ଭୁବନେଶ୍ୱର : ବିଗତ କିଛି ଦଶନ୍ଧିର କବିତାରେ ସ୍ମୃତି ଓ ଆଶାର ପ୍ରତିଫଳନ ଦେଖାଯାଉଛି। ବ୍ୟକ୍ତିଗତ ଅନୁଭୂତିର ସୂକ୍ଷ୍ମତମ ପରିପ୍ରକାଶ ଘଟୁଛି। ବିଭିନ୍ନ ସାମାଜିକ, ରାଜନୈତିକ ପ୍ରସଙ୍ଗ କବିତାରେ ଉପସ୍ଥାପିତ ହେଉଛି। ବୈଷୟିକ ବ୍ୟବସ୍ଥାର ଉନ୍ନତି ଯୋଗୁଁ ପେନ୍ ଓ ପେପର୍ର ଜାଗା ମନିଟର ଓ ମାଉସ୍ ନେଲାଣି। ସାମାଜିକ ଗଣମାଧ୍ୟମର ଉଦ୍ଭବ କବିକୁ ସ୍ୱାଧୀନତା ଆଣିଦେଇଛି। କବିଟିଏ ତାର କବିତା ଛାପିବା ପାଇଁ କାହା ଉପରେ ନିର୍ଭର ନ କରି ତାର ଲେଖାକୁ ପାଠକ ନିକଟରେ ପହଞ୍ଚାଇ ପାରୁଛି।
ପ୍ରଖ୍ୟାତ ସାହିତ୍ୟିକ, ଅନୁବାଦକ ତଥା ଇଣ୍ଡିଆ ଲିଟେରଚରର ସଦସ୍ୟ ସମ୍ପାଦକ ଏ.ଜେ. ଥୋମାସ ଏପରି ମତବ୍ୟକ୍ତ କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ପାନ୍ଥ ନିବାସଠାରେ ଅନୁଷ୍ଠିତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସ୍ମୃତିରେ ‘ଏକବିଂଶ ଶତାବ୍ଦୀରେ ଭାରତୀୟ କବିତା:ଏକ ମୁଖବନ୍ଧ’ ଶୀର୍ଷକ ସ୍ମାରକୀ ବକ୍ତତା ପ୍ରଦାନ କରି ଶ୍ରୀ ଥୋମାସ ଏପରି ମତ ରଖିଛନ୍ତି।
ଏକାଡେମିର ସଭାପତି ହରିହର ମିଶ୍ର ସଭାରେ ଅଧ୍ୟକ୍ଷତା କରି କହିଲେ, ପଣ୍ଡିତ ନୀଳକଣ୍ଠ ଥିଲେ ନିର୍ଭୀକତା ଓ ସ୍ୱାଭିମାନର ପ୍ରତୀକ। ଓଡ଼ିଆ ଜାତିର ଐତିହ୍ୟ, ପରମ୍ପରା ପ୍ରତି ତାଙ୍କର ମମତା ଥିଲା ନିବିଡ଼। ସଚିବ ଅଶ୍ୱିନୀ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ, ଓଡ଼ିଆ ଗଦ୍ୟ ଓ ପଦ୍ୟ ସାହିତ୍ୟକୁ ପଣ୍ଡିତ ନୀଳକଣ୍ଠଙ୍କ ଅବଦାନ ଅତୁଳନୀୟ। ତାଙ୍କ ରଚନାରେ ମୌଳିକତା ଭରି ରହିଥିଲା। ଶେଷରେ ଏକାଡେମି ଉପସଭାପତି ଗାୟତ୍ରୀ ସରାଫ୍ ଧନ୍ୟବାଦ ପ୍ରଦାନ କରିଥିଲେ।
Follow Us