ଜନପଥକୁ ଫେରିଲା ପଥ ଉତ୍ସବ, ଧୁମ୍ ମଜା କଲେ

Advertisment
ଜନପଥକୁ ଫେରିଲା ପଥ ଉତ୍ସବ, ଧୁମ୍ ମଜା କଲେ

ଭୁବନେଶ୍ବର: ରାଜଧାନୀବାସୀଙ୍କ ସବୁଠୁ ପସନ୍ଦର କାର୍ଯ୍ୟକ୍ରମ ପଥ ଉତ୍ସବ ଆଜି ପୁଣି ଜନପଥକୁ ଫେରିଛି। ଦୀର୍ଘ ମାସର ବ୍ୟବଧାନ ପରେ ପଥ ଉତ୍ସବ ଆୟୋଜନ ହୋଇଥିଲେ ବି ଏହାର ପୂର୍ବ ଚମକ ଦେଖିବାକୁ ମିଳିଥିଲା। ପଥ ଉତ୍ସବର ମଜା ଉଠାଇବା ପାଇଁ ରାଜଧାନୀବାସୀ ପଥ ଉତ୍ସବରେ ଏକାଠି ହୋଇଥିଲେ। ଆଉ ଧୁମ୍ ମଜା କରିଥିଲେ। କିଏ ସଂଗୀତର ତାଳେ ତାଳେ ନାଚିଥିଲା ତ କିଏ ଯୋଗ ପ୍ରାଣାୟମ କରି ଶୀତୁଆ ସକାଳକୁ ଉପଭୋଗ କରିଥିଲା। ଯୁବପିଢ଼ି କିନ୍ତୁ ବେଧଡ଼କ ନାଚିବା ସହ ସାଇକେଲ୍ ଚଳାଇ, ସ୍କେଟିଂ କରି ପୂରା ମଜା ଉଠାଇଥିଲେ। ଆଜିର ପଥ ଉତ୍ସବ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ହୋଇଥିବା ବେଳେ ଏହାର ଥିମ୍ ହକି ଥିଲା। ଓଡ଼ିଶା ହକି ପୁରୁଷ ବିଶ୍ବକପ୍‌-୨୦୧୮ ଉପଲକ୍ଷେ ବିଶେଷ ଭାବେ ଆୟୋଜିତ ପଥ ଉତ୍ସବରେ ସବୁଠି ହକି ଛାଇ ଯାଇଥିଲା। କ୍ରୀଡ଼ା ହଷ୍ଟେଲ୍‌ ଏବଂ କଳିଙ୍ଗ ଷ୍ଟାଡିୟମ୍‌ର ଛାତ୍ରଛାତ୍ରୀମାନେ ଜନପଥରେ ହକି ଖେଳି ଉପସ୍ଥିତ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ ଜୁନିଅର ହକି ଟିମ୍‌ର ସଦସ୍ୟମାନେ ସେମାନଙ୍କ ନିୟମିତ ଅଭ୍ୟାସ ଓ ୱାର୍ମଅପ୍ ଆଜି ଜନପଥରେ କରିଥିଲେ। ଏହା ଜନପଥକୁ ହକିମୟ କରି ଦେଇଥିଲା। କେବଳ ହକି ଖେଳ ଦେଖିବାକୁ ମିଳିନଥିଲା, କେତେକ ଯୁବକ ଯୁବତୀ ଫୁଟବଲ୍‌, ଭଲି, ବ୍ୟାଡମିଣ୍ଟନ୍, ରୋଲର୍ ସ୍କେଟିଂ କରୁଥିବା ଦେଖିବାକୁ ମିଳିଥିଲା। ଆଜିର ପରିବେଶ ଏପରି ଥିଲା ଯେମିତି ସମସ୍ତେ ପଥ ଉତ୍ସବ କେବେ ଆୟୋଜନ ହେବ ଅପେକ୍ଷା କରିଥିଲେ।

publive-image

ଆଜିର କାର୍ଯ୍ୟକ୍ରମକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ବରର ଦୁଇ ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ.ଶାନ୍ତି ଏବଂ କେତେକ କର୍ପୋରେଟର ଅତିଥି ଭାବେ ଯୋଗ ଦେଇଥିଲେ। ଅପରପକ୍ଷେ ଆଜି ବି ପୂର୍ବଭଳି ମାଷ୍ଟରକ୍ୟାଣ୍ଟିନ୍ ଏବଂ ରାମମନ୍ଦିର ପାର୍ଶ୍ବ‌େର ଦୁଇଟି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାସହ ଜନପଥରେ ଇତିଶ୍ରୀ ଦୀକ୍ଷିତ୍‌ଙ୍କ ରଙ୍ଗୋଲି, ଆମ କଳାକାର, ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଜୟ ଓଡ଼ିଶା ପକ୍ଷରୁ କୁଇଜ୍, ଆୟୁଷ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଶିବିର, ଷ୍ଟେ ଫିଟ୍ ପକ୍ଷରୁ ଯୋଗ ଅଧିବେଶନ ଓ ଜୁମ୍ବା, ପିକକ୍ ପକ୍ଷରୁ ବିଶ୍ବ ମୃତ୍ତିକା ଦିବସ ପାଳନ ସହ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ଚିଲଡ୍ରେନ୍ କର୍ଣ୍ଣରର ଆୟୋଜନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe