ପାରମିତା ଶତପଥୀ ପାଇଲେ ଶାରଳା ପୁରସ୍କାର: ଜଗଦୀଶ କାନୁନ୍‌ଗୋ ଓ ଜୟନ୍ତ ବେହେରାଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’

Advertisment
ପାରମିତା ଶତପଥୀ ପାଇଲେ ଶାରଳା ପୁରସ୍କାର: ଜଗଦୀଶ କାନୁନ୍‌ଗୋ ଓ ଜୟନ୍ତ ବେହେରାଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’

ଭୁବନେଶ୍ବର: ଶ୍ରେଷ୍ଠ ସାହିତ୍ୟକୃତି ପାଇଁ ଇମ୍ଫା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ଚଳିତବର୍ଷ ସ୍ୱନାମଧନ୍ୟା କଥାକାର ପାରମିତା ଶତପଥୀଙ୍କୁ ପ୍ରଦାନ କରାଯାଇଛି। ତାଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ତାଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ମିଳିଛି।

ଶାରଳା ପୁରସ୍କାର ଉତ୍ସବ ଆଜି ଇମ୍ଫା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଇମ୍ଫା ଚାରିଟେବଲ୍ ଟ୍ରଷ୍ଟର ଟ୍ରଷ୍ଟି ପାରମିତା ପଣ୍ଡା ଉଦ୍‌ଘାଟନ କରିଥିଲେ। ଶାରଳା ପୁରସ୍କାର ବ୍ୟତୀତ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନ୍‌ଗୋ ଏବଂ ବିଶିଷ୍ଟ ଘୁମୁରା ଶିଳ୍ପୀ ଜୟନ୍ତ କୁମାର ବେହେରାଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ସେମାନଙ୍କୁ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଟ୍ରଷ୍ଟି ଶ୍ରୀମତୀ ପଣ୍ଡା ପ୍ରତିଭାମାନଙ୍କୁ ପୁରସ୍କୃତ କରିବା ସହ ଅଭିନନ୍ଦନ ଜଣାଇଥିଲେ। ଭାଷା-ସାହିତ୍ୟ, କଳା ସଂସ୍କୃତି ଓ ପ୍ରାଚୀନତା ଦୃଷ୍ଟିରୁ ସମୃଦ୍ଧ ଓଡ଼ିଶାକୁ ଅଧିକ ମଜଭୁତ କରିବା ଦିଗରେ ସ୍ବର୍ଗତ ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କ ଦୂରଦୃଷ୍ଟି ଓ ଉଦ୍ୟମକୁ ସ୍ମରଣ କରି ଆଜି ଖୁବ୍ ଆନନ୍ଦ ଅନୁଭବ କରୁଛନ୍ତି ବୋଲି ସେ କହିଥିଲେ। ଏହି ଅବସରରେ ପ୍ରତିଭାତ୍ରୟୀଙ୍କ ଉପରେ ନିର୍ମିତ ତିନୋଟି ସଂକ୍ଷିପ୍ତ ବୃତ୍ତଚିତ୍ର ପ୍ରଦର୍ଶିତ ହେବା ସହ ଶାରଳା ପୁରସ୍କାର-୨୦୨୧ର ସୂଚନା ପୁସ୍ତିକା ଲୋକାର୍ପିତ ହୋଇଥିଲା। ଉତ୍ସବରେ ଡ. ହୃଷୀକେଶ ମଲ୍ଲିକ, ଡ. କୃଷ୍ଣଚନ୍ଦ୍ର ପ୍ରଧାନ, ଡ. ବାବାଜୀ ଚରଣ ପଟ୍ଟନାୟକ, ଡ. ପ୍ରବୀଣା ମହାନ୍ତି, ସୂର୍ଯ୍ୟ ମିଶ୍ର, ଅକ୍ଷୟ ବେହେରା, ଦେବପ୍ରସାଦ ଦାଶ, ଡ. ଶ୍ୟାମାମଣି ଦେବୀ, ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ପଞ୍ଚମୀ ମାନୁ ଉକିଲ ପ୍ରମୁଖ ବିଚାରକମଣ୍ଡଳୀ ସଦସ୍ୟମାନେ ଉପସ୍ଥିତ ରହି ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଯୁବଲେଖକ ତଥା ଶାରଳା ସଚିବାଳୟର ମୁଖ୍ୟ ସଂଯୋଜକ ସରୋଜ ବଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe