ଚନ୍ଦ୍ରଶେଖରପୁର: ବର୍ଷ ପ‌ରେ ବର୍ଷ ଗଡ଼ୁଛି। ଅଧିକାରୀମାନେ ବଦଳୁଛନ୍ତି। ହେଲେ ବଦଳିପାରିନି ପଟିଆ ଓ କଳାରାହାଙ୍ଗ ରେଳ ‌ଓଭରବ୍ରିଜ୍‌(ଆରଓବି) ଭାଗ୍ୟ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଭିତ୍ତିପ୍ରସ୍ତର ପଡ଼ିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ଆଗେଇପାରି ନାହିଁ। ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଆରଓବି ଭବିଷ୍ୟତ ଝୁଲି ରହିଛି। ଫଳରେ ଦୈନିକ ୪୦ ହଜାରରୁ ଅଧିକ ଲୋକଙ୍କ ଜୀବନ ବାଜିରେ ଲାଗୁଛି। ବିପଦସଙ୍କୁଳ ଭାବେ ରେଭଲ୍‌କ୍ରସିଂ ପାର ହେଉଛନ୍ତି। ରେଳ ବିଭାଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଏବେ ଏହି ଦୁଇ ପ୍ରକଳ୍ପର ଭାଗ୍ୟ ଝୁଲି ରହିଛି।

Advertisment

Patia: ଆଗେଇପାରୁନି ପଟିଆ ଓ କଳାରାହାଙ୍ଗ ଆରଓବି: ଦୈନିକ ବାଜିରେ ଲାଗୁଛି ୪୦ ହଜାର ଜୀବନ, କଳାରାହାଙ୍ଗରେ ଜମି ଅଧିଗ୍ରହଣ ସମସ୍ୟା

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଭିତ୍ତିପ୍ରସ୍ତର ପଡ଼ିବାର ୧୬ ମାସ ଅର୍ଥାତ୍‌ ୨୦୨୫ ଜୁଲାଇ ମାସରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଟିଆ ଓ କଳାରାହାଙ୍ଗ ଗସ୍ତ କରି ଅଧିକାରୀଙ୍କ ସହିତ ସ୍ଥିତି ସମୀକ୍ଷା କରିଥିଲେ। କଳାରାହାଙ୍ଗ ଆର୍‌ଓବି ପାଇଁ ୮୦ କୋଟି ଏବଂ ପଟିଆ ଆର୍‌ଓବି ପାଇଁ ୬୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ ସୂଚନା ଦେବା ସହ ଖୁବ୍‌ଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି କହିଥିଲେ। ଇତିମଧ୍ୟରେ ସାଂସଦଙ୍କ ଗସ୍ତକୁ ୭ ମାସ ବିତିଯାଇଥିଲେ ମଧ୍ୟ କାମ ଆଗେଇପାରି ନାହିଁ। ପୂର୍ବରୁ ଏହି ଦୁଇଟି ଆର୍‌ଓବି ପାଇଁ ଜମି ଅଧିଗ୍ରହଣ ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା। ମାତ୍ର ଏବେ ପଟିଆ ଜମି ଅଧିଗ୍ରହଣ ସମସ୍ୟା ଦୂର ହୋଇଥିବା ବେଳେ କଳାରାହାଙ୍ଗରେ ଜମି ସମସ୍ୟା ପୂର୍ବଭଳି ଲାଗିରହିଛି। ତେଣୁ ଏଠାରେ କାମ ଆରମ୍ଭ ହୋଇପାରୁ ନାହିଁ।

ପରିଣାମ ସ୍ବରୂପ ବିପଦସ‌ଙ୍କୁଳ ଅବସ୍ଥାରେ ହଜାର ହଜାର ଲୋକେ ପ୍ରତିଦିନ ଲେଭଲ୍‌ କ୍ରସିଂ ଦେଇ ଯାତାୟାତ କରୁଛନ୍ତି। ରେଳ ଫାଟକ ବାରମ୍ବାର ପଡ଼ିବା ଦ୍ବାରା କେବଳ ଯେ ସମୟ ବରବାଦ ହେଉଛି ତାହା ନୁହେଁ, ବରଂ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ରାଜ୍ୟ ଓ କେନ୍ଦ୍ରରେ ଭିନ୍ନ ଭିନ୍ନ ଦଳ ଶାସନ କ୍ଷମତାରେ ରହିଥିବାରୁ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିପାରୁ ନଥିଲା।  ହେଲେ ୨୦ ମାସ ହେଲା ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ଦଳ ଶାସନ କ୍ଷମତାରେ ରହିଛନ୍ତି। ତା’ପରେ ବି କାମ ଆଗେଇ ନ ପାରିବାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଲେଣି।

Horoscope 2026 February 23: ଜାଣନ୍ତୁ ଆଜିର ରାଶିଫଳ

ଭୁବନେଶ୍ବର ମହାନଗର ନିଗମ ୧ ନମ୍ବର ୱାର୍ଡ କର୍ପୋରେଟର ମିହିର କୁମାର ରାଉତ କହିଛନ୍ତି, ଏହି ଦୁଇଟି ଲେଭଲ୍‌ କ୍ରସିଂକୁ ୮ଟି ଗ୍ରାମ ପଞ୍ଚାୟତର ଲୋକେ ପ୍ରତିଦିନ ଅତିକ୍ରମ କରିଥାନ୍ତି। ଗ୍ରାମବାସୀଙ୍କ ପାଇଁ ଉପଲବ୍ଧ ସମସ୍ତ ମୌଳିକ ଆବଶ୍ୟକତା ଯେମିତି କି ବିଦ୍ୟାଳୟ, କଲେଜ, ହସ୍ପିଟାଲ୍, ବ୍ୟାଙ୍କ୍, ଅଫିସ୍ ଆଦିରେ ପହଞ୍ଚିବା ପାଇଁ ସେମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ। ଏହି ରାସ୍ତାଟି ପଟିଆ ଅଞ୍ଚଳକୁ ଭୁବନେଶ୍ବର-କଟକକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୬ ସହ ମଧ୍ୟ ସଂଯୁକ୍ତ କରୁଛି। ‌ତେଣୁ ସରକାର ତୁରନ୍ତ ଏହି ଲେଭଲ୍‌କ୍ରସିଂରେ ଆର୍‌ଓବି ନିର୍ମାଣ କରିବା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି। ପୂର୍ବତଟ ରେଳପଥର ଜଣେ ଅଧିକାରୀ କହିଛନ୍ତି ଯେ ଉଭୟ ଆର୍‌ଓବି ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଗତ ମାସରେ ପଟିଆ ଲେଭଲ୍‌କ୍ରସିଂରେ ଆର୍‌ଓବି ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଇଛି। ପ୍ରଥମ ରେଳ ବିଭାଗ ଅଧୀନରେ ଥିବା ସ୍ଥାନରେ କାମ ଆରମ୍ଭ କରିବ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଆପ୍ରୋଚ୍‌ ରୋଡ୍‌ କରାଇବେ। କଳାରାହାଙ୍ଗ ଆର୍‌ଓବି ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଏପର୍ଯ୍ୟନ୍ତ ହୋଇପାରି ନ ଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।