ପଥୋତ୍ସବରେ ‘ଅଭିନନ୍ଦନ’

ପଥୋତ୍ସବରେ ‘ଅଭିନନ୍ଦନ’

ଭୁବନେଶ୍ବର: ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇଥିଲା ଜନପଥ। ଗୀତରେ ଦେଶପ୍ରେମର ଛୁଆଁ, ଗପରେ ସାହସୀ ବୀରର ଗାଥା, ଚିବୁକରେ ତ୍ରିରଙ୍ଗା ଆଉ ଚିତ୍ରରେ ଅଭିନନ୍ଦନ ବର୍ଦ୍ଧମାନ। ଆଜିର ୮୧ତମ ପଥୋତ୍ସବ ଉତ୍ସର୍ଗ ଥିଲା ପାକିସ୍ତାନ ବାୟୁସେନାର ଯୁଦ୍ଧ ବିମାନକୁ ଧ୍ୱସ୍ତ କରି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର୍‌ ଅଭିନନ୍ଦନ ବର୍ଦ୍ଧମାନଙ୍କୁ। ଇତିଶ୍ରୀ ଦୀକ୍ଷିତ ଓ ଅନ୍ୟମାନେ ଆଙ୍କିଥିଲେ ଅଭିନନ୍ଦନଙ୍କ ପ୍ରତିଛବି। ଚିତ୍ର ଜରିଆରେ ଏହି ସାହସୀ ୱିଙ୍ଗ୍‌ କମାଣ୍ଡରଙ୍କର କାର୍ଯ୍ୟକଳାପ ସମ୍ବନ୍ଧରେ ସମ୍ୟକ ସୂଚନା ମଧ୍ୟ ଉପସ୍ଥାପନ କରିଥିଲେ।

ବିଜୟର ଗାଥା: ବକୁଳ ଫାଉଣ୍ଡେସନର ଲାଇବ୍ରେରୀ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନଥିଲା। କାର୍‌ଗିଲ ଯୁଦ୍ଧଠାରୁ ଆରମ୍ଭ କରି ଭାରତୀୟ ସୈନିକଙ୍କ ସାହସିକତାର ଗାଥାକୁ ନେଇ ଲିଖିତ ସମସ୍ତ ପୁସ୍ତକ ଉପସ୍ଥାପନ କରିଥିଲା। ପାକିସ୍ତାନରେ ଭାରତର ବିଜୟ କାହାଣୀକୁ ନେଇ ଲିଖିତ ଉପନ୍ୟାସ ‘କଲିଙ୍ଗ୍‌ ସେହମତ’ ଯାହା ଉପରେ ଆଲିଆ ଭଟ୍ଟଙ୍କର ଫିଲ୍ମ ‘ରାଜି’ ନିର୍ମିତ ହୋଇଥିଲା, ତାହା ଏଠାରେ ଦେଖିବାକୁ ମିଳିଥିଲା। କାର୍‌ଗିଲ ଯୁଦ୍ଧ ସମୟରେ ଅନ୍ୟତମ ହିରୋ କ୍ୟା‌ପ୍‌ଟେନ୍‌ କମ୍ବାମ୍ପତି ନଚିକେତା ରାଓଙ୍କ କଥା ମଧ୍ୟ ଉପଲବ୍ଧ ଥିଲା। ସେହିଭଳି ପ୍ରାଚୀତାରା ମଧ୍ୟ ଅଭିନନ୍ଦନଙ୍କ କାହାଣୀ ସହ ରାଇଫଲ ମ୍ୟାନ୍‌ ଯଶୱନ୍ତ ସିଂହ ରାୱତଙ୍କ କଥା କହିଥିଲେ।

ଚିତ୍ରରେ ଯୋଦ୍ଧା: ଡିପିଆର ଆର୍ଟ ଲାଇଫ ଓ ଆର୍ଟିସନ ଡଟ୍‌ କମ୍‌ ପକ୍ଷରୁ ପ୍ରସ୍ତୁତ ରଙ୍ଗୋଲି ଯୋଦ୍ଧାଙ୍କ ପାଇଁ ସମର୍ପିତ ଥିଲା। ଆକ୍ରମଣରେ ବ୍ୟବହୃତ ଫାଇଟର ପ୍ଲେନ ଚିତ୍ର ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। କେତେକ ଛୋଟ ଛୋଟ ପିଲା ମଧ୍ୟ ଗପ କହିଥିଲେ। ସେହିଭଳି ପିକକ୍‌ ପକ୍ଷରୁ ଛୋଟ ଛୋଟ ପିଲାମାନେ ଦେଶାତ୍ମବୋଧକ ଗୀତରେ ନୃତ୍ୟ କରିଥିଲେ।

ଗୀତରେ ଅଭିନନ୍ଦନ: ଗୀତରେ ‘ଅଭିନନ୍ଦନ’ଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ମୁଖ୍ୟ ମଞ୍ଚରେ। ଦେଶପ୍ରେମର ଓଡ଼ିଆ ଓ ହିନ୍ଦୀ ଗୀତ ସହ ହିଟ୍‌ ଗୀତ ‘ସଜନା ପେ ଦିଲ ଆଗେୟା’, ‘ଏକଡ଼ା ଏକଡ଼ା ରା’, ରଙ୍ଗବତୀ ଆଦି ଗୀତ ସଞ୍ଚିତା ଗାଇଥିବା ବେଳେ ରାହୁଲ ଗାଇଥିଲେ ପଞ୍ଜାବୀ ଗୀତ ହୋଗୟି ତେରି ବଲ୍ଲେ ବଲ୍ଲେ..। ପରେ ପରେ ଡିଜେରେ ଝୁମିଥିଲା ଜନପଥ। କାର୍ଯ୍ୟକ୍ରମକୁ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଉଦ୍‌ଘାଟନ କରିଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଲରେ ତ୍ରିରଙ୍ଗା ଆଙ୍କି ପଥୋତ୍ସବରେ ବୁଲୁଥିଲେ। ତାଙ୍କ ସହିତ ସେଲ୍ଫି ପାଇଁ ବେଶ୍‌ ଗହଳି ଲାଗିଥିଲା। ତେବେ ଅଭିନନ୍ଦନଙ୍କ ନିଶ ଭଳି ଅବିକଳ ନିଶ ରଖି ଅଧିକାଂଶ ଯୁବକଙ୍କୁ ଦେଖିବାକୁ ମିଳିଥିଲା। ଏହି ନିଶ ହିଁ ଦେଶପ୍ରେମର ବାର୍ତ୍ତା ଦେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe