସାରେ ପଳାସୁଣିସ୍ଥିତ ଆଖଣ୍ଡଳମଣି ବସ୍ତି ନିକଟରେ ଏହି ରାସ୍ତାରେ ଥିବା ବଙ୍କା ପୋଲ ବେଶ୍ ଅଣ ଓସାରିଆ। ପୁରୁଣା ବ୍ରିଜ୍‌ର କିଛି ଅଶଂ ଭାଙ୍ଗି ଲୁହା ଛଡ଼ ଦେଖାଗଲାଣି। ତେଣୁ ଅଣଓସାରିଆ ଓ ପୁରୁଣା ଭଙ୍ଗା ବ୍ରିଜ୍‌ରେ ଲୋକମାନେ ବିପଜ୍ଜନକ ଭାବେ ଯାତାୟାତ କରୁଛନ୍ତି। ଦୀର୍ଘ ବର୍ଷ ଧରି ଦାବି କରାଯିବା ପରେ ନୂଆ ବ୍ରିଜ୍‌ ନିର୍ମାଣ ପାଇଁ ଟେଣ୍ଡର ହେଲା। କିନ୍ତୁ ସେଇଠି ଅଟକିଛି ଚାରି ବର୍ଷ ହେଲା। ନୂଆ ବ୍ରିଜ୍‌ ନିର୍ମାଣ ପାଇଁ ବସ୍ତିରୁ ୪୫ଟି ଘର ଭାଙ୍ଗିବାକୁ ପଡ଼ିବ।

ଏଥିରୁ ୧୫ଟି ଘର ବେଆଇନ ଭାବେ ନିର୍ମାଣ ହୋଇଥିବା ବେଳେ ୩୦ଟି ଘର ରେ’ ଘର ବା ରାଜୀବ ଆବାସ‌ ଯୋଜନାରେ ରହିଛି। ତେଣୁ ସେହି ଘରଗୁଡ଼ିକୁ ଭାଙ୍ଗିବା ସହଜ ହେଉନାହିଁ। ବିନା ଥଇଥାନରେ ସେମାନେ ବସ୍ତିରୁ ହଟିବେ ନାହିଁ ବୋଲି ଜିଦ୍‌ ଧରିଛନ୍ତି। ଏ ସଂପର୍କରେ ବିଡିଏର ଏନ୍‌ଫୋର୍ସମେଣ୍ଟ ଉପାୟୁକ୍ତ ହରିଶ ନାୟକ କହିଛନ୍ତି ଯେ ପୂର୍ବରୁ କିଛି ଅଂଶରୁ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି। କିନ୍ତୁ ରେ’ ଅନ୍ତର୍ଭୁକ୍ତ ଘରଗୁଡ଼ିକ ଉଚ୍ଛେଦ କରିବାକୁ ହେଲେ ପ୍ରଥମେ ସେମାନଙ୍କୁ ଥଇଥାନ କରିବାକୁ ପଡ଼ିବ। ବିଏମ୍‌ସି ସେମାନଙ୍କୁ ଥଇଥାନ କଲା ପରେ ବିଡିଏ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ କରାଯିବ। ଏନେଇ ବସ୍ତିବାସିନ୍ଦା ସରୋଜ ଦାସଙ୍କ କହିବା କଥା ଥଇଥାନ କଲେ, ବସ୍ତି ଉଚ୍ଛେଦରେ ସେମାନଙ୍କର କୌଣସି ଆପତ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe