ପାନ୍ଥନିବାସ ଘରୋଇକରଣ ପ୍ରସଙ୍ଗ : ସରକାର ଶୁଣିଲେନି, କର୍ମଚାରୀ ସଂଘ କୋର୍ଟର ଦ୍ବାରସ୍ଥ

କାଠଗଡ଼ାରେ ଘରୋଇକରଣ ପ୍ରସଙ୍ଗ : ପାନ୍ଥନିବା‌ସ ଘରୋଇକରଣ ପ୍ରକ୍ରିୟାରେ ରହିତାଦେଶ

makemytrip.com

ଭୁବନେଶ୍ୱର : ଦାବି କଲେ, ନେହୁରା ହେଲେ। ତଥାପି ସରକାର ପାନ୍ଥନିବାସ ଘରୋଇକରଣ ପ୍ରସ୍ତାବରୁ ଓହରିଲେ ନାହିଁ। ବରଂ ଆସନ୍ତା ନଭେମ୍ବର ୪ ତାରିଖରେ ଏନେଇ ଟେଣ୍ଡର ଡାକିଛନ୍ତି। ଘରୋଇ ସଂସ୍ଥା ହାତରେ ଲାଭଦାୟୀ ପାନ୍ଥନିବାସକୁ ଟେକି ଦେବାକୁ ଜିଦ୍‌ରେ ଅଟଳ ରହିଛନ୍ତି। ଆଲୋଚନା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲେ ବି ତାହାକୁ କର୍ଣ୍ଣପାତ ନକରିବାରୁ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ନ୍ୟାୟାଳୟର ଆଶ୍ରୟ ନେଇଛି। ସଂଘର କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର ଦେୱାନି ସିଭିଲ୍‌ ଜଜ୍‌, ସିନିୟର ଡିଭିଜନ, ଭୁବନେଶ୍ବର‌ର ଦ୍ବାରସ୍ଥ ହୋଇଛନ୍ତି। ଅଦାଲତରେ (ଆଇ.ଏ ନଂ ୧/୨୦୨୦ ଏବଂ ସୁଟ୍‌ ନଂ ୧୬୨୮/୨୦୨୦)ରେ ମକଦ୍ଦମା ଦାୟର କରିଛନ୍ତି।

ଶ୍ରୀ ପାତ୍ର କହିଛନ୍ତି, ପାନ୍ଥନିବାସ ଲାଭଦାୟୀ ସଂସ୍ଥା ଭାବେ ନିଜକୁ ସାବ୍ୟସ୍ତ କରି ରୌପ୍ୟ ଉଦ୍ୟୋଗର ତାଲିକାଭୁକ୍ତ ହୋଇପାରିଛି। ୩୦ କୋଟିର ଲାଭ ଅର୍ଜନ କରିଛି। ମାତ୍ର ଏହାର ଉନ୍ନତି ନିମନ୍ତେ ଉଦ୍ୟମ କରିବା ପରିବର୍ତେ ଏହାକୁ ଘରୋଇକରଣ କରିବା ଦ୍ବାରା ଏହା ଉପରେ ନିର୍ଭର କରୁଥିବା ୧ ହଜାର କର୍ମଚାରୀ କ୍ଷତିଗ୍ରସ୍ତ ହେବେ। ଏହି ଆଧାରରେ ସେ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା କହିଛନ୍ତି।

ସୂଚନାଯୋଗ୍ୟ ସରକାରୀ ମାଲିକାନାରେ ଚାଲିଥିବା ବାଲେଶ୍ବର, ଭଦ୍ରକ, ଗୋପାଳପୁର, ତପ୍ତପାଣି, ଧଉଳି ପାନ୍ଥିକାକୁ ୩୦ ବର୍ଷିଆ ଲିଜ୍‌ରେ ଦେବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏହାକୁ ସଂଘ ପକ୍ଷରୁ ବିରୋଧ କରାଯିବା ସହିତ ସମ୍ପୃକ୍ତ ପାନ୍ଥନିବାସର କର୍ମଚାରୀମାନେ ମଧ୍ୟ ବିରୋଧ କରିଛନ୍ତି। ମାତ୍ର କାହା କଥାକୁ କର୍ଣ୍ଣପାତ ନକରି ସରକାର ନିଜ ଜିଦ୍‌ରେ ଅଟଳ ରହିଛନ୍ତି।

ଶ୍ରୀ ପାତ୍ର କହିଛନ୍ତି, ୨୦୧୭-୧୮ ଓ ୨୦୧୮-୧୯ ବର୍ଷରେ ପାନ୍ଥନିବାସ ଲାଭାଂଶରୁ ସରକାରଙ୍କ ତହବିଲକୁ ୨ କୋଟି ଟଙ୍କା ପ୍ରଦାନ କରିଛି। ଏହା ସତ୍ତ୍ବେ କରୋନା ମହାମାରୀ ସମୟରେ ପାନ୍ଥନିବାସକୁ ବିପର୍ଯ୍ୟୟରୁ ମୁକୁଳାଇବା ପରିବର୍ତେ ଘରୋଇ ସଂସ୍ଥାକୁ ଟେକି‌ ଦେବା କେତେ ଯୁକ୍ତିଯୁକ୍ତ? ସେ କହିଛନ୍ତି, କେବଳ ୫ଟି ପାନ୍ଥନିବାସ ନୁହେଁ ବରଂ ଆଉ କିଛି ପାନ୍ଥନିବାସକୁ ମଧ୍ୟ ଲିଜ୍‌ ସୂତ୍ରରେ ଦେବା ପାଇଁ ହୀନ ଚକ୍ରାନ୍ତ କରାଯାଉଛି। ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ପର୍ଯ୍ୟଟନ ସଚିବ, ନିର୍ଦେଶକ, ଓଟିଡିସି ଅଧ୍ୟକ୍ଷା ଏ ବାବଦରେ ପୁନର୍ବିଚାର କରିବାକୁ ସଂଘ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲେ ହେଁ ପାନ୍ଥନିବାସର ମେରୁଦଣ୍ଡ ସାଜିଥିବା କର୍ମଚାରୀଙ୍କ ସ୍ବାର୍ଥକୁ ଅଣଦେଖା କରାଯାଇଛି। ତେଣୁ ଆଇନ୍‌ର ଆଶ୍ରୟ ନେବାକୁ ବାଧ୍ୟ ହେଲୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଭଦ୍ରକ ପାନ୍ଥନିବାସକୁ ଚୁକ୍ତିର ୩ ମାସ ମଧ୍ୟରେ, ବାଲେଶ୍ବର, ତପ୍ତପାଣି ପାନ୍ଥନିବାସକୁ ଚୁକ୍ତିର ୬ ମାସ ମଧ୍ୟରେ, ଧଉଳି ପାନ୍ଥିକାକୁ ୧ ବର୍ଷ ମଧ୍ୟରେ ଏବଂ ଗୋପାଳପୁର ପାନ୍ଥନିବାସକୁ ୨ ବର୍ଷ ମଧ୍ୟରେ ଉନ୍ନତୀକରଣ କାମ ସାରି କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତିରେ ସମୟ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe